ଦେଶରେ ଶତପ୍ରତିଶତ ଟିକାକରଣ ନ ହେବା ଯାଏଁ କୋଭିଡ ଟିକା ରପ୍ତାନି ସମ୍ଭବ ନୁହେଁ

ଭାରତର ପ୍ରତିବନ୍ଧକ ୯୨ଟି ଦେଶ ଉପରେ ଗୁରୁତର ପ୍ରଭାବ ପକାଇଛି- ଡଃ ସ୍ବାମୀନାଥନ

ସରକାରଙ୍କ ଟିକା ରପ୍ତାନି ପ୍ରତିବନ୍ଧକ ନିଷ୍ପତ୍ତି ବିଜ୍ଞାନ ଆଧାରିତ ନୁହେଁ ବରଂ ରାଜନୀତି ଆଧାରିତ – ପ୍ରଫେସର ସାହିଦ ଜମିଲ

ଦେଶରେ ଶତପ୍ରତିଶତ ବୟସ୍କଙ୍କୁ ଟିକାକରଣ କରିବା ନେଇ କେନ୍ଦ୍ରର ପ୍ରାଥମିକତା ପରେ କୋଭିଡ -୧୯ ଟିକା ରପ୍ତାନି ଉପରେ ଥିବା ପ୍ରତିବନ୍ଧକକୁ ହଟାଇବା ସମ୍ଭବ ନୁହେଁ ବୋଲି କୋଭିଡ -୧୯ ଟିକାକରଣ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଅଧିକାରୀମାନେ କହିଛନ୍ତି।

ତେବେ ଏହି ପ୍ରତିବନ୍ଧକ କେବେ ହଟାଯାଇ ପାରିବ ସେ ନେଇ ଅଧିକାରୀମାନେ କୌଣସି ସୂଚନା ଦେଇ ନାହାଁନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଶତପ୍ରତିଶତ ବୟସ୍କଙ୍କୁ ପ୍ରଥମ ଡୋଜ ଟୀକାକରଣ ନହେବା ପର୍ଯ୍ୟନ୍ତ ଏବଂ ଭବିଷ୍ୟତ ପାଇଁ ଏହା ଉପଲବ୍ଧ ନହେବା ପର୍ଯ୍ୟନ୍ତ ଭାରତ ରପ୍ତାନି ଆରମ୍ଭ କରିବାର ସମ୍ଭାବନା ନାହିଁ। ଦେଶର ବର୍ତ୍ତମାନ ଧ୍ୟାନ ହେଉଛି ନିଜ ଜନସଂଖ୍ୟାକୁ ଟୀକାକରଣ କରିବା। ପ୍ରଥମେ ସମସ୍ତ ବୟସ୍କଙ୍କୁ ଟିକାର ପ୍ରଥମ ଡୋଜ ଦିଆଯିବା ପରେ ଓ ଦ୍ଵିତୀୟ ଡୋଜ ପାଇଁ ଷ୍ଟକ ନିଶ୍ଚିତ କରିବା ପରେ ଟିକା ରପ୍ତାନି ନେଇ ଚିନ୍ତା କରାଯିବ ବୋଲି ଜାତୀୟ ବୈଷୟିକ ଟିକାକରଣ ପରାମର୍ଶଦାତା ଗୋଷ୍ଠୀର ଅଧ୍ୟକ୍ଷ ଡକ୍ଟର ଏନ.କେ ଆରୋରା କହିଛନ୍ତି।

୨୦୧୧ ଶେଷ ହେବା ପୂର୍ବରୁ ଅନ୍ତତ ପକ୍ଷେ ଶତପ୍ରତିଶତ ବୟସ୍କ ଲୋକଙ୍କୁ ଗୋଟିଏ ଡୋଜ ଟିକା ଦେବା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଭାରତ ଏହାର ପଡ଼ୋଶୀ ଦେଶମାନଙ୍କୁ ଟୀକା ଯୋଗାଉଥିଲା ଏବଂ ଗରିବ ଦେଶମାନଙ୍କ ପାଇଁ ମୈତ୍ରୀ ଯୋଜନାରେ ଟିକା ଯୋଗାଉଥିଲା ଯାହା ଚଳିତ ବର୍ଷ ଏପ୍ରିଲ ମାସରୁ ବନ୍ଦ ରହିଛି। ଏହି କାର୍ଯ୍ୟକ୍ରମରେ ୯୫ଟି ଦେଶକୁ ୬୩ ମିଲିୟନରୁ ଅଧିକ ଡୋଜ ଟିକା ରପ୍ତାନି କରିବା ପରେ ତାହା ବନ୍ଦ କରାଯାଇ ଦେଶରେ ଶତପ୍ରତିଶତ ଟିକାକରଣ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଉଛି।

ଏହି ପଦକ୍ଷେପ ଅନେକ ଆଫ୍ରିକୀୟ ଏବଂ ଦକ୍ଷିଣ ଏସୀୟ ଦେଶର ଟିକାକରଣ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ନେପାଳ, ବାଂଲାଦେଶ ଏବଂ ଶ୍ରୀଲଙ୍କା ଭଳି ପଡ଼ୋଶୀମାନେ ବର୍ତ୍ତମାନ ଚାଇନାରେ ପ୍ରସ୍ତୁତ ଟିକା ଏବଂ ଅନ୍ୟ ଦେଶର ଦାନ ଉପରେ ନିର୍ଭର କରୁଛନ୍ତି। ରପ୍ତାନି ନିଷେଧ ପୂର୍ବରୁ ଭାରତ ଆଲବାନିଆକୁ ୫୦ ହଜାର ଏବଂ ସିରିଆକୁ ୨.୫ ଲକ୍ଷ ଡୋଜ ଟିକା ପଠାଇଥିଲା।

ତେବେ ସରକାରଙ୍କ ଦ୍ୱାରା ଟିକା ରପ୍ତାନି କ୍ଷେତ୍ରରେ ନିଆଯାଇଥିବା ନିଷ୍ପତ୍ତି ବିଜ୍ଞାନ ଆଧାରିତ ନୁହେଁ ବରଂ ରାଜନୀତି ଆଧାରିତ ବୋଲି କେନ୍ଦ୍ର ସରକାରଙ୍କ ସାରସ-କୋଭି-୨ ଜେନୋମିକ୍ସ କନ୍ସୋର୍ଟିୟାର ପୂର୍ବତନ ମୁଖ୍ୟ ପରାମର୍ଶଦାତା ପ୍ରଫେସର ସାହିଦ ଜମିଲ କହିଛନ୍ତି। ସେ କହିଛନ୍ତି ଯେ ଭାରତ ଦୁର୍ବଳ ଦେଶକୁ ଟିକା ରପ୍ତାନି ବନ୍ଦ କରିବା ଉଚିତ୍ ନୁହେଁ। ସମସ୍ତେ ସୁରକ୍ଷିତ ନହେବା ପର୍ଯ୍ୟନ୍ତ କେହି ସୁରକ୍ଷିତ ନୁହଁନ୍ତି ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡଃ ସ୍ବାମୀନାଥନ ନିକଟରେ ପ୍ରକାଶ କରିଛନ୍ତି ଯେ କରୋନା ଭାଇରସ୍ ଟିକା ରପ୍ତାନି ଉପରେ ଭାରତର ପ୍ରତିବନ୍ଧକ ୯୨ଟି ଦେଶ ଉପରେ ଗୁରୁତର ପ୍ରଭାବ ପକାଇଛି।

ଅଧିକ ସୂଚନା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://www.mea.gov.in/vaccine-supply.htm

Comments are closed.