୩ୟ ଦିନିକିଆ ଆଜି, ସମ୍ମାନ ପାଇଁ ଖେଳିବ ଭାରତ

କେପ୍‌ଟାଉନ୍‌: ଗତମାସ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ କ୍ରିକେଟ୍‌ ଦଳ ଯିବା ପୂର୍ବରୁ କ୍ରିକେଟ୍‌ ଦୁନିଆର ଭବିଷ୍ୟବାଣୀ ଥିଲା ଯେ ଉଭୟ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳାରେ ଭାରତ ବିଜୟୀ ହେବ। ପ୍ରଥମ ଟେଷ୍ଟକୁ ସହଜରେ ଜିତି ଭାରତ ଅଭିଯାନ ଆରମ୍ଭ କରିଥିଲା। ହେଲେ ଉକ୍ତ ମ୍ୟାଚ୍‌ ପରେ ଯାହା ଘଟିଛି; ତାହା କେହି ବି ଆାଶା କରି ପାରିନଥିଲେ। ପଛୁଆ ଥାଇ ଦକ୍ଷିଣ ଆଫ୍ରିକା ଟେଷ୍ଟ ଶୃଙ୍ଖଳା ଜିତିଛି। ପାର୍ଲରେ ଦିନିକିଆ ଶୃଙ୍ଖଳାର ୨ଟି ମ୍ୟାଚ୍‌ ଖେଳା ଯାଇଥିବା ବେଳେ ଏହାର ପିଚ୍ ଭାରତୀୟ ପିଚ୍ ପରି ଥିଲା। ତଥାପି ଉଭୟ ମ୍ୟାଚ୍‌କୁ ସହଜରେ ଘରୋଇ ଦକ୍ଷିଣ ଆଫ୍ରିକା ଜିତିନେଇଛି। ଫଳରେ​‌ ଉଭୟ ଶୃଙ୍ଖଳା ଦକ୍ଷିଣ ଆଫ୍ରିକା ଜିତିନେଇଛି। ବ୍ୟାଟିଂ, ବୋଲିଂ ଓ ନେତୃତ୍ବ- ସମସ୍ତ ବିଭାଗରେ ଭାରତକୁ ବହୁତ ପଛରେ ପକାଇ ଦେଇଛି ଦକ୍ଷିଣ ଆଫ୍ରିକା। ଦିନିକିଆ ଶୃଙ୍ଖଳାରେ ୨-୦ରେ ଆଗୁଆ ଥାଇ ଦକ୍ଷିଣ ଆଫ୍ରିକା ଏହାକୁ ହାତେଇ ନେଇଛି।

