ଫିକ୍ସ ହୋଇନଥିଲା ଭାରତର ୨ଟି ଟେଷ୍ଟମ୍ୟାଚ୍‌ – ଆଇସିସି

ଦୁବାଇ: ଗତ ଦଶନ୍ଧିରେ ଭାରତ ଖେଳିଥିବା ୨ଟି ଟେଷ୍ଟମ୍ୟାଚ୍‌ ଫିକ୍ସ ହୋଇଥିଲା ବୋଲି ଅଲ୍‌-ଜଜିରା ଟିଭି ଚ୍ୟାନେଲ ଦାବି କରିଥିଲା। ଏହି ୨ଟି ଟେଷ୍ଟମ୍ୟାଚ୍‌ ଥିଲା ୨୦୧୬ରେ ଚେନ୍ନଇରେ ଖେଳା ଯାଇଥିବା ଭାରତ-ଇଂଲଣ୍ଡ ମୁକାବିଲା ଓ ୨୦୧୭​‌େ​‌ର ରାଞ୍ଚିରେ ଖେଳା ଯାଇଥିବା ଭାରତ-ଅଷ୍ଟ୍ରେଲିଆ ମୁକାବିଲା। ତା’ର ଦାବିକୁ ସତ୍ୟ ବୋଲି ଦର୍ଶାଇବା ପାଇଁ ଅଲ୍‌-ଜଜିରା ୨୦୧୮ ମେ’ ୨୭ରେ ଏକ ବୃତ୍ତଚିତ୍ର ମଧ୍ୟ ପ୍ରସାରଣ କରିଥିଲା। ଏହି ବୃତ୍ତଚିତ୍ରର ନାମ ରହିଥିଲା ‘କ୍ରିକେଟ୍‌ସ ମ୍ୟାଚ୍‌ ଫିକ୍ସର୍ସ’। ଏହି ବୃତ୍ତଚିତ୍ର ପ୍ରସାରିତ ହେବା ପରେ କ୍ରିକେଟ୍‌ ଦୁନିଆରେ ହଇଚଇ ସୃଷ୍ଟି ହୋଇଥିଲା। ଫଳରେ ବାଧ୍ୟହୋଇ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଉପରୋକ୍ତ ଦାବିର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଆଇସିସି ସ୍ପଷ୍ଟଭାବେ କହିଛି ଯେ ଉପରୋକ୍ତ ୨ଟିଯାକ ଟେଷ୍ଟମ୍ୟାଚ୍‌ ଆଦୌ ଫିକ୍ସ ହୋଇନଥିଲା। ଉକ୍ତ ଟିଭି ଚ୍ୟାନେଲ ମିଥ୍ୟା ଖବର ପ୍ରସାରଣ କରିଥିଲା ବୋଲି ଆଇସିସି ସ୍ପଷ୍ଟ କରିଛି।

ଆଇସିସି ଅନୁସାରେ, ଆମର ତଦନ୍ତ ୩ଟି ଦିଗ ଉପ​‌େ​‌ର ପର୍ଯ୍ୟବେଶିତ ଥିଲା। ପ୍ରଥମଟି ହେଉଛି ଉକ୍ତ ବୃତ୍ତଚିତ୍ରରେ କରା ଯାଇଥିବା ଦାବି; ଦ୍ବିତୀୟଟି ହେଉଛି ଯେଉଁମାନଙ୍କର ଏଥିରେ ସମ୍ପୃକ୍ତି ଥିଲା ବା ଯେଉଁମାନେ ଦୁର୍ନୀତି କରିଥିଲେ ବୋଲି ସନ୍ଦେହ ଉପୁଜିଥିଲା ଏବଂ ତୃତୀୟଟି ହେଲା ଉକ୍ତ କାର୍ଯ୍ୟକ୍ରମ କିପରି ପ୍ରମାଣ ଯୋଗାଡ଼ କରିପାରିଲା? ତଦନ୍ତ ବେଳେ ଆଇସିସି ୪ଟି ପୃଥକ୍ ସ୍ବତନ୍ତ ବେଟିଂ ଓ କ୍ରିକେଟ୍‌ ବିଶେଷଜ୍ଞ ସଂସ୍ଥାଙ୍କୁ ବୃତ୍ତଚିତ୍ରରେ କରା ଯାଇଥିବା ଦାବିର ସତ୍ୟାସତ୍ୟର ବିଶ୍ଳେଷଣ କରିବା ସହ ଏହା କେତେ ସତ; ତାହାର ଯାଞ୍ଚକରିବା।

