ଭାରତରେ ୩୯% ସରକାରୀ କର୍ମଚାରୀ ଲାଞ୍ଚୁଆ; ସାରା ଏସିଆରେ ସବୁଠୁ ଦୁର୍ନୀତିଗ୍ରସ୍ତ

ନୂଆଦିଲ୍ଲୀ: ଭାରତରେ ୩୯% ସରକାରୀ କର୍ମଚାରୀ ଲାଞ୍ଚୁଆ । ବିନା ଲାଞ୍ଚରେ ଏମାନେ କାମ କରନ୍ତି ନାହିଁ । ସାରା ଏସିଆରେ ଭାରତୀୟ ସରକାରୀ କର୍ମଚାରୀ ଲାଞ୍ଚ ନେବା କ୍ଷେତ୍ରରେ ଅନ୍ୟ ଏସୀୟ ଦେଶଠାରୁ ଆଗରେ । ସରକାରୀ ସୁବିଧାସୁଯୋଗ ପାଇବା ପାଇଁ ଲୋକଙ୍କୁ ଲାଞ୍ଚ ଦେବାକୁ ପଡ଼ୁଛି ବୋଲି ଦୁର୍ନୀତି ସଂକ୍ରାନ୍ତ ଅନୁଧ୍ୟାନ କରୁଥିବା ଟ୍ରାନ୍ସପରେନ୍ସି ଇଣ୍ଟରନେସନାଲ ରିପୋର୍ଟରେ ପ୍ରକାଶ ପାଇଛି । ଟ୍ରାନ୍ସପରେନ୍ସି ଇଣ୍ଟରନେସନାଲ ପକ୍ଷରୁ ପ୍ରକାଶିତ ବୈଶ୍ବିକ ଦୁର୍ନୀତି ବାରୋମିଟର (ଜିସିପି) ଅନୁସାରେ ୩୨% ଲୋକ ବ୍ୟକ୍ତିଗତ ସମ୍ପର୍କ ବ୍ୟବହାର କରି ଲାଞ୍ଚ ଦେବାନେବା କରୁଛନ୍ତି ।

ଭାରତ ଠାରୁ ଉପରେ ରହିଛି କାମ୍ବୋଡ଼ିଆ (୩୭%), ଇଣ୍ଡୋନେସିଆ (୩୦%) । ଏହିଦେଶଗୁଡ଼ିକରେ ଲାଞ୍ଚୁଆ କର୍ମଚାରୀଙ୍କ ସଂଖ୍ୟା ଭାରତଠାରୁ କମ୍ । ସେହିପରି ଦକ୍ଷିଣ କୋରିଆରେ ୧୦%, ନେପାଳରେ ୧୨% ସରକାରୀ କର୍ମଚାରୀ ଲାଞ୍ଚ ନେଇଥାଆନ୍ତି । ଜାପାନରେ ଲାଞ୍ଚ ହାର ସବୁଠୁ କମ୍ । ଏଠାରେ ମାତ୍ର ୨% ସରକାରୀ କର୍ମଚାରୀ ଲାଞ୍ଚୁଆ ବୋଲି ଟ୍ରାନ୍ସପରେନ୍ସି ଇଣ୍ଟରନେସନାଲ କହିଛି । ଗତ ଜୁନ ୧୭ ତାରିଖରୁ ଜୁଲାଇ ୧୭ ତାରିଖ ମଧ୍ୟରେ ଏହି ସର୍ବେକ୍ଷଣରେ ଭାରତର ୨୦୦୦ ଲୋକ ଅଂଶଗ୍ରହଣ କରିଥିଲେ । ବିନା ଲାଞ୍ଚରେ ଭାରତରେ କୌଣସି କାର୍ଯ୍ୟ କରିବା ଅସମ୍ଭବ ବୋଲି କହିଛନ୍ତି ୬୩% ଲୋକ । ଏପରିକି ସେମାନେ ଦୁର୍ନୀତି ମାମଲାର ଅଭିଯୋଗ କଲେ ଅଡ଼ୁଆରେ ପଡ଼ିବାର ସମ୍ଭାବନା ରହିଛି ବୋଲି ମତ ଦେଇଥିବା ଟ୍ରାନ୍ସପରେନ୍‌ସି ଇଣ୍ଟରନେସନାଲ ରିପୋର୍ଟରେ କୁହାଯାଇଛି ।

ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରଶାସନିକ ପ୍ରକ୍ରିୟାରେ ପ୍ରୀୟାପ୍ରୀତି, ଲାଞ୍ଚ ପ୍ରବେଶ ହୋଇଥିବା ଯୋଗୁଁ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାର ଆବଶ୍ୟକତା ରହିଛି ।   ଏହାର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆବଶ୍ୟକ ଜନସେବା ଶୀଘ୍ର ଏବଂ ପ୍ରଭାବଶାଳୀ ଭାବରେ ଜନସାଧାରଣଙ୍କୁ ପ୍ରଦାନ କରିବା ଆବଶ୍ୟକ। ଏହା ସହ  ଏକ ଅନୁକୂଳ ଅନଲାଇନ୍ ପ୍ଲାଟଫର୍ମ ଆଣିବାର ଆବଶ୍ୟକତା ରହିଛି। ବୋଲି କୁହାଯାଇଛି ।

ଦେଶର ୮୯% ଲୋକଙ୍କ ମତରେ ସରକାରୀ ଦୁର୍ନୀତି ହେଉଛି ସବୁଠାରୁ ବଡ଼ ସମସ୍ୟା । ୧୮% ଲୋକ ଭୋଟ ପାଇଁ ଲାଞ୍ଚ ଦିଆଯାଉଥିବା କହିଥିବାବେଳେ ୬୩% ଲୋକ ଦୁର୍ନୀତିକୁ ରୋକିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି । ସରକାରୀ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକ ସେମାନଙ୍କ କାର୍ଯ୍ୟ ନିରପେକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ୭୩% ଲୋକ ମତ ଦେଇଛନ୍ତି ବୋଲି ଏଥିରେ ଉଲ୍ଲେଖ ରହିଛି ।  ସୂଚନାଯୋଗ୍ୟ ଯେ ବୈଶ୍ବିକ ଦୁର୍ନୀତି ବାରୋମିଟର ୧୭ଟି ଦେଶରେ ସର୍ବେକ୍ଷଣ କରି ଏହି ରିପୋର୍ଟ ପ୍ରକାଶ କରିଛି ।

Comments are closed.