ଭାରତୀୟ କ୍ରିକେଟ ଦଳର ଜିମ୍ବାୱେ ଗସ୍ତ ବାତିଲ

ନୂଆଦିଲ୍ଲୀ : ଶ୍ରୀଲଙ୍କା ଗସ୍ତ ବାତିଲ ପରେ ଏବେ ଦି ବୋର୍ଡ ଅଫ କ୍ରିକେଟ କଣ୍ଟ୍ରୋଲ ଇନ୍ ଇଣ୍ଡିଆ (ବିସିସିଆଇ) ଭାରତର ଜିମ୍ବାୱେ ଗସ୍ତକୁ ମଧ୍ୟ ବାତିଲ କରିଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି। ଭାରତୀୟ କ୍ରିକେଟ ଦଳ ଜୁନ୍ ଓ ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଯିବା ନେଇ କାର୍ୟ୍ୟସୂଚୀ ରହିଥିଲା। ଦେଶରେ କରୋନା ସ୍ଥିତିରେ ଉନ୍ନତି ନଆସିବାରୁ ବିସିସିଆଇ ଗୁରୁବାର ଶ୍ରୀଲଙ୍କା ଗସ୍ତକୁ ବାତିଲ କରିଛି। ସେହିପରି ଅଗଷ୍ଟ ମାସରେ ଜିମ୍ବାୱେ ଗସ୍ତ କରିବା ନେଇ ଭାରତୀୟ ଦଳର କାର୍ୟ୍ୟସୂଚୀ ରହିଥିଲେ ମଧ୍ୟ କରୋନା ମହାମାରୀ ପାଇଁ ଉକ୍ତ ଗସ୍ତକୁ ମଧ୍ୟ ଶୁକ୍ରବାର ବାତିଲ କରାଯାଇଛି ବୋଲି ଜୟ ଶାହ କହିଛନ୍ତି। ଭାରତୀୟ କ୍ରିକେଟ ଦଳ ଜୁନ୍‌ ୨୪ରୁ ଶ୍ରୀଲଙ୍କା ଗସ୍ତ କରି ୩ଟି ଏକଦିବସୀୟ ଓ ଟ୍ବେଣ୍ଟି୨୦ ମ୍ୟାଚ ଖେଳିବାର କାର୍ୟ୍ୟସୂଚୀ ରହିଥିଲା। ପରେପରେ ଅଗଷ୍ଟ ୨୨ରୁ ଜିମ୍ବାୱେ ଗସ୍ତ କରି ୩ଟି ଏକଦିବସୀୟ ମ୍ୟାଚ ଖେଳିବାର କାର୍ୟ୍ୟସୂଚୀ ରହିଥିଲା। ଭାରତରେ ଏବେ କରୋନା ସଂକ୍ରମଣ ଶୀର୍ଷ ସ୍ଥାନରେ ପହଞ୍ଚିଛି। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଭାରତୀୟ କ୍ରିକେଟ ଦଳର ଅଭ୍ୟାସ ଶିବିର ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଜୁଲାଇ ମାସରୁ ପ୍ରଶିକ୍ଷଣ ଶିବିର ଆରମ୍ଭ କରାଯିବାର ଲକ୍ଷ୍ୟ ରହିଛି। ଏସ୍‌ଓପି ଆଧାରରେ ଆଉଟ୍‌ଡୋର ଅଭ୍ୟାସ ନେଇ ବିସିସିଆଇ ଯୋଜନା କରୁଛି। ଖେଳାଳିମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସବୁଠାରୁ ଏବେ ଗୁରୁତ୍ବପୂର୍ଣ୍ଣ। ଘରୋଇ କ୍ରିକେଟ ମଧ୍ୟ ବାଧାପ୍ରାପ୍ତ ହୋଇଛି। କୋଭିଡ୍‌-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ସହିତ ଆଲୋଚନା କରାଯାଇ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ନେଇ ଚିନ୍ତା କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

Comments are closed.