ବଦଳିଲା ଚୀନ ସ୍ବର: ତିକ୍ତ-ମଧୁର ସମ୍ପର୍କ ସ୍ବାଭାବିକ କଥା, ଭାରତ ପରିସ୍ଥିତିକୁ ଆଉ ଜଟିଳ ନ କରୁ

ଦୁଇ ଦେଶ ମଧ୍ୟରେ ସନ୍ଦେହ ପରିବର୍ତ୍ତେ ବିଶ୍ଵାସ ସ୍ଥାପନ ଜରୁରୀ: ଚୀନ୍ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଲାଦାଖର ଗଲୱାନରେ ଚାଲିଥିବା ସୀମା ବିବାଦ ଭାରତ ଓ ଚୀନ ସମ୍ପର୍କରେ ଆଣିଛି ତିକ୍ତତା । ଚୀନର ମୁକାବିଲା ପାଇଁ ଭାରତ ପୁରା ପ୍ରସ୍ତୁତ ହୋଇ ରହିଛି ।  ଭାରତ ସମର୍ଥନରେ ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ଆଗକୁ ବାହାରି ଆସିଛନ୍ତି । ଭାରତ ଜରିଆରେ ଚୀନକୁ ପାନେ ଦେବା ନିମନ୍ତେ ଏହି ଦେଶ ଅଣ୍ଟା ଭିଡ଼ିଛନ୍ତି । ସେହିପରି ଚୀନ ଲଢ଼ୁଆ ବିମାନର ମୁକାବିଲା ପାଇଁ ହିମାଚଳ ପାହାଡ଼ ଉପରେ ଗର୍ଜୁଛି ରାଫେଲ । ଚୀନର ୩୬ ଯୁଦ୍ଧ ବିମାନ ମୁକାବିଲା ନିମନ୍ତେ ୫ ରାଫେଲ ଓ କିଛି ସୁଖୋଇ ୩୦ବିମାନ ଓ ଲଢ଼ୁଆ ହେଲିକପ୍ଟର ମୁତୟନ କରିଛି ଭାରତ । ରାଫେଲ ସାରା ରାତି ହିମାଚଳ ପାହାଡ଼ ଉପରେ ପହରା ଦେଉଛି । ଅନ୍ୟପକ୍ଷରେ ଆବଶ୍ୟକସ୍ଥଳେ ଭାରତକୁ ସହାୟତା ଦେବାକୁ ଆମେରିକାର ଅତ୍ୟାଧୁନିକ ବୋମାବର୍ଷୀ ବିମାନ ବି-୨ ଏସଏସବି ଭାରତୀୟ ମହାସାଗରେ ନିଜ ନୌସେନା ଘାଟିରେ ମୁତୟନ କରିଛି ।  ଏହି ସ୍ଥିତିରେ ଚୀନର ସ୍ବର ନରମ ପଡ଼ିଥିବା ଲକ୍ଷ୍ୟ କରାଯାଉଛି । ସୀମା ବିବାଦକୁ ଭାରତ ଆଉ ଜଟିଳ ନ କରି ସମାଧାନ ନିମନ୍ତେ ଆଗେଇବ ବୋଲି ଆଶା କରିଛି ଚୀନ ।

>
ବିବିସିରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତସ୍ଥିତ ଚୀନ ଦୂତାବାସ ମୁଖପାତ୍ର ଜି ରୋଙ୍ଗ ଟ୍ବିଟ୍ କରି ଦୁଇ ଦେଶ ଏହି ମାମଲାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି ଯେ ଆଶା କରୁଛୁ ଯେ ଭାରତ ଏପରି କିଛି ପଦକ୍ଷେପ ଗ୍ରହଣ କରିନାହିଁ, ଯାହା ଫଳରେ ସୀମାନ୍ତରେ ସ୍ଥିତି ଆହୁରି ଜଟିଳ ହେବ ।  ଭାରତ ସୀମାନ୍ତବର୍ତୀ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ନିମନ୍ତେ ଉପଯୁକ୍ତ ପରିବେଶ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି । ଏହା ସହ ଦ୍ବିପାକ୍ଷିକ ସମ୍ପର୍କ ପ୍ରଗତି ନିମନ୍ତେ ଭଲ ବୋଲି ଟ୍ବିଟରେ ଜି ରୋଙ୍ଗ ଲେଖିଛନ୍ତି ।

ଚୀନ ସହ ସୀମା ସଂଘର୍ଷ ଦୀର୍ଘଦିନ ଚାଲିପାରେ ବୋଲି ଭାରତ ଆଶଙ୍କା କରୁଥିବାବେଳେ ଚୀନ ଦୂତାବାସ ମୁଖପାତ୍ର କହିଛନ୍ତି ଯେ ଭାରତ – ଚୀନ କୂଟନୈତିକ ଓ ସେନାସ୍ତରୀୟ ଆଲୋଚନା ଜାରି ରଖିଛନ୍ତି । ଏହି ସ୍ଥିତିରେ ଭାରତରେ ଚୀନ ଦୂତାବାସ ପକ୍ଷରୁ ପ୍ରକାଶିତ ପତ୍ରିକାର ଜୁଲାଇ ସଂଖ୍ୟାରେ ଭାରତ-ଚୀନ ସମ୍ପର୍କ ବିସ୍ତୃତ ବର୍ଣନା କରାଯାଇଛି । ଏଥିରେ ଚୀନ  ରାଷ୍ଟ୍ରଦୂତ ସୁଙ୍ଗ ବିଡ଼ାଙ୍ଗ ଲେଖିଛନ୍ତି ଯେ କୌଣସି କୌଣସି ସମୟରେ ସମ୍ପର୍କ ମଧୁର-ତିକ୍ତ ହେବା ସାଧାରଣ କଥା। ଭାରତ ଓ ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ଓ ସୀମାରେ ଘଟିଥିବା ଦୁର୍ଭାଗ୍ୟପୂର୍ଣ ଘଟଣା​‌ରେ ଦୁଇ ଦେଶ ଓ ଏହାର ନେତା  ସି ଜିଙ୍ଗପିଙ୍ଗ ଓ ନରେନ୍ଦ୍ର ମୋଦୀଙ୍କ ଦ୍ବିପାକ୍ଷିକ ସମ୍ପର୍କର ଦୂରଦୃଷ୍ଟି ପଥଭ୍ରଷ୍ଟ ହେବା ଉଚିତ ନୁହେଁ । ସେ ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ହ୍ରାସ ଘଟିିଥିବା ଉଲ୍ଲେଖ କରି ଭାରତ-ଚୀନ ପରସ୍ପରର ପ୍ରତିଦ୍ବନ୍ଦ୍ବୀ ନୁହନ୍ତି ବରଂ ବିକାଶରେ ସହଯୋଗୀ ହେବା ଆବଶ୍ୟକ । ଚୀନ ରାଷ୍ଟ୍ରଦୂତ କହିଛନ୍ତି ଯେ ୧୯୯୦ ଦଶକରେ ଚୀନ-ଭାରତ ଦୁଇ ଦେଶ ପରସ୍ପର ପ୍ରତି ବିପଦ ହେବେ ନାହିଁ ବୋଲି ସହମତି ହୋଇଛି ଓ ତାହାକୁ ବଜାୟ ରଖିବାର ଆବଶ୍ୟକତା ରହିଛି।

Comments are closed.