ସୀମା ବିବାଦ ନେଇ ସିଡିଏସ୍‍ ବିପିନ ରାୱତ ଚୀନକୁ ଦେଲେ ସାମରିକ କାର୍ଯ୍ୟାନୁଷ୍ଠାନ ଚେତାବନୀ

ନୂଆଦିଲ୍ଲୀ : ଚୀନ ସହିତ ଲାଗି ରହିଥିବା ସୀମା ବିବାଦର ସମାଧାନ ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍‍) ଜେନେରାଲ ବିପିନ ରାୱତ। ସୋମବାର ଜେନେରାଲ ରାୱତ କହିଛନ୍ତି ଯେ ଚୀନ ସହିତ ସୀମା ବିବାଦର ସମାଧାନ ଲାଗି ଭାରତ ସାମରିକ ଓ କୂଟନୈତିକସ୍ତରରେ କଥାବାର୍ତ୍ତା ଜାରି ରଖିଛି। ଯଦି ଏହି କଥାବାର୍ତ୍ତା ବିଫଳ ହୁଏ ତେବେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆଉ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ସେନା ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସେ କହିଛନ୍ତି।

ସେ କହିଛନ୍ତି ଚୀନ ସେନା ବାରମ୍ବାର ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରୁଛି। ଏପ୍ରିଲରୁ ମେ ମଧ୍ୟରେ ଚୀନ ସେନା ଭାରତ ଗଲୱାନ ଉପତ୍ୟକା, ହଟସ୍ପ୍ରିଙ୍ଗ, କୋଙ୍ଗରୁଙ୍ଗ ନାଲା ଓ ଫିଙ୍ଗର ଅଞ୍ଚଳ ମଧ୍ୟକୁ ଅନୁପ୍ରବେଶ କରିଥିଲା। ଏହି ଅନୁପ୍ରବେଶ ପାଇଁ ଚୀନ ସେନା ଜୁନ ୧୫ରେ ଅପ୍ରତ୍ୟାଶିତ ପରିଣାମ ଭୋଗଥିଲା। ଏହା ପରେ ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ସହିତ ସ୍ଥିତାବସ୍ଥା ଫେରାଇ ଆଣିବାକୁ ଭାରତ ଶାନ୍ତିପୂର୍ଣ୍ଣ ଉପାୟ ପୂର୍ବକ ଆପୋଷ ଆଲୋଚନା ଚଳାଇଛି। ଯଦି ଏହି ଆଲୋଚନା ସଫଳ ନ ହୁଏ ତେବେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ନେବାର ଉପାୟ ଅବଲମ୍ବନ କରିବ। ତେବେ ଭାରତ କି ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନ ନେବ ସେ ସମ୍ପର୍କରେ ଜେନେରାଲ ରାୱତ ସବିଶେଷ ସୂଚନା ଦେବାକୁ ମନା କରିଛନ୍ତି। ଜେନେରାଲ ରାୱତ କହିଛନ୍ତି ଯେ ଭାରତ ସେନା ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ସର୍ବଦା ପ୍ରସ୍ତୁତ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସମସ୍ତ ଦିଗକୁ ତର୍ଜମା କରୁଛନ୍ତି। ଏଲଏସିର ପୂର୍ବ ଲଦାଖରେ ସ୍ଥିତାବସ୍ଥା ଫେରାଇ ଆଣିବା ଲାଗି ଉଦ୍ୟମ ଜାରି ରହିଛି।

