ଆମ ସେନାବାହିନୀ ପାଇଁ ଭାରତ ଗର୍ବିତ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ଥର ଭଳି ଆଜି ଦୀପାବଳି ଅବସରରେ ରାଜସ୍ଥାନର ଜୈସେଲମେରରେ ପହଂଚିବା ପରେ ସୈନିକମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମେତ ସେନାବାହିନୀର ସମସ୍ତ ସୈନିକଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଭାରତ ତାର ସେନାବାହିନୀ ପାଇଁ ଗର୍ବିତ କାରଣ ସେମାନେ ସାହସର ସହ ଦେଶର ସୁରକ୍ଷା କରୁଛନ୍ତି।

ସେନାବାହିନୀକୁ ଉଦବୋଧନ ଦେଇ ମୋଦୀ କହିଛନ୍ତି,’ମୁଁ ଭାରତବାସୀଙ୍କ ଶୁଭେଚ୍ଛା ଆଣିଛି, ତୁମ ପାଇଁ ଭଲପାଇବା ଆଣିଛି, ଆଶୀର୍ବାଦ ଆଣିଛି। ଆଜି ମୁଁ ସେହି ସାହସୀ ସୈନିକଙ୍କ ମା’, ଭଉଣୀ ଏବଂ ପିଲାମାନଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଜଣାଉଛି, ସେମାନଙ୍କର ବଳିଦାନକୁ ପ୍ରଣାମ କରୁଛି। ସେ କହିଛନ୍ତି ଯେ ସୈନିକମାନେ ବରଫ ପାହାଡ ଉପରେ ରହିଥାନ୍ତୁ କିମ୍ବା ମରୁଭୂମିରେ ରହିଥାନ୍ତୁ, ସେ ସେମାନଙ୍କ ଗହଣରେ ହିଁ ଦୀପାବଳୀର ପ୍ରକୃତ ଆନନ୍ଦ ଅନୁଭବ କରନ୍ତି। ସେ କହିଛନ୍ତି ଯେ ସେ ପ୍ରତ୍ୟେକ ସୈନିକର ମୁହଁରେ ଖୁସି ଦ୍ୱିଗୁଣିତ ହେବାର ଦେଖୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ହିମାଳୟର ଉଚ୍ଚଭୂମି ହେଉ କି ମରୁଭୂମି, ଘଞ୍ଚ ଜଙ୍ଗଲ କିମ୍ବା ଗଭୀର ସମୁଦ୍ର ହେଉ, ସୈନିକମାନେ ପ୍ରତ୍ୟେକ ଆହ୍ୱାନର ମୁକାବିଲାରେ ବୀରତ୍ୱ ପ୍ରଦର୍ଶନ କରିଛନ୍ତି। ସେ କହିଛନ୍ତି ଯେ ସେମାନଙ୍କର ବୀରତ୍ୱକୁ ପ୍ରଣାମ କରିବା ସହ ୧୩୦ କୋଟି ଭାରତୀୟ ସେମାନଙ୍କ ସହିତ ଦୃଢ ଭାବରେ ଠିଆ ହୋଇଛନ୍ତି। ଆଜି ପ୍ରତ୍ୟେକ ଭାରତୀୟ ସୈନିକମାନଙ୍କ ଶକ୍ତି ଏବଂ ସାହସିକତା ପାଇଁ ଗର୍ବିତ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଇତିହାସ କହେ ଯେ କେବଳ ସେହି ରାଷ୍ଟ୍ରମାନେ ସୁରକ୍ଷିତ ରହିଛନ୍ତି, ଯେଉଁ ରାଷ୍ଟ୍ରମାନେ ଆଗକୁ ବଢିଛନ୍ତି ଓ ଲଢେଇ କରିବାର କ୍ଷମତା ରଖିଛନ୍ତି। ସେ କହିଛନ୍ତି ଯେ ଇତିହାସ ଯାହା ବି କହୁ ଓ ସମୀକରଣ ଯେତେ ବି ବଦଳୁ, ଏକଥା ସତ ଯେ ସଜାଗ ରହିବା ହେଉଛି ସୁରକ୍ଷା ପାଇଁ ରାସ୍ତା, ସଚେତନତା ହେଉଛି ସୁଖର ଶକ୍ତି, ଶକ୍ତି ହେଉଛି ବିଜୟର ବିଶ୍ୱାସ ଏବଂ ଦକ୍ଷତା ହେଉଛି ଶାନ୍ତିର ପୁରସ୍କାର। