ଇମ୍ରାନଙ୍କୁ କଡ଼ା ଜବାବ ଦେଲେ ସ୍ନେହା ଦୁବେ, ପିଓକେ ଛାଡୁ ପାକିସ୍ତାନ

ନ୍ୟୁୟର୍କ: ମିଳିତ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ବେଶ୍‌ ହଟହଟା କରିଛନ୍ତି ଭାରତୀୟ ବୈଦେଶିକ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ତଥା​‌ ଜାତିସଂଘରେ ନିଯୁକ୍ତ କନିଷ୍ଠ କୂଟନୀତିଜ୍ଞ ସ୍ନେହା ଦୁବେ। କାଶ୍ମୀର ପ୍ରସଙ୍ଗ ଉଠାଇ ଏଠାରେ ଭାରତ ବିରୋଧରେ ବି‌େ‌ଷାଦ୍‌ଗାର କରିଥିବା ଇମ୍ରାନଙ୍କୁ ପ୍ରଥମ ସଚିବ ଥିବା ଦୁବେ କଡ଼ା ଜବାବ ଦେଇଛନ୍ତି। ଦୁବେ ଆତଙ୍କବାଦୀଙ୍କୁ ଆଶ୍ରୟ ଓ ଆତଙ୍କବାଦକୁ ଖୋଲା ସମର୍ଥନ ଦେବା ପାକିସ୍ତାନର ନୀତି ବୋଲି ଦର୍ଶାଇ କହିଛନ୍ତି ଯେ ପାକିସ୍ତାନ ନିଆଁ ସହିତ ଖେଳୁଥିବା ଏକ ଛଦ୍ମବେଶୀ ରାଷ୍ଟ୍ର। ଏହା ବିଶ୍ବରେ ଆତଙ୍କବାଦର ବିଷ ବୁଣିଚାଲିଛି। ପଡ଼ୋଶୀ ତଥା ଅନ୍ୟ ରାଷ୍ଟ୍ରରେ ଆତଙ୍କବାଦକୁ ଏହା ପ୍ରୋତ୍ସାହନ ଦେଇଆସିଛି। ପାକିସ୍ତାନ ଯୋଗୁଁ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଆତଙ୍କବାଦରେ ଜର୍ଜରିତ। ଏହା ସତ୍ତ୍ବେ ପାକିସ୍ତାନ ସମସ୍ତ ପାପକୁ ଘୋଡ଼ାଇଆସିଛି। ଏହାର ଅନେକ ଦୃଷ୍ଟାନ୍ତ ରହିଛି। ଏଭଳି କହି ଦୁବେ ଇମ୍ରାନ ଓ ତାଙ୍କ ଦେଶର ମୁଖା ଖୋଲି ଦେଇଛନ୍ତି।

ଏହି ଘଟଣା ପରେ ସ୍ନେହାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସ୍ନେହା ହେଉଛନ୍ତି ୨୧୦୨ ବ୍ୟାଚ୍ ଆଇଏଫଏସ୍ ଅଧିକାରୀ। ଜାତିସଂଘରେ ନିଯୁକ୍ତି ପାଇବା ପୂର୍ବରୁ ସେ ମାଦ୍ରିଦ ଦୂତାବାସରେ ଭାରତର ତୃତୀୟ ସଚିବ ଥିଲେ। ଗୋଆରୁ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ସ୍ନେହା ପୁଣେର ଫର୍ଗୁସନ୍ କଲେଜରେ ଉଚ୍ଚଶିକ୍ଷା ଲାଭ ପରେ ଦିଲ୍ଲୀର ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ ଅଧୀନ ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍‌ରୁ ଏମ୍‌.ଫିଲ୍ କରିଛନ୍ତି। ପ୍ରଥମ ପ୍ରୟାସରେ ସେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଛାତ୍ର ଜୀବନରୁ ବୈଦେଶିକ ସେବା ପ୍ରତି ଆକର୍ଷଣ ରହିଥିବାରୁ ସେ ଏଥିରେ ଯୋଗ ଦେଇଥିଲେ। ସ୍ନେହାଙ୍କ ବାପା ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ମା’ ଶିକ୍ଷୟିତ୍ରୀ। ପୂର୍ବରୁ ୨୦୧୬-୧୭ରେ ଇନାମ ଗମ୍ଭୀର, ୨୦୧୯ରେ ବିଦିଶା ମୈତ୍ର ଓ ୨୦୨୦ରେ ମିଜିତୋ ବିନିତୋଙ୍କ ଭଳି ଅଧିକାରୀ ଜାତିସଙ୍ଘରେ ପାକିସ୍ତାନକୁ କଡ଼ା ଜବାବ ଦେଇ ଚର୍ଚ୍ଚାକୁ ଆସିଥିଲେ। ସ୍ନେହା ଏବେ ସେମାନଙ୍କ ପଦାଙ୍କ ଅନୁସରଣ କରିଛନ୍ତି।