ଗୁରୁବାର ଦୁଇଦେଶ ମଧ୍ୟରେ ଶେଷ ଥର ପାଇଁ କୂଟନୈତିକ କଥାବାର୍ତ୍ତା ହୋଇଥିଲା। କଥାବାର୍ତ୍ତା ସମୟରେ ଉଭୟ ପକ୍ଷ ସମସ୍ତ ବିବାଦକୁ ତ୍ୱରିତ ଭିତ୍ତିରେ ସମାଧାନ ଲାଗି ସମ୍ମତି ପ୍ରକାଶ କରିଥିଲେ। ତେବେ ଏହି ବୈଠକର କୌଣସି ଫଳାଫଳ ମିଳିପାରି ନାହିଁ। ବୈଠକ ସମୟରେ ଚୀନ ସମଦୂରତା ସୈନ୍ୟ ପ୍ରତ୍ୟାହାର ନେଇ ପ୍ରସ୍ତାବ ଦେଇଥିବାବେଳେ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଜୁଲାଇ ୬ରେ ଅଜିତ ଡୋଭାଲଙ୍କ ସହିତ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ମଧ୍ୟରେ ଟେଲିଫୋନ କଥାବାର୍ତ୍ତା ପରେ ସୀମାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ଜୁଲାଇ ମଧ୍ୟ ଭାଗ ଠାରୁ ଏହି ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ବନ୍ଦ ରହିଛି। ଶୁକ୍ରବାର ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ବ ଲଦାଖର ସୀମା ବିବାଦକୁ ଆପୋଷ ସମାଧାନ ଲାଗି ଚୀନ ସେନା ଆଗ୍ରହୀ ନୁହେଁ। ଚୀନ ସେନା ଗଲୱାନ ଉପତ୍ୟକା ଓ ଅନ୍ୟ କେତେକ ବିବାଦୀୟ ଅଞ୍ଚଳରୁ ହଟିଯାଇଥିଲେ ମଧ୍ୟ ପାଙ୍ଗଅଙ୍ଗ ସୋ, ଦେଶପାଙ୍ଗ ଓ ଅନ୍ୟ ଦୁଇଟି ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିନାହିଁ। ପ୍ରଥମ ୫ଟି ପର୍ଯ୍ୟାୟ କ୍ରପସ୍‍ କମାଣ୍ଡରସ୍ତରୀୟ ବୈଠକରେ ଭାରତ ସେନା ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଉପରେ ଗୁରୁତ୍ୱ ଦେଇ ଆସିଥିଲା। ଏପ୍ରିଲ ମାସରେ ଏଲଏସିର ସ୍ଥିତି ଯେପରି ଥିଲା ସେପରିସ୍ଥିତି ଫେରାଇ ଆଣିବାକୁ ଭାରତ ଦାବି କରିଥିଲା। ସ୍ଥିତାବସ୍ଥା ଫେରାଇ ଆଣିବା ନେଇ ଚୀନ ସମ୍ମତି ପ୍ରକାଶ କରିଆସିଥିଲା। ସ୍ଥିତାବସ୍ଥା ଫେରାଇ ଆଣିବା ନେଇ ଚୀନ ସେନା ବାରମ୍ବାର ସମ୍ମତି ପ୍ରକାଶ କରୁଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରୁନାହିଁ।

ସୀମା ବିବାଦର ସମାଧାନ ପାଇଁ କୂଟନୈତିକ ଓ ସାମରିକ କଥାବାର୍ତ୍ତା ଜାରି ରହିଥିବାବେଳେ ଭାରତ ଏହାର ସାମରିକ ପ୍ରସ୍ତୁତିକୁ ଜାରି ରଖିଛି। ଏଲଏସିର ପୂର୍ବ ଲଦାଖର ବିଭିନ୍ନ ସ୍ଥାନରେ ଭାରତ ଏହାର ସୈନ୍ୟଙ୍କୁ ସଜାଗ ରଖିଛି। ଏପରିକି ଆଗାମୀ ଶୀତ ସମୟରେ ଏହି ପାର୍ବତ୍ୟ ଅଞ୍ଚଳ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶୀତ ସମୟରେ ସୈନ୍ୟଙ୍କ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର, ଶୀତ ପୋଷାକ ଆଦି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସେନାମୁଖ୍ୟ ଜେନେରାଲ ଏମଏମ ନରବଣେ ଲଦାଖ ଅଞ୍ଚଳ ଗସ୍ତ କରି ସେନା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଚୀନର ପ୍ରତିଟି ଦୁଃସାହସିକ ପଦକ୍ଷେପ ପ୍ରତି ସଜାଗ ରହିବା ଲାଗି ସେନାମୁଖ୍ୟ ନିର୍ଦେଶ ଦେଇଛନ୍ତି। ସାମରିକ ଅଭିଯାନ ପ୍ରସ୍ତୁତିର ସମୀକ୍ଷା ସହିତ ସେନା ପାଇଁ ଜରୁରୀ ଆବଶ୍ୟକ ଗୁଳିଗୋଳା ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଭାରତ ସୀମା ମଧ୍ୟକୁ ବାରମ୍ବାର ଅନୁପ୍ରବେଶକୁ ନେଇ ଜୁନ୍‍୧୫ରେ ଚୀନ ସେନା ଚରମ ପରିଣାମ ଭୋଗିଥିଲା। ଗଲୱାନ ଉପତ୍ୟକାରେ ଚୀନ ସେନା ସହିତ ଭାରତ ସେନାର ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଚୀନ ସେନାର ୩୫ ଯବାନ ପ୍ରାଣ ହରାଇବା ସହ ଅନେକ ଆହତ ହୋଇଥିଲେ। ଏହି ସଂଘର୍ଷରେ ଭାରତର ମଧ୍ୟ ୨୦ଯବାନ ସହିଦ ହୋଇଥିଲେ।

Comments are closed.