ନଜର ଆଢ଼ୁଆଳରେ ସ୍ବାଧୀନ ଭାରତର ୭ କିମ୍ବଦନ୍ତୀ କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ: ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଉପଲକ୍ଷେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି। ସ୍ବାଧୀନ ଭାରତର କିଛି କ୍ରୀଡ଼ାବିତ୍‌ ଦେଶ ପାଇଁ କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ଅ​‌େ​‌ନକ କିମ୍ବଦନ୍ତୀ କ୍ରୀଡ଼ାବିତ୍‌ ସେମାନଙ୍କ ଛାପା ଛାଡ଼ି ଚାଲି ଯାଇଛନ୍ତି। ଆଜି ମଧ୍ୟ ସେପରି କ୍ରୀଡ଼ାବିତ୍‌ ଓ ସେମାନଙ୍କ କୃତିତ୍ବକୁ ଆମେ ମନେ ପକାଉଛୁ। ସୋମନଙ୍କ ଉଦାହରଣ ଦେଉଛୁ। ସେମାନେ ଅଗଣିତ କ୍ରୀଡ଼ାଲିପ୍‌ସୁଙ୍କୁ ପାଇଁ ପ୍ରେରଣା। ସେମାନେ କିମ୍ବଦନ୍ତୀର ମାନ୍ୟତା ପାଇଛନ୍ତି। ହେଲେ ଏପରି କିଛି କ୍ରିଡ଼ାବିତ୍‌ ଅଛନ୍ତି ଯେଉଁମାନେ ତାଙ୍କ ପ୍ରଦର୍ଶନ ଦ୍ବାରା ଭାରତକୁ ଗର୍ବିତ କରିଛନ୍ତି। ହେଲେ କାହିଁକି କେଜାଣି ସେମାନେ କ୍ରୀଡ଼ାପ୍ରେମୀଙ୍କ ନଜର ଆଢ଼ୁଆଳରେ ରହିଯାଇଛନ୍ତି। ଏପରି କିଛି କିମ୍ବଦନ୍ତୀ କ୍ରୀଡ଼ାବିତ୍‌ଙ୍କୁ ନେଇ ଉପସ୍ଥାପନା।

ଡ. ଟାଲିମେରେନ୍‌ ଆଓ: ସ୍ବାଧୀନ ଭାରତର ପ୍ରଥମ ପୁରୁଷ ଫୁଟବଲ ଦଳର ଅଧିନାୟକ ଥିଲେ ଡ. ଟାଲିମେରେନ୍‌ ଆଓ। ୧୯୪୮ ଲଣ୍ଡନ ଅଲିମ୍ପିକ୍‌ସରେ ଟାଲିମିରିନଙ୍କ ନେତୃତ୍ବରେ ଭାରତ ପ୍ରତିନିଧିତ୍ବ କରିଥିଲା। ଫ୍ରାନ୍‌ସ ନିକଟରୁ ୨-୧ ପେନାଲ୍ଟି ସୁଟ୍‌ଆଉଟ୍‌ରେ ପରାଜିତ ହୋଇଥିଲା ଭାରତ। ନାଗାଲାଣ୍ଡର ଟାଲିମେରେନ୍‌ଙ୍କ ଚମତ୍କାର ପ୍ରଦର୍ଶନ ବେଶ ଚର୍ଚ୍ଚାରେ ଥିଲା। ଉକ୍ତ ସଫଳତା ପରେ ଟାଲିମିରିନଙ୍କ ଆର୍ସେନେଲ କ୍ଲବ ଖେଳିବା ନେଇ ପ୍ରସ୍ତାବ ଦେଇଥିଲେ ମଧ୍ୟ ​‌େ​‌ସ ଖେଳିନଥିଲେ। ୧୯୭୮ରେ ନାଗାଲାଣ୍ଡର ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ ଭାବେ ଅବସର ନେଇଥିଲେ।
ସଚିନ ନାଗ୍‌ : ଏସୀୟ କ୍ରୀଡ଼ାରେ ପ୍ରଥମ ଭାରତୀୟ ଭାବେ ସନ୍ତରଣରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ସଚିନ ନାଗ୍‌। ନାଗାଲାଣ୍ଡର ସଚିନ ୧୯୫୧ରେ ଦିଲ୍ଲୀରେ ଆୟୋଜିତ ଏସୀୟ କ୍ରୀଡ଼ାରେ ସନ୍ତରଣରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସନ୍ତରଣ ସହ ସଚିନ ୱାଟର ପୋଲୋରେ ମଧ୍ୟ ପାରଙ୍ଗମ ଥିଲେ। ୧୯୪୮ ଲଣ୍ଡନ ଅଲିମ୍ପିକ୍‌ସରେ ସଚିନଙ୍କ ୪ଟି ଗୋଲ ବଳରେ ଭାରତ ୭-୪ ଗୋଲରେ ଚୀନ୍‌କୁ ପରାସ୍ତ କରିଥିଲା।