ରବିବାର ଏଠାରେ ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତି କିଞ୍ଚିତ୍ ସମ୍ମାନ ଫେରି ପାଇବାକୁ ଭାରତୀୟ ଦଳ ଚାହିଁବ। ଗସ୍ତର ଆରମ୍ଭ ଓ ଶେଷ ମ୍ୟାଚ୍‌ ଜିତି ସ୍ବଦେଶ ଫେରିବା ଭାରତୀୟ ଦଳର ଲକ୍ଷ୍ୟ ରହିବ। ଅନ୍ୟପକ୍ଷରେ ଶୃଙ୍ଖଳାକୁ ୩-୦ରେ ଜିତିବା ପାଇଁ ଦକ୍ଷିଣ ଆଫ୍ରିକା ଆଦୌ ଢିଲାପଣ ଦେଖାଇବ ନାହିଁ।
ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବାଭୁମା ଓ ରାସି ଭାନ୍‌ ଡର୍ ଡ୍ୟୁସେନ୍ ଶତକ ମାରିଥିବା ବେଳେ ଘରୋଇ ବୋଲର ଭାରତୀୟ ମଧ୍ୟକ୍ରମକୁ ଧ୍ବସ୍ତ କରିଥିଲେ। ୨ୟ ମ୍ୟାଚ୍‌ରେ ସହଜରେ ଦକ୍ଷିଣ ଆଫ୍ରିକା ୨୮୮ ରନ୍‌ର ପିଛାକରି ଜିତିଥିଲା। ଅସ୍ଥାୟୀ ଅଧିନାୟକ କେ.ଏଲ୍‌. ରାହୁଲଙ୍କୁ ଜଣେ ମ୍ୟାଚ୍‌ ବିଜେତା ଭାବେ ଗଣନା କରା ଯାଉଥିବା ବେଳେ ତାଙ୍କର ୬୯.୭୯ ଷ୍ଟ୍ରାଇକ୍‌ରେଟ୍‌ ଅନେକଙ୍କୁ ଚକିତ କରିଛି। ପାର୍ଲର ପିଚ୍‌ ସ୍ପିନରଙ୍କୁ ସହାୟତା ଦେଇଥିବା ବେଳେ ଉଭୟ ମ୍ୟାଚ୍‌ରେ ୨ ଭାରତୀୟ ସ୍ପିନର ମିଳିତ ଭାବେ ୨ଟି ୱିକେଟ ନେଇଛନ୍ତି। ଦଳକୁ ଫେରିବା ପରେ ଆର୍. ଅଶ୍ବିନ ୨ ମ୍ୟାଚ୍‌ରୁ ୧୨୧ ରନ୍‌ ଦେଇ ଗୋଟିଏ ୱିକେଟ ପାଇଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ୩ ସ୍ପିନର ତାଙ୍କ ପେସ୍ ବୋଲରଙ୍କଠାରୁ ଅଧିକ ୱିକେଟ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚ୍‌ରେ ମୋଟ ୭ଟି ୱିକେଟ ହରାଇଥିବା ବେଳେ ଭାରତ ୧୪ଟି ୱିକେଟ ହରାଇଛି। ଅଦ୍ୟାବଧି କ୍ରିଜ୍‌କୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକାର ସମସ୍ତ ବ୍ୟାଟ୍‌ସମ୍ୟାନ୍‌ ରନ୍‌ କରିଛନ୍ତି। ରାସି ଭାନ୍ ଡର୍ ଡ୍ୟୁସେନ୍ ୧୬୦ରୁ ଅଧିକ ରନ୍‌ ସ୍କୋର୍‌କରି ଥରେ ମଧ୍ୟ ଆଉଟ ହୋଇ ନାହାନ୍ତି। ୨ୟ ମ୍ୟାଚ୍‌ରେ କ୍ବିଣ୍ଟନ ଡି କକ୍‌ ଏପରି ଆକ୍ରମଣ କଲେ; ଯାହା ଭାରତୀୟ ବୋଲରଙ୍କ ମନୋବଳ ଭାଙ୍ଗି ଦେଇଥିଲା। ଅଶ୍ବିନଙ୍କ ସହ ବରିଷ୍ଠ ବୋଲର ଭୁବନେଶ୍ବର କୁମାର ଭାରତକୁ ନିରାଶ କରିଛନ୍ତି। ରବିବାର ୩ୟ ଦିନିକିଆରେ ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦେଇ ଭାରତ ମହମ୍ମଦ ସିରାଜ୍‌ଙ୍କୁ ସୁଯୋଗ ଦେଇପାରେ। ପୁଣି ଭୁବନେଶ୍ବରଙ୍କ ସ୍ଥାନରେ ଦୀପକ ଚହର ଖେଳିପାରନ୍ତି। ଦକ୍ଷିଣ ଆଫ୍ରିକା ଲୁଙ୍ଗି ଏନ୍‌ଗିଡିଙ୍କୁ ବିଶ୍ରାମଦେଇ ମାର୍କୋ ୟାନ୍‌ସେନ୍‌ କିମ୍ବା ଡ୍ବେନ୍ ପ୍ରିଟୋରିୟସ୍‌ଙ୍କୁ ଖେଳାଇପାରେ। ପାର୍ଲଠାରୁ କେପ୍‌ ଟାଉନ୍‌ରେ ତାପମାତ୍ରା କମ୍ ରହିବ। କେପ୍‌ ଟାଉନ୍‌ରେ ଦକ୍ଷିଣ ଆଫ୍ରିକା ୩୭ଟି ଦିନିକିଆ ଖେଳି ୩୧ଟିରେ​‌ ବିଜୟୀ ହୋଇଛି। ବିରାଟ କୋହଲି ୬୪ଟି ଆନ୍ତର୍ଜାତିକ ଇନିଂସରେ ଶତକ ହାସଲ କରି ପାରିନାହାନ୍ତି।

Comments are closed.