ନାମିବ୍ୟା ସହ ଆଜି ସମ୍ମାନ ପାଇଁ ଖେଳିବ ଭାରତ

ଦୁବାଇ : ସବୁ ଆଶା ଧୂଳିସାତ୍‌ ହୋଇଛି । କୋଟି କୋଟି ଭାରତୀୟ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି ଆଫ୍‌ଗାନିସ୍ତାନ। ନ୍ୟୁଜିଲାଣ୍ଡ ନିକଟରୁ ଆଫ୍‌ଗାନିସ୍ତାନ ରବିବାର ପରାସ୍ତ ହେବା ପରେ ଭାରତର ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପର ସେମିଫାଇନାଲ ଖେଳିବା ଆଶା ସମାପ୍ତ ହୋଇଯାଇଛି। ନ୍ୟୁଜିଲାଣ୍ଡ ଏହି ବିଜୟ ସହ ସେମିଫାଇନାଲରେ ପହଞ୍ଚିଥିବା ବେଳେ ଭାରତର ଅଭିଯାନ ଶେଷ ହୋଇଯାଇଛି। ସୋମବାର ଭାରତ ପ୍ରତିଯୋଗିତାର ଶେଷ ଲିଗ୍‌ ମ୍ୟାଚ୍‌ ନାମିବ୍ୟା ସହିତ ଖେଳିବ। ଉକ୍ତ ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ବହୀନ ହୋଇଥିଲେ ମଧ୍ୟ ସମ୍ମାନ ରକ୍ଷା ପାଇଁ ଭାରତ ଖେଳିବ।
ଗ୍ରୁପ୍‌-୨ରେ ସ୍ଥାନ ପାଇଥିବା ବିରାଟ କୋହଲିଙ୍କ ନେତୃତ୍ବାଧିନ ଭାରତ ପ୍ରଥମ ମ୍ୟାଚରେ ୧୦ ୱିକେଟରେ ପାକିସ୍ତାନ ଓ ଦ୍ବିତୀୟ ମ୍ୟାଚରେ ୮ ୱିକେଟରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହେବା ପରେ ସେମିଫାଇନାଲ ଆଶା ଏକ ପ୍ରକାର ଶେଷ ହୋଇ ଯାଇଥିଲା। ୩ୟ ମ୍ୟାଚରେ ୬୬ ରନରେ ଆଫଗାନିସ୍ତାନକୁ ଓ ୪ର୍ଥ ମ୍ୟାଚରେ ୮ ୱିକେଟରେ ସ୍କଟ୍‌ଲାଣ୍ଡକୁ ପରାସ୍ତକରି ସେମିଫାଇନାଲର କ୍ଷୀଣ ଆଶା ବଜାୟ ରଖିଥିଲା। କିନ୍ତୁ ଆଫ୍‌ଗାନିସ୍ତାନ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହେବା ପରେ ଭାରତର ସମସ୍ତ ଆଶା ଶେଷ ହୋଇଯାଇଛି। ଭାରତୀୟ ଦଳ ଶେଷ ଲିଗ୍‌ ମ୍ୟାଚ କେବଳ ଔପଚାରିକତା ପାଇଁ ନାମିବ୍ୟା ସହିତ ଖେଳିବ। ଉକ୍ତ ମ୍ୟାଚରେ ଭାରତ ଏକାଧିକ ପରିବର୍ତ୍ତନ କରି ପଡ଼ିଆକୁ ଓହ୍ଲାଇବା ଆଶା କରାଯାଉଛି। କାରଣ ନାମିବ୍ୟା ବିପକ୍ଷ ବିଜୟ ଓ ପରାଜୟ ଭାରତର ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ ଅଭିଯାନ ଉପରେ କୌଣସି ପ୍ରଭାବ ପକାଇବାର ନାହିଁ। ଏହି ଦୃଷ୍ଟିରୁ କିଛି ପରିବର୍ତ୍ତନ କରି ଦଳ ଖେଳିବାର ଲକ୍ଷ୍ୟ କରାଯାଉଛି। ୱିକେଟ ରକ୍ଷକ ଈଶାନ କିଷନ ଓ ରାହୁଲ ଚହରଙ୍କୁ ଖେଳାଇବା ଆଶା କରାଯାଉଛି। ଉକ୍ତ ମ୍ୟାଚକୁ ଜିତି ଭାରତ ସମ୍ମାନର ସହିତ ଟ୍ବେଣ୍ଟି୨୦ ବିଶ୍ବକପ ଅଭିଯାନ ଶେଷକରିବା ଲକ୍ଷ୍ୟ ରଖିଛି। ସେହିପରି ନାମିବ୍ୟା ପ୍ରଥମ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରି ସୁପର-୧୨ରେ ପ୍ରବେଶ କରିଥିଲା। ସୁପର-୧୨ରେ ୪ଟି ମ୍ୟାଚ ଖେଳି ୩ଟି ପରାଜୟ ଓ ଗୋଟିଏ ବିଜୟ ହାସଲ କରିଛି। ନାମିବ୍ୟା ୫୨ ରନରେ ନ୍ୟୁଜିଲାଣ୍ଡ, ୪୯ ରନରେ ପାକିସ୍ତାନ ଓ ୧୩୦ ରନରେ ଆଫଗାନିସ୍ତାନ ନିକଟରୁ ପରାଜିତ ହୋଇଥିବାବେଳେ ସ୍କଟଲାଣ୍ଡକୁ ୬ ରନରେ ପରାସ୍ତ କରିଥିଲା। ଭାରତ ବିପକ୍ଷରେ ଚମତ୍କାରିତା କରିବା ନେଇ ନାମିବ୍ୟା ଲକ୍ଷ୍ୟ ରଖିଛି। ପୁଣି ଭାରତର ଟ୍ବେଣ୍ଟି୨୦ ଅଧିନାୟକ ଭାବେ ଶେଷ ମ୍ୟାଚ୍‌ ଜିତି ନେତୃତ୍ବରୁ ଓହରିଯିବାର ଲକ୍ଷ୍ୟ ବିରାଟ କୋହଲି ରଖିଛନ୍ତି।

Comments are closed.