ଟର୍କୀ ଓ ମାଲେସିଆର କାଶ୍ମୀର ବିରୋଧୀ ବିବୃତ୍ତି ଅଗ୍ରହଣୀୟ

ନୂଆଦିଲ୍ଲୀ: ଟର୍କୀ ଓ ମାଲେସିଆ ପକ୍ଷରୁ କାଶ୍ମୀର ସଂକ୍ରାନ୍ତରେ ଦିଆଯାଇଥିବା ବିବୃତ୍ତିକୁ ଭାରତ ମିଥ୍ୟା, ତଥ୍ୟହୀନ ଓ ଅନାବଶ୍ୟକ ବୋଲି ବର୍ଣ୍ଣନା କରିଛି। ଜାତିସଂଘ ସାଧାରଣ ପରିଷଦ ବୈଠକରେ ଟର୍କୀ ପକ୍ଷରୁ କାଶ୍ମୀର ପ୍ରସଙ୍ଗ ଉତ୍ଥାପନକୁ ନେଇ ବୈଦେଶିକ ମୁଖପାତ୍ର ରବିଶ କୁମାର କହିଛନ୍ତି, ଏହି କାଶ୍ମୀର ପ୍ରସଙ୍ଗ ହେଉଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ସେ କହିଛନ୍ତି, ଏହି ପ୍ରସଙ୍ଗ ଉପରେ କୌଣସି ବିବୃତ୍ତି ଦେବା ପୂର୍ବରୁ ଟର୍କୀ ସରକାର ମୂଳ ପରିସ୍ଥିତି ସଂକ୍ରାନ୍ତରେ ଜାଣିବା ନିହାତି ଜରୁରୀ। ସେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି, ମାଲେସିଆ ପ୍ରଧାନମନ୍ତ୍ରୀଙ୍କର କାଶ୍ମୀର ଉପରେ ବିବୃତ୍ତି ଅତି ଆଶ୍ଚର୍ଯ୍ୟଜନକ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଏ ବିଷୟରେ ବହୁବାର ବିଭିନ୍ନ ମଞ୍ଚରେ କହିସାରିଥିବାରୁ ମାଲେସିଆ ପକ୍ଷରୁ ଏଭଳି ବିବୃତ୍ତି ଦିଆଯିବା ଉଚିତ୍‍ ନୁହଁ।

ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଭୁଲିନଯାଇ ଏଭଳି ଅଯଥା ବିବୃତ୍ତିରୁ ମାଲେସିଆ ସରକାର ନିବୃତ୍ତ ରହିଲେ ଭଲ ହେବ ବୋଲି ସେ ମତ ଦେଇଛନ୍ତି। ରବିଶ କୁମାର କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାଁଙ୍କୁ ଯଦି ଆନ୍ତର୍ଜାତିକ ସମ୍ପର୍କ ରକ୍ଷା ବିଷୟ ଜଣାଥାନ୍ତା ତାହେଲେ ସେ ନିୟନ୍ତ୍ରଣ ରେଖା ଆଡ଼କୁ ମାଡ଼ି ଚାଲ ବୋଲି ତାଙ୍କ ଦେଶର ଲୋକମାନଙ୍କୁ କହିନଥାନ୍ତେ। ଏହା ଦ୍ୱାରା ସେ ଖୋଲାଖୋଲି ଭାବେ ଭାରତ ବିରୁଦ୍ଧରେ ଜିହାଦ ଘୋଷଣା କରିଛନ୍ତି ଯାହାକୁ ଭାରତ ଗୁରୁତର ବୋଲି ବିବେଚନା କରୁଛି।

Comments are closed.