ଜିମ୍ବାୱେ ଗସ୍ତ : ଲକ୍ଷ୍ମଣ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ

ନୂଆଦିଲ୍ଲୀ  : ଭାରତୀୟ କ୍ରିକେଟ ଦଳ ୬ ବର୍ଷ ପରେ ଜିମ୍ବାୱେ ଗସ୍ତ କରିବାକୁ ଯାଉଛି। ଦଳ ଘରୋଇ ଜିମ୍ବାୱେ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ମ୍ୟାଚ ଚଳିତ ଅଗଷ୍ଟ ୧୮ରୁ ୨୨ ପର୍ଯ୍ୟନ୍ତ ହାରାରେ ସ୍ପୋଟ୍‌ସ କ୍ଲବରେ ଖେଳିବ। ଲୋକେଶ ରାହୁଲଙ୍କ ଅଧିନାୟକତ୍ବରେ ଭାରତୀୟ କ୍ରିକେଟ ଦଳ ଜିମ୍ବାୱେ ଗସ୍ତ କରିବ। ଦଳରେ ଉପ ଅଧିନାୟକ ଭାବେ ଶିଖର ଧାୱନ ରହିଥିବାବେଳେ ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମ୍‌ରାଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଜିମ୍ବାୱେ ଗସ୍ତରେ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ଏ ନେଇ ବିସିସିଆଇ ସମ୍ପାଦକ ଜୟ ଶାହା ସୂଚନା ଦେଇଛନ୍ତି। ଅଗଷ୍ଟ ୨୭ରୁ ଏସିଆ କପ୍‌ ଆରମ୍ଭ ହେବାକୁ ଥିବାରୁ ରାହୁଲ ଦ୍ରାବିଡ଼ଙ୍କୁ ବିଶ୍ରାମ ଦିଆଯାଇଛି। ଦ୍ରାବିଡ଼ଙ୍କ ସ୍ଥାନରେ ଲକ୍ଷ୍ମଣଙ୍କୁ ଜିମ୍ବାୱେ ଗସ୍ତରେ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ସୂଚନାଯୋଗ୍ୟ ଶେଷ ଥର ପାଇଁ ୨୦୧୬ ଜୁନ-ଜୁଲାଇରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ଦଳ ଜିମ୍ବାୱେ ଗସ୍ତ କରିଥିଲା। ୬ ବର୍ଷ ପରେ ପୁଣି ଥରେ ଭାରତୀୟ କ୍ରିକେଟ ଦଳ ଜିମ୍ବାୱେ ଗସ୍ତ କରୁଥିବାରୁ ଦଳ ଭଲ ପ୍ରଦର୍ଶନ ନେଇ ଆଶା ରଖିଛି।

Comments are closed.