ପାକିସ୍ତାନ ଦଖଲ କରି ରଖିଥିବା ଭାରତୀୟ ଅଞ୍ଚଳ ଶୀଘ୍ର ଖାଲି କରୁ ବୋଲି ଭାରତ ଶନିବାର ଜାତିସଂଘରେ ସିଧାସଳଖ ଆହ୍ବାନ ଦେଇଛି। ଜାତିସଂଘରେ ନିଯୁକ୍ତ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦ୍ବାରା ଉତ୍ଥାପିତ କାଶ୍ମୀର ପ୍ରସଙ୍ଗ ଉପରେ ‘ଉତ୍ତର ଦେବାର ଅଧିକାର’ ସାବ୍ୟସ୍ତ ପୂର୍ବକ କଡ଼ା ଜବାବ ଦେଇ କହିଛନ୍ତି ଯେ ଇମ୍ରାନ ପ୍ରଥମେ ଜାମ୍ମୁ-କାଶ୍ମୀରର ଯେଉଁ ଅଂଶ ବେଆଇନ ଭାବେ ଦଖଲ କରି ରଖିଛନ୍ତି ତାହାକୁ ତୁରନ୍ତ ଖାଲି କରିବା ଦରକାର। ଏହି ଅଞ୍ଚଳକୁ ‘ପାକିସ୍ତାନ ଅଧିକୃତ କାଶ୍ମୀର’ କୁହାଯାଉଛି। ଦୀର୍ଘ ୭ଦଶନ୍ଧି ଧରି ଦଖଲ କରିଥିବା ଏହି ଅଞ୍ଚଳକୁ ପାକିସ୍ତାନ ଛାଡ଼ି ଦେଉ ବୋଲି ଦୁବେ ଆହ୍ବାନ ଦେଇଛନ୍ତି। ପାକ୍‌ ଅଧିକୃତ କାଶ୍ମୀରରୁ ପାକିସ୍ତାନକୁ ହଟାଇବା ପାଇଁ ଭାରତର ଘୋଷଣା ଇମ୍ରାନଙ୍କୁ ଚମକାଇ ଦେଇଛି। ସ୍ନେହା ଏହି ପରିପ୍ରେକ୍ଷୀରେ ୧୯୯୪ ଫେବୃଆରୀ ୨୨ରେ ଗୃହୀତ ସଂକଳ୍ପ ପ୍ରତି ଇମ୍ରାନଙ୍କୁ ଚେତାଇ ଦେଇଛନ୍ତି। ଏଥିରେ ଉକ୍ତ ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳକୁ ଖାଲି କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ସିମଳା ରାଜିନାମା ଆଧାରରେ ଏହି ପ୍ରସ୍ତାବ ଭାରତୀୟ ସଂସଦରେ ଗୃହୀତ ହୋଇଥିଲା। ସିମଳା ରାଜିନାମାରେ ପାକିସ୍ତାନ ଏହି ଅଞ୍ଚଳକୁ ଛାଡ଼ିଦେବା ପାଇଁ ଉଲ୍ଲେଖ ଥିଲେ ମଧ୍ୟ ଏହା ଅଦ୍ୟାବଧି କାର୍ଯ୍ୟକାରୀ କରି ନ ଥିବା ସ୍ନେହା ସ୍ମରଣ କରାଇ ଦେଇଥିଲେ।

ଏଥିସହିତ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଶିବିର ପ୍ରତିଷ୍ଠା ଓ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି। ସେମାନେ ନିର୍ଯାତିତ ହେବା ସହ ଭୟର ବାତାବରଣ ମଧ୍ୟରେ କାଳାତିପାତ କରୁଛନ୍ତି। ଜାତିସଂଘର ସଦସ୍ୟ ରାଷ୍ଟ୍ରମାନେ ପାକିସ୍ତାନର ଏଭଳି ମାନବାଧିକାର ଉଲ୍ଲଙ୍ଘନ ସମ୍ପର୍କରେ ଅବଗତ; ତେଣୁ ପାକିସ୍ତାନ ସର୍ବଥା ଏକ ନିନ୍ଦିତ ରାଷ୍ଟ୍ର। ଏହା ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ଏବଂ ସମଗ୍ର ବିଶ୍ବ ପ୍ରତି ବିପଦର କାରଣ ହୋଇଛି। ଏହା ସତ୍ତ୍ବେ କାଶ୍ମୀର ସମ୍ପର୍କରେ ଅପପ୍ରଚାର କରି ଏହା ଜାତିସଂଘ ମଞ୍ଚକୁ ବାରମ୍ବାର ଅପବ୍ୟବହାର ଓ ଅପବିତ୍ର କରିଆସୁଛି। ନିଜର ଦୁର୍ବଳତା ଘୋଡ଼ାଇବାକୁ ଏହା ଅପଚେଷ୍ଟା କରୁଛି। ଏହା ମିଛ ଶାନ୍ତିର କଥା କହୁଛି। ପାକିସ୍ତାନର ମିଛ ଧରାପକାଇବା ଆମର କାମ ବୋଲି ସ୍ନେହା କହିଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ଉପରେ କେହି ଆଖିପକାଇପାରିବେ ନାହିଁ ବୋଲି ସେ ଚେତାବନୀ ଶୁଣାଇଛନ୍ତି।

Comments are closed.