ପ୍ରଥମଥର ପାଇଁ ୫୦୦ ବିଲିଅନ ଡ଼ଲାର ଟପିଲା ଭାରତର ବୈଦେଶିକ ମୁୁଦ୍ରା ପାଣ୍ଠି

ପାଣ୍ଠି ଜମା କ୍ଷେତ୍ରରେ ଭାରତ ବିଶ୍ବର ୫ମ ଦେଶ, ଚୀନ, ଜାପାନ, ସ୍ବିଜରଲ୍ୟାଣ୍ଡ ଓ ରୁଷର ଜମା ପରିମାଣ ୫୦୦ ବିଲିଅନ ଡ଼ଲାରରୁ ଅଧିକ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତ ବୈଦେଶିକ ମୁଦ୍ରାପାଣ୍ଠିରେ ୫୦୦ ବିଲିଅନ ଡ଼ଲାର ପୁଞ୍ଜି ଜମା କରିବାରେ ରେକର୍ଡ଼ କରିଛି । ଜୁନ୍ ୫ ତାରିଖ ସୁଦ୍ଧା ଭାରତ ବୈଦେଶିକ ମୁଦ୍ରା ପାଣ୍ଠିରେ ମୋଟ ୫୦୧.୭ ବିଲିଅନ ଡ଼ଲାର ସଞ୍ଚୟ କରିଛି । ପୂର୍ବରୁ ଗତ ବର୍ଷ ଏହାର ୪୫୦ ବିଲିଅନ ଡ଼ଲାର ଜମା କରିବାରେ ରେକର୍ଡ଼ କରିଥିଲା ।

୫୦୦ ବିଲିଅନ ଡ଼ଲାର ବିଦେଶୀ ପାଣ୍ଠିରେ ଜମା କରିବା କ୍ଷେତ୍ରରେ ଭାରତ ବିଶ୍ବରେ ୫ମ ଦେଶର ମାନ୍ୟତା ପାଇଛି । ଚୀନ, ଜାପାନ, ସ୍ବିଜରଲାଣ୍ଡ, ରୁଷ ପରେ ଭାରତ ୫ମ ଦେଶ ଭାବରେ ବୈଦେଶିକ ମୁଦ୍ରା ପାଣ୍ଠିରେ ୫୦୦ ବିଲିଅନ ଡ଼ଲାର ଜମା କରି ପାରିଛି । ଏହି ତାଲିକାରେ ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନ ପରି ଦେଶକୁ ଭାରତ ପଛରେ ପକାଇ ଦେଇଛି ।

ସୂଚନାଯୋଗ୍ୟ ଯେ ପ୍ରାୟ ୩ ଦଶନ୍ଧି ତଳେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଶୂନ ହୋଇ ଯାଇଥିଲା । ଶେଷକୁ ଭାରତକୁ ନିଜର ସୁନା ବନ୍ଧା ପକାଇବାକୁ ପଡ଼ିଥିଲା । ତେବେ ଏ କ୍ଷେତ୍ରରେ ସବୁଠାରୁ ଶୀର୍ଷରେ ଅଛି ଚୀନ । ଚୀନ ଭାରତର ୫ ଗୁଣ ଅର୍ଥାତ୍ ୩୦୦୦ ବିଲିଅନ ଡ଼ଲାରରୁ ଅଧିକ ପାଣ୍ଠି ବିଦେଶୀ ମୁଦ୍ରା ଭଣ୍ଡାରରେ ଜମା ରଖିଛି । ସେହିପରି ଜାପାନ ୧୩୦୦ ବିଲିଅନ ଡ଼ଲାରରୁ ଅଧିକ, ସ୍ବିଜରଲାଣ୍ଡ ୮୦୦ ବିଲିଅନ ଡ଼ଲାରରୁଅଧିକ ଓ ରୁଷ ୫୬୫ ବିଲିଅନ ଡ଼ଲାର ପାଣ୍ଠି ବିଦେଶୀ ମୁଦ୍ରାଭଣ୍ଡାରରେ ଜମା କରିଥିବା ସୂଚନା ମିଳିଛି ।

Comments are closed.