ଅନ୍ତିମ ଦିନିକିଆ ଟସ୍‌ ଜିତି ବ୍ୟାଟିଂ କରୁଛି ଭାରତ

କାନବେରା : ପ୍ରଥମ ୨ଟିଯାକ ଦିନିକିଆ ମ୍ୟାଚ୍ ଜିତି ସିରିଜ୍‌ ହାତେଇ ସାରିଛି ଘରୋଇ ଅଷ୍ଟ୍ରେଲିଆ। ବୁଧବାର ଏଠାକାର ମାନୁକା ଓଭାଲ୍‌ ଗ୍ରାଉଣ୍ଡରେ ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳାଯାଉଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ପ୍ରଥମଥର ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଦୁଇଟି ମ୍ୟାଚ୍ ହାରି ସିରିଜ୍ ହାତଛଡ଼ା କରିସାରିଥିବା ଭାରତ ଆଜି ସମ୍ମାନ ରକ୍ଷା ପାଇଁ ମ୍ୟାଚ୍‌ ଖେଳୁଛି।

ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ରେ ଭାରତୀୟ ଦଳରେ ଚାରୋଟି ପରିବର୍ତ୍ତନ କରାଯାଇଛି। ପ୍ରଥମ ଦୁଇଟି ମ୍ୟାଚରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିବା ମୟଙ୍କ ଅଗ୍ରୱାଲ୍‌ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଶୁବମନ୍ ଗିଲଙ୍କୁ ସୁଯୋଗ ମିଳିଛି। ସେହିପରି ନଭଦୀପ ସାଇନି ଓ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁର ଓ କୁଲଦୀପ ଯାଦବଙ୍କୁ ସାମିଲ୍‌ କରାଯାଇଛି। ମହମ୍ମଦ ଶାମିଙ୍କ ବଦଳରେ ଟି. ନଟରାଜନ ଆଜିର ମ୍ୟାଚ୍‌ରେ  ଡେବ୍ୟୁ କରିଛନ୍ତି।

ସେହିପରି ଅଷ୍ଟ୍ରେଲିଆ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି। ଆହତ କାରଣରୁ ଡେଭିଡ୍‌ ୱାର୍ଣ୍ଣର୍ ବାଦ୍ ପଡ଼ିଥିବା ବେଳେ ପ୍ୟାଟ୍ କମିନ୍ସ ଓ ମିଚେଲ୍ ଷ୍ଟାର୍କଙ୍କୁ ବିଶ୍ରାମ ଦିଆଯାଇଛି। ଏମାନଙ୍କ ସ୍ଥାନରେ କାମେରନ୍ ଗ୍ରୀନ୍, ସିନ୍ ଆବୋଟ୍ଟ ଓ ଆଷ୍ଟନ୍ ଆଗରଙ୍କୁ ନିଆଯାଇଛି।

Comments are closed.