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ଏହା ଭଲ ଭାବେ ଜାଣିଛି ଯେ କୌଣସି ପରିସ୍ଥିତିରେ ବୁଝାମଣା କରିବା ନାହିଁ। ଏହା କେବଳ ଆମ ସୈନ୍ୟବାହିନୀ ପାଇଁ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଆଜି ସମଗ୍ର ବିଶ୍ୱ ବିସ୍ତାରବାଦୀ ଶକ୍ତି ଦ୍ୱାରା ଅସୁବିଧାରେ ପଡିଛି। ବିସ୍ତାରବାଦ ଏକ ପ୍ରକାର ମାନସିକ ବିକୃତି ଏବଂ ଏହା ଅଷ୍ଟାଦଶ ଶତାବ୍ଦୀର ଚିନ୍ତାଧାରାକୁ ପ୍ରତିଫଳିତ କରେ। ଏହି ଚିନ୍ତାଧାରା ବିରୋଧରେ ଭାରତ ମଧ୍ୟ ଏକ ଶକ୍ତିଶାଳୀ ସ୍ୱର ପାଲଟିଛି। ସେ କହିଛନ୍ତି ଯେ ଆମର ସୈନ୍ୟମାନେ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ୧୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତି ବିଦେଶରୁ ଆଣିବେ ନାହିଁ, ନିଜେ ଉତ୍ପାଦନ କରିବେ ଓ ଏହି ନିଷ୍ପତ୍ତି ପାଇଁ ସେ ସେନାବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ସେ ଦେଶର ଯୁବକମାନଙ୍କୁ ସୈନ୍ୟବାହିନୀ ପାଇଁ ନିର୍ମାଣ କରିବାକୁ ଆହ୍ୱାନ ଦେଇଛନ୍ତି। ସାମ୍ପ୍ରତିକ ସମୟରେ, ଅନେକ ଷ୍ଟାର୍ଟ ଅପ୍ ସେନାବାହିନୀର ଆବଶ୍ୟକତାକୁ ପୂରଣ କରିବାକୁ ଆଗେଇ ଆସିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଯୁବକମାନଙ୍କର ନୂତନ ଷ୍ଟାର୍ଟ ଅପ୍ ଆତ୍ମନିର୍ଭରଶୀଳତା ପ୍ରସଙ୍ଗରେ ଦେଶକୁ ଆହୁରି ଆଗକୁ ନେବ ବୋଲି ଶ୍ରୀ ମୋଦୀ କହିଛନ୍ତି।

ସେ କହିଛନ୍ତି, ଆଜି ଭାରତର ରଣନୀତି ସ୍ପଷ୍ଟ ହୋଇଛି। ଆଜିର ଭାରତ ବୁଝିବା ଏବଂ ବ୍ୟାଖ୍ୟା କରିବାର ନୀତିରେ ବିଶ୍ୱାସ କରେ, କିନ୍ତୁ ଯଦି କେହି ଆମ ପାରିବାପଣିଆକୁ ଆହ୍ୱାନ କରେ, ତେବେ ଉତ୍ତର ମଧ୍ୟ ସମାନ ଢଙ୍ଗରେ ଦିଆଯିବ। ସୈନିକମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୀମାରେ ରହି କାର୍ଯ୍ୟ କରିବା ସମୟରେ ଆପଣ ଯେଉଁ ବଳିଦାନ ଦିଅନ୍ତି, ତାହା ଦେଶବାସୀଙ୍କ ମନରେ ଏକ ବିଶ୍ୱାସ ସୃଷ୍ଟି କରେ।

Comments are closed.