ପ୍ରତିଶୋଧ ଭାବନା ନେଇ ଖେଳିବୁନାହିଁ: କୋହଲି

ଅକ୍‌ଲାଣ୍ଡ : ଭ୍ରମଣକାରୀ ଭାରତ ଓ ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଏଠାରେ ଆୟୋଜିତ ହେବ। ଏହି ମ୍ୟାଚ୍‌ରେ ପ୍ରତିଶୋଧ ଭାବନା ନେଇ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ ନାହିଁ ବୋଲି ସାମ୍ବାଦିକଙ୍କୁ କହିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି।
ସୂଚନାଥାଉକି ଗତବର୍ଷ ଇଂଲଣ୍ଡରେ ଖେଳାଯାଇଥିବା କ୍ରିକେଟ୍‌ ବିଶ୍ବକପ୍‌ର ସେମିଫାଇନାଲରେ ଭାରତକୁ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ। ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ଭାରତୀୟ ଦଳ ପ୍ରତିଶୋଧ ଭାବନା ନେଇ ପଡ଼ିଆକୁ ଓହ୍ଲାଇବ କି ବୋଲି ପ୍ରଶ୍ନର ଉତ୍ତରରେ କୋହଲି କହିିଥିଲେ ପ୍ରତିଶୋଧ ଭାବନା ଭାରତୀୟ ଖେଳାଳିଙ୍କ ମନରେ ନାହିଁ। ସେହିପରି ନ୍ୟୁଜିଲାଣ୍ଡ କ୍ରିକେଟର୍‌ମାନେ ଅତ୍ୟନ୍ତ ଭଦ୍ର ଓ ଶାଳୀନ ହୋଇଥିବାରୁ ସେମାନଙ୍କ ଠାରୁ ପ୍ରତିଶୋଧ ନେବା କଥା ଚିନ୍ତା କରାଯାଇ ପାରିବ ନାହିଁ। ଇଂଲଣ୍ଡରେ ଯାହା ଘଟିଗଲା ତାହା ଅତୀତ ହୋଇଇଥିବାରୁ; ଏ ସଂପର୍କରେ ଅଧିକ ଚିନ୍ତା କରିବାର ପ୍ରଶ୍ନ ଉଠୁ ନାହିଁ। ଭବିଷ୍ୟତରେ ପ୍ରତି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ଦଳକୁ ଜିତାଇବା ଭାରତୀୟ ଖେଳାଳିଙ୍କ ମୁଖ୍ୟ ଲକ୍ଷ୍ୟ। ଏହି ଲକ୍ଷ୍ୟ ପୂରଣ କରିବାକୁ ଭାରତୀୟ କ୍ରିକେଟ୍‌ ଦଳ ପଡ଼ିଆକୁ ଓହ୍ଲାଇବ।

 

କେନ୍‌ ୱିଲିୟମସନ୍‌ଙ୍କ ଦ୍ବାରା ପରିଚାଳିତ ନ୍ୟୁଜିଲାଣ୍ଡ ଦଳକୁ ଉଚ୍ଚପ୍ରଶଂସା କରି କୋହଲି କହିଥିଲେ ଏହି ଦଳ ସର୍ବଦା ଖେଳୁଆଡ ମନୋଭାବର ପରିଚୟ ଦେଇଥାଏ। ସେହିପରି ଏହି ଦଳରେ ବେଶ୍‌ ଭଲ ଖେଳାଳି ଥିବାରୁ କ୍ରିକେଟ୍ ସିରିଜ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ବିଶ୍ବର ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଭଲ ମ୍ୟାଚ୍‌ ଦେଖିବାର ସୁଯୋଗ ଦର୍ଶକ ପାଇବେ ବୋଲି କୋହଲି ସ୍ପଷ୍ଟ କରି ଦେଇଛନ୍ତି। ନ୍ୟୁଜିଲାଣ୍ଡ ଘରୋଇ ମାଟିରେ ଖେଳିବାକୁ ଯାଉଥିବାରୁ ଏହି ଦଳକୁ ପରାସ୍ତ କରିବାକୁ ହେଲେ ଭାରତୀୟ ଖେଳାଳିଙ୍କୁ ନିଜ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି କୋହଲି କହିଛନ୍ତି। ଟ୍ବେଣ୍ଟି୨୦ ସିରିଜ୍‌ରେ କେଏଲ୍ ରାହୁଲ ବ୍ୟାଟିଂ ଓପନ୍‌ କରିବା ସଂପର୍କରେ ମନ୍ତବ୍ୟ ଦେଇ କୋହଲି କହିଥିଲେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ୱିକେଟରକ୍ଷକ ଭାବେ ରାହୁଲ ବେଶ୍‌ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌​‌େ​‌ର ତାଙ୍କୁ ୱିକେଟରକ୍ଷକ ଭାବେ ଖେଳାଯିବ। ରାହୁଲ ୱିକେଟରକ୍ଷକ ଭାବେ ଦାୟିତ୍ବ ନିର୍ବାହ କରିବା ଫଳରେ ଦଳର ଭାରସାମ୍ୟ ବେଶ୍‌ ସନ୍ତୁଳିତ ହୋଇପାରୁଛି ଏବଂ ଦଳ ଅତିରିକ୍ତ ବ୍ୟାଟସମ୍ୟାନ୍‌ କିମ୍ବା ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇ ପାରୁଛି ବୋଲି କୋହଲି ସ୍ପଷ୍ଟ କରି ଦେଇଛନ୍ତି। ରାହୁଲଙ୍କ ବ୍ୟାଟିଂ କ୍ରମରେ ବାରମ୍ବାର ପରିବର୍ତ୍ତନ କରାଯିବା ସଂପର୍କରେ କୋହଲି କହିଥିଲେ ରାହୁଲ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ। ଯେକୌଣସି ସ୍ଥାନରେ ବ୍ୟାଟିଂ କରି ରନ୍‌ ସଂଗ୍ରହ କରିବାକୁ ତାଙ୍କ ନିକଟରେ ଦକ୍ଷତା ରହିଛି। ନ୍ୟୁଜିଲାଣ୍ଡ ମାଟିରେ ସଫଳତା ପାଇବାକୁ ହେଲେ ବ୍ୟାଟସମ୍ୟାନ୍‌ଙ୍କୁ ନିଜ ଶୈଳୀରେ କିଛିଟା ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି କୋହଲି ସ୍ବୀକାର କରିଛନ୍ତି। ଭାରତୀୟ ଦଳ ଗତ କିଛିମାସ ମଧ୍ୟରେ ବହୁସଂଖ୍ୟକ ଟ୍ବେଣ୍ଟି୨୦ ସିରିଜ୍‌ ଖେଳିଥିବାରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ ବୋଲି କୋହଲି ଆଶାବ୍ୟକ୍ତ କରିଛନ୍ତି।

Comments are closed.