୨୦୦୪ରୁ ଲଦାଖ ଦଖଲ ଯୋଜନା ଚଳାଇଛି ଚୀନ : ବାଲିରେ ପ୍ରସ୍ତୁତ କରିଛି ଲଦାଖର ନକ୍ସା

ଲଦାଖ : ଲଦାଖରେ ଭାରତ ସହିତ ବିବାଦ ଚୀନର ସୁପ୍ରସ୍ତୁତ ଯୋଜନାର ଅଂଶବିଶେଷ। ୨୦୦୪ରୁ ଚୀନ ଲଦାଖର ୨୫୦୦କିମିକୁ ନେଇ ଚୀନ ଏକ ଅବିକଳ ନକ୍ସା ପ୍ରସ୍ତୁତ କରିଥିଲା; ଯେଉଁଥିରେ ଲଦାଖ ଦଖଲର ସବିଶେଷ ଯୋଜନା ରହିଥିଲା। ବିସ୍ମୟର ବିଷୟ ହେଉଛି, ନିଙ୍ଗସିଆଠାରେ ଖୋଲା ଆକାଶ ତଳେ ବାଲିରେ ନିର୍ମିତ ଏହି ନକ୍ସାକୁ ଚୀନ ସରକାର ବିଶ୍ବର ସର୍ବବୃହତ୍‌ ନକ୍ସା ଭାବେ ଅଭିହିତ କରିଥିଲେ। ଏହି ଯୋଜନାର ଚରିତାର୍ଥ ପାଇଁ ନିଜର ସୈନ୍ୟଙ୍କୁ ଏହା ଆବଶ୍ୟକ ତାଲିମ ପ୍ରଦାନ ସହ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧକୌଶଳରେ ବଳିଷ୍ଠ କରିଥିଲା।
ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅନ୍ତର୍ଗତ ହେଲାନ ପାର୍ବତ୍ୟାଞ୍ଚଳରେ ଏହି ତାଲିମ ଶିବିର ପ୍ରତିଷ୍ଠା ହୋଇଥିଲା। ବହୁ ବିଳମ୍ବରେ ଉପଗ୍ରହ ସୂତ୍ରରୁ ଏହି ନକ୍ସାର ଫଟୋ ଭାରତର ହସ୍ତଗତ ହୋଇଛି। ଏଥିରୁ ନକ୍ସାର ଆକାର ୯୦୦ମିଟର, ଗୁଣିତକ ୭୦୦ମିଟର ବୋଲି ଆକଳନ କରାଯାଇଛି; ଯାହାକି ଭାରତ ଦାବି କରୁଥିବା ଅଞ୍ଚଳର ପରିମାଣ। ଉପଗ୍ରହ ଚିତ୍ର ଅନୁସାରେ ହେଲାନ ପାର୍ବତ୍ୟାଞ୍ଚଳରେ ଚୀନର ସେନା ବାରାକ ସହିତ ପ୍ରଶାସନିକ କୋଠା ରହିଛି। ସାମରିକ ଯାନବାହନ, ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାଜସରଞ୍ଜାମ ମଧ୍ୟ ମହଜୁଦ ରହିଛି। ପାନଗଭ୍ଗ ହ୍ରଦ ତଥା ଫିଙ୍ଗର-୪ ଅଞ୍ଚଳରେ ଏବେ ଚୀନ ଯେଉଁଭଳି ଶିବିର ସ୍ଥାପନ କରିଛି ତାହାର ଅବିକଳ ଶିବିର ଏଠାରେ ରହିଛି। ଚୀନର ଏହି ଯୋଜନା ସମ୍ପର୍କରେ ପୂର୍ବ ସୂଚନା ନ ମିଳିବା ହିଁ ଚିନ୍ତାର ବିଷୟ। ସେ ଦୃଷ୍ଟିରୁ ଦେଖିଲେ ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ଚୀନ ସୈନିକଙ୍କ ଅନୁପ୍ରବେଶ ଏହି ଯୋଜନାର ଅଂଶବିଶେଷ।
ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତ-ଚୀନ ସେନା ମଧ୍ୟରେ ଯେଉଁ ରକ୍ତାକ୍ତ ସଂଘର୍ଷ ହୋଇଥିଲା ତାହା ଚୀନର ଏକ ସୁପରିକଳ୍ପିତ ଯୋଜନା ଥିଲା। ଆମେରିକା ଗୁଇନ୍ଦା ଏଜେନ୍ସି ଓ ଭାରତୀୟ ସୁରକ୍ଷା ଏଜେନ୍ସିର ରିପୋର୍ଟ ଅନୁଯାୟୀ ଗଲୱାନର ଫିଙ୍ଗର ୪ ଓ ହଟସ୍ପ୍ରିଙ୍ଗ ଅଞ୍ଚଳ ମଧ୍ୟକୁ ଅନୁପ୍ରବେଶ ପାଇଁ ଚୀନ ବହୁଦିନରୁ ଯୋଜନା ଚଳାଇଥିଲା। ଅନୁପ୍ରବେଶ ପୂର୍ବରୁ ଚୀନ ଏହାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ତିବ୍‍ବତରେ ମୁତୟନ କରିଥିଲା। ଚୀନ ଏହାର ଟି-୧୫ ଟ୍ୟାଙ୍କ ଓ ୧୫୦ ଏମଏମ୍‍ କମାଣକୁ ପାର୍ବତ୍ୟ ଅଞ୍ଚଳରେ ମୁତୟନ କରିଥିଲା। ୩୦ଟନ୍‍ ଓଜନ ବିଶିଷ୍ଟ ଏହି ଟ୍ୟାଙ୍କକୁ ହେଲିକପ୍ଟର ଯୋଗେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ସହଜରେ ପରିବହନ କରାଯାଇପାରିବ। ଚୀନର ଟି-୧୫ ଟ୍ୟାଙ୍କ ମୁତୟନ ସମ୍ପର୍କରେ ଜାଣିବା ପରେ ଭାରତ ଏହାର ଟି-୯୦ ଟ୍ୟାଙ୍କ ମୁତୟନ କରିଛି। ଭାରତ ପାଖରେ ଟି-୯୦ ଓ ଟି-୭୨ ଭଳି ଅତ୍ୟାଧୁନିକ ଟ୍ୟାଙ୍କ ରହିଥିବାବେଳେ ଏହାର ଓଜନ ଅଧିକ ହେତୁ ପାର୍ବତ୍ୟ ଅଞ୍ଚଳକୁ ପରିବହନ କଷ୍ଟକର। ଭାରତର ଏହି ଟ୍ୟାଙ୍କ ସମତଳ ଅଞ୍ଚଳ ପାଇଁ ବେଶ ଉପଯୋଗୀ। ନିକଟରେ ଭାରତ ଏମ୍‍-୭୭୭ କମାଣକୁ ଲଦାଖରେ ମୁତୟନ କରିଛି। ଭାରତ ଆମେରିକା ଠାରୁ ୧୪୫ଟି ଏମ୍‍-୭୭୭ କମାଣ କିଣିଛି। ଏମ-୭୭୭ କମାଣକୁ ହେଲିକପ୍ଟର ଯୋଗେ ସ୍ଥାନାନ୍ତର କରାଯାଇପାରିବ। ଏହାକୁ ସ୍ଥାନାନ୍ତର ପାଇଁ ଚିନୁକ ହେଲିକପ୍ଟର ଏଲଏସିରେ ମୁତୟନ ରହିଛି। ପୂର୍ବରୁ ଏହିସବୁ କମାଣକୁ ଅରୁଣାଚଳ ପ୍ରଦେଶରେ ମୁତୟନ କରାଯାଇଥିଲା।

Comments are closed.