୪ଟିଯାକ ବେଟିଂ ଓ କ୍ରିକେଟ୍‌ ବିଶେଷଜ୍ଞ ଦର୍ଶାଇଥିଲେ ଯେ ଉକ୍ତ ବୃତ୍ତଚିତ୍ରରେ ଉଭୟ ଟେଷ୍ଟମ୍ୟାଚ୍‌ର ଯେଉଁ ଭାଗ ଦେଖାଇ ଉଭୟ ଟେଷ୍ଟମ୍ୟାଚ୍‌ର ଯେଉଁ ଅଂଶ ଦେଖାଇ ଏହା ଫିକ୍ସ ହୋଇଛି ବୋଲି ଦାବି କରିଥିଲା; ମ୍ୟାଚ୍‌ର ଉଭୟ ଅଂଶ ଆଶା ଅନୁସାରେ ଖେଳା ଯାଇଥିଲା। ତେଣୁ ମ୍ୟାଚ୍‌ ଫିକ୍ସିଂର ପ୍ରଶ୍ନ ଉଠୁଛି କେଉଁଠି? ଉକ୍ତ ବୃତ୍ତଚିତ୍ରରେ ସେମାନଙ୍କ ମତାମତ ଦେଇଥିବା ୫ ଜଣଯାକ ବ୍ୟକ୍ତିଙ୍କ୍ୁ ମଧ୍ୟ ଆଇସିସିର ତଦନ୍ତକାରୀ ଦଳ ଭେଟି ସେମାନଙ୍କ ପକ୍ଷ ରଖିବାକୁ କହିଥିଲେ। ସେମାନେ ମଧ୍ୟ ମ୍ୟାଚ୍‌ ଫିକ୍ସିଂର କୌଣସି ପ୍ରମାଣ ଦେଇନଥିଲେ। ଆଇସିସିର ଜେରାର ସମ୍ମୁଖୀନ ହୋଇଥିବା ଉକ୍ତ ୫ ଜଣ ବ୍ୟକ୍ତିଙ୍କ ନାମ ଆଇସିସି ଗୋପନ ରଖିଛି। ତେବେ ଜାଣିବାକୁ ମିଳିଛି ଯେ ସେମାନେ ହେଲେ ପାକିସ୍ତାନର ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର ହାସନ୍ ରାଜା ଏବଂ ଶ୍ରୀଲଙ୍କାର ତରଙ୍ଗା ଇଣ୍ଡିକା ଓ ତରିନ୍ଦୁ ମେଣ୍ଡିସ୍‌। ଉକ୍ତ ବୃତ୍ତଚିତ୍ରରେ ମୁମ୍ବଇ ଓ ଓଡ଼ିଶା ପାଇଁ ରଣଜୀ ଟ୍ରଫି ଖେଳିଥିବା ରବିନ୍ ମରିସ୍‌ଙ୍କୁ ମଧ୍ୟ ଦେଖା ଯାଇଥିବା ବେଳେ ତାଙ୍କୁ ତଦନ୍ତରେ ସାମିଲ କରା ଯାଇଥିଲା।

ଉକ୍ତ ୫ ଜଣଙ୍କ ବିରୋଧରେ କୌଣସି ପ୍ରମାଣ ନଥିବାରୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଆଇସିସି କହିଛି। କାରଣ ବୃତ୍ତଚିତ୍ରରେ​‌ ଯାହା ଦେଖା ଯାଇଥିଲା ଏବଂ ଉକ୍ତ ୫ ଜଣ ତଦନ୍ତ କମିଟିକୁ ଯାହା କହିଥିଲେ; ସେଥିରେ ବହୁତ ଫରକ ଥିଲା। ତେଣୁ ଉପରୋକ୍ତ ୨ଟି ଟେଷ୍ଟମ୍ୟାଚ୍ ଫିକ୍ସ ହୋଇନଥିଲା ବୋଲି କହି ଆଇସିସି ତଦନ୍ତ ସମାପ୍ତ କରିଛି।

Comments are closed.