ନେଭିଲ୍‌ ଡି ସୌଜା: ୧୯୫୬ ମେଲବୋର୍ଣ୍ଣ ଅଲିମ୍ପିକ୍‌ସ ଫୁଟବଲରେ ଭାରତ ୪-୨ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ନେଭିଲ୍‌ ଡି ସୌଜା ୩ଟି ଗୋଲ ଦେଇଥିଲେ। ଏହା ଉକ୍ତ ଅଲିମ୍ପିକ୍‌ସରେ ପ୍ରଥମ ହ୍ୟାଟ୍ରିକ ଥିଲା। ଭାରତ ସେମଫାଇନାଲରେ ଚେକୋସ୍ଲୋଭାକିଆ ନିକଟରୁ ପରାଜିତ ହୋଇଥିଲେ ମଧ୍ୟ ଡିସୋଜାଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା।

ଶଙ୍କର ଲକ୍ଷ୍ମଣ : ୩ଥର ଅଲିମ୍ପିକ୍‌ସ ଚମ୍ପିଆନ ତଥା ଆର୍ମି ମ୍ୟାନ ଭାବେ ପରିଚିତ ଶଙ୍କର ଲକ୍ଷ୍ମଣ ୧୯୬୪ ଟୋକିଓ ଅଲିମ୍ପିକ୍‌ସ ପାକିସ୍ତାନ ବିପକ୍ଷ ହକି ଫାଇନାଲରେ ମହିନ୍ଦର ଲାଲଙ୍କ ପେନାଲ୍ଟି କର୍ଣ୍ଣରକୁ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ଉକ୍ତ ଫାଇନାଲରେ ଭାରତ ଗୋଟିଏ ଗୋଲରେ ପାକିସ୍ତାନକୁ ପରାସ୍ତକରି ସ୍ବର୍ଣ୍ଣ ପଦକ ଜିିତିଥିଲା। ୧୯୬୬ ଏସୀୟ କ୍ରୀଡ଼ାରେ ଲକ୍ଷ୍ମଣଙ୍କ ନେତୃତ୍ବରେ ଭାରତ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା।

ମୁରଲୀକାନ୍ତ ପେଟ୍‌କର : ଭାରତୀୟ କ୍ରୀଡ଼ା ଇତିହାସରେ ପ୍ରଥମ ପାରଲିମ୍ପିକ୍‌ସ ପଦକ ଜିତିଥିଲେ ମୁରଲୀକାନ୍ତ ପେଟ୍‌କର। ୧୯୭୨ ହେଡେଲବର୍ଗ ପାରାଲିମ୍ପିକ୍‌ସରେ ମୁରଲୀକାନ୍ତ ପେଟ୍‌କର ସ୍ବର୍ଣ୍ଣ ପଦକ ଜିତିଥିଲେ। ମୂରଲୀକାନ୍ତ ସନ୍ତରଣ ୫୦ ମିଟର ଫ୍ରିଷ୍ଟାଇଲ ବର୍ଗରେ ୩୭.୩ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ।
ଶାନ୍ତି ମଲିକ : ଭାରତର ପ୍ରଥମ ମହିଳା ଫୁଟବଲର ଭା​‌େ​‌ବ ଶାନ୍ତି ମଲିକ ଅର୍ଜୁନ ପୁରସ୍କାର ହାସଲ କରିଥିଲେ। ଶାନ୍ତି ୧୯୭୦ରୁ ୧୯୮୦ ପର୍ଯ୍ୟନ୍ତ ଭାରତୀୟ ମହିଳା ଫୁଟବଲ ଦଳ ପକ୍ଷରୁ ସ୍ବିଡେନ, ଥାଇଲାଣ୍ଡ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଆଦି ଦଳ ବିପକ୍ଷରେ ମ୍ୟାଚ ଖେଳିଥିଲେ। ୧୯୮୦ ଓ ୧୯୮୩ରେ ଭାରତୀୟ ମହିଳା ଫୁଟବଲ ଦଳ ଏସିଆନ ଚମ୍ପିଆନସିପରେ ଶାନ୍ତିଙ୍କ ନେତୃତ୍ବରେ ରନର୍ସଅପ ହୋଇଥିଲା। ଏହାଛଡ଼ା ଶାନ୍ତି ହକି ମଧ୍ୟ ଖେଳିବାରେ ଦକ୍ଷତା ରଖିଥିଲେ।

ଜିମି ଜର୍ଜ : ଭାରତର ସର୍ବଶ୍ରେଷ୍ଠ ଭଲିବଲ ଖେଳାଳି ଭାବେ ଜିମି ଜର୍ଜଙ୍କ ସୁନାମ ରହିଛି। ମାତ୍ର ୨୧ ବର୍ଷ ବୟସରେ ଜିମି ଅର୍ଜୁନ ପୁରସ୍କାର ହାସଲ କରିଥିଲେ। ଇଟାଲିଆନ ଭଲିବଲ ଲିଗ୍‌ରେ ଜିମି ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କ ଖେଳକୁ ଦେଖି ଇଟାଲି ଭଲିବଲ ଦଳ ଉକ୍ତ ଦେଶ ପାଇଁ ଖେଳିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲା। ୧୯୮୭ରେ ସଡ଼କ ଦୁର୍ଘଟଣାରେ ମାତ୍ର ୩୨ ବର୍ଷ ବୟସରେ ଜିମିଙ୍କ ଦେହାନ୍ତ ହୋଇଥିଲା।

Comments are closed.