ଆଜିଠାରୁ ବକ୍ସିଂ ଡେ’ ଟେଷ୍ଟ; ପଦାର୍ପଣ କରିବେ ଶୁବମାନ୍‌, ସିରାଜ୍‌

ମେଲବୋର୍ଣ୍ଣ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଶନିବାରରୁ ଆରମ୍ଭ ହେବାକୁ ଯାଉଛି ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌। ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଏହା ଦ୍ବିତୀୟ ମ୍ୟାଚ୍‌। ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ପରାସ୍ତ ହୋଇଥିବା ବେଳେ ଦ୍ବିତୀୟ ଟେଷ୍ଟ ନିମନ୍ତେ ଭାରତୀୟ ଦଳରେ ୪ଟି ପରିବର୍ତ୍ତନ ହୋଇଛି। ବକ୍ସିଂ ଡେ’ ଟେଷ୍ଟ ନିମନ୍ତେ ଶୁକ୍ରବାର ଚୂଡାନ୍ତ ଭାରତୀୟ ଏକାଦଶ ଘୋଷିତ ହୋଇଛି।
ବକ୍ସିଂ ଡେ’ ଟେଷ୍ଟ ନିମନ୍ତେ ଭାରତୀୟ ଦଳରେ ଯୁବ ବ୍ୟାଟସମ୍ୟାନ୍‌ ଶୁବମାନ୍‌ ଗିଲ୍‌, ୱିକେଟରକ୍ଷକ ଋଷଭ ପନ୍ତ୍‌, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଦ୍ରୁତ ବୋଲର ମହମ୍ମଦ ସିରାଜ୍‌ଙ୍କୁ ସାମିଲ କରାଯାଇଛି। ଗିଲ୍ ଓ ସିରାଜ୍‌ଙ୍କ ନିମନ୍ତେ ଏହା ପଦାର୍ପଣ ଟେଷ୍ଟ ହେବ। ଅନ୍ୟପକ୍ଷରେ ଆଶ୍ଚର୍ଯ୍ୟଜନକ ଭାବେ ଦ୍ବିତୀୟ ଟେଷ୍ଟରେ ବ୍ୟାଟସମ୍ୟାନ୍‌ କେଏଲ୍‌ ରାହୁଲଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳି ନାହିଁ। ପ୍ରଥମ ଟେଷ୍ଟର ଦୁଇଟି ଇନିଂସରେ ବିଫଳ ହୋଇଥିଲେ ଯୁବ ଓପନର୍‌ ପୃଥ୍ବୀ ସ’। ତେଣୁ ତାଙ୍କ ସ୍ଥାନରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ରେ ଶୁବମାନ୍‌ଙ୍କୁ ସାମିଲ କରିବାକୁ ବିିଭିନ୍ନ ମହଲରେ ମତପ୍ରକାଶ ପାଇଥିଲା। ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ରେ ପୃଥ୍ବୀଙ୍କୁ ବାଦ୍‌ ଦିଆଯାଇ ତାଙ୍କ ସ୍ଥାନରେ ଶୁବମାନ୍‌ଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଭାରତ ତରଫରୁ ମୟଙ୍କ ଅଗ୍ରୱାଲ୍‌ଙ୍କ ସହ ବ୍ୟାଟିଂ ଓପନ୍‌ କରିବେ ଶୁବମାନ୍। ଅନ୍ୟପକ୍ଷରେ ପ୍ରଥମ ଟେଷ୍ଟରେ ୱିକେଟରକ୍ଷକ ଭାବେ ଋଦ୍ଧିମାନ ଶାହା ଠିକ୍‌ଠାକ୍‌ ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କ ବ୍ୟାଟିଂ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲା। ତେଣୁ ଆଶାନୁରୂପ ଭାବେ ଋଦ୍ଧିମାନଙ୍କ ସ୍ଥାନରେ ଯୁବ ୱିକେଟ୍‌ରକ୍ଷକ ଋଷଭ ପନ୍ତ୍‌ଙ୍କୁ ବକ୍ସିଂ ଡେ’ଟେଷ୍ଟ ମ୍ୟାଚ୍ ନିମନ୍ତେ ଭାରତୀୟ ଦଳରେ ସାମିଲ କରାଯାଇଛି। ବ୍ୟକ୍ତିଗତ କାରଣରୁ ପ୍ରଥମ ଟେଷ୍ଟ ଖେଳି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ସ୍ବଦେଶ ଫେରିଥିଲେ। କୋହଲିଙ୍କ ସ୍ଥାନରେ କେଏଲ୍‌ ରାହୁଲ ବକ୍ସିଂ ଡେ’ ଟେଷ୍ଟରେ ଭାରତୀୟ ଦଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଥିଲା। ତେବେ କୋହଲିଙ୍କ ସ୍ଥାନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଡ଼ାଙ୍କୁ ସାମିଲ କରାଯାଇଛି। ରାହୁଲ ଭାରତୀୟ ଦଳରେ ସ୍ଥାନ ନ ପାଇବା ଅନେକ କ୍ରିକେଟ୍‌ପ୍ରେମୀଙ୍କୁ ଚକିତ କରିଛି। ବକ୍ସିଂ ଡେ’ ଟେଷ୍ଟରେ ହନୁମା ବିହାରୀଙ୍କ ସ୍ଥାନରେ ଜାଡେଜା ଖେଳିବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ହନୁମା ବକ୍ସିଂ ଡେ’ ଟେଷ୍ଟରେ ନିଜ ସ୍ଥାନ ସୁରକ୍ଷିତ ରଖି ପାରିଛନ୍ତି। ଅନ୍ୟପକ୍ଷରେ ପ୍ରଥମ ଟେଷ୍ଟରେ ବ୍ୟାଟିଂ କରୁଥିବା ବେଳେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ହାତର ଏକ ହାଡ଼ ଭାଙ୍ଗି ଯାଇଥିବାରୁ ତାଙ୍କ ସ୍ଥାନରେ ମହମ୍ମଦ ସିରାଜ୍‌ଙ୍କୁ ବକ୍ସିଂ ଡେ’ ଟେଷ୍ଟ ନିମନ୍ତେ ଭାରତୀୟ ଦଳରେ ସାମିଲ କରାଯାଇଛି। ନବଦୀପ ସୈନିଙ୍କୁ ପଛରେ ପକାଇ ସିରାଜ୍‌ ଭାରତୀୟ ଦଳରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି।
କୋହଲିଙ୍କ ଅନୁପସ୍ଥିତିରେ ରାହାଣେ ଭାରତୀୟ ଦଳର ନେତୃତ୍ବ ନେବାକୁ ଥିବା ବେଳେ ସେ ୪ନଂ ସ୍ଥାନରେ ବ୍ୟାଟିଂ କରିବାର ସମ୍ଭାବନା ରହିଛି। ହନୁମା ବିହାରୀ ୫ ଓ ଜାଡେଜା ୬ନଂରେ ବ୍ୟାଟିଂ କରିପାରନ୍ତି। ବକ୍ସିଂ ଡେ’ ଟେଷ୍ଟ ନିମନ୍ତେ ଚୂଡ଼ାନ୍ତ ଏକାଦଶ ଘୋଷଣା ପରେ ନିଜ ପ୍ରତିକ୍ରିୟାରେ ଭାରତୀୟ ଦଳର ଅଧିନାୟକ ରାହାଣେ କହିଥିଲେ ଦଳରେ ବହୁ ପ୍ରତିଭାବାନ୍ ଖେଳାଳିଥିବାରୁ ଚୂଡ଼ାନ୍ତ ଏକାଦଶ ମନୋନୟନ ପାଇଁ ତାଙ୍କ ସହ ମ୍ୟାନେଜେଣ୍ଟକୁ ବହୁ ଅଙ୍କ କଷିବାକୁ ପଡ଼ିଥିଲା। ବକ୍ସିଂ ଡେ’ ଟେଷ୍ଟରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ରାହାଣେ ଆଶାବ୍ୟକ୍ତ କରିଛନ୍ତି।
ଭାରତୀୟ ଚୂଡ଼ାନ୍ତ ଏକାଦଶ : ଅଜିଙ୍କ୍ୟ ରାହାଣେ (ଅଧିନାୟକ), ମୟଙ୍କ ଅଗ୍ରୱାଲ୍‌, ଶୁବମାନ୍‌ ଗିଲ୍‌, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ଉମେଶ ଯାଦବ, ଯଶପ୍ରୀତ୍‌ ବୁମରା ଓ ମହମ୍ମଦ ସିରାଜ୍‌।

Comments are closed.