ଧାର୍ମିକ ବିଦ୍ୱେଷବାଦ, ଜାତିବାଦ ଏବଂ ଅସହିଷ୍ଣୁତା ବିଷୟ ପ୍ରତି ଭାରତର ଉଦବେଗ ପ୍ରକାଶ

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ସାମାଜିକ ଗଣମାଧ୍ୟମ ଜରିଆରେ ଯୁବ ସମ୍ପ୍ରଦାୟକୁ ମୌଳବାଦ ଆଡ଼କୁ ଆକର୍ଷିତ କରୁଥିବା ବିଷୟ ପ୍ରତି ଭାରତ ଘୋର ଉଦବେଗ ପ୍ରକାଶ କରିଛି। ସାମାଜିକ ଗଣମାଧ୍ୟମ ଜରିଆରେ ବିଦ୍ୱେଷ ସୃଷ୍ଟିକାରୀ ବକ୍ତବ୍ୟଗୁଡ଼ିକଦ୍ୱାରା ସୃଷ୍ଟି ହେଉଥିବା ଆହ୍ୱାନର ମୁକାବିଲା କରିବା ଉପରେ ଭାରତ ଗୁରୁତ୍ୱ ଆରୋପ କରିଛି। ଜାତିସଂଘରେ ଭାରତର ଉପ ସ୍ଥାୟୀ ପ୍ରତିନିଧି କେ. ନାଗରାଜ ନାଇଡୁ କହିଛନ୍ତି, ଧାର୍ମିକ ବିଦ୍ୱେଷବାଦ, ଜାତିବାଦ, ଅସହିଷ୍ଣୁତା ଏବଂ ବିଦେଶୀମାନଙ୍କ ପ୍ରତି ଘୃଣାଭାବ ଦିନକୁ ଦିନ ସମାଜରେ ବସା ବାନ୍ଧୁଥିବା ବିଷୟ ପ୍ରତି ଭାରତର ଉଦବେଗ ବିଷୟ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି, କାରିଗରି ବିଦ୍ୟାର ବିକାଶ ଯୋଗୁଁ ସାମାଜିକ ଗଣମାଧ୍ୟମ ଭଳି ମଞ୍ଚଗୁଡ଼ିକରେ ବିଶ୍ୱକୁ ଆନ୍ତଃସଂଯୋଗ କରାଯାଇପାରୁଥିବା ଦୃଷ୍ଟିରୁ ଏହିସବୁ ମାନବ ସଭ୍ୟତା ବିରୋଧି କାର୍ଯ୍ୟକଳାପ ମୁଣ୍ଡ ଟେକିବାରେ ଲାଗିଛି। ବିଦ୍ୱେଷଭାବ, ଜାତିବାଦ ଓ ଘୃଣା ଆଦିର ମୁକାବିଲା ସଂକ୍ରାନ୍ତ ଜାତିସଂଘ ସାଧାରଣ ପରିଷଦର ଅଣଆନୁଷ୍ଠାନିକ ବୈଠକରେ ଉଦବୋଧନ ଦେଲାବେଳେ ଶ୍ରୀ ନାଇଡୁ ଏହା କହିଛନ୍ତି। ସେ କହିଛନ୍ତି, ଆତଙ୍କବାଦୀମାନେ ଖୋଲାଖୋଲି ଭାବେ କିମ୍ବା ପରିଚୟ ଗୁପ୍ତ ରଖି ସାମାଜିକ ଗଣମାଧ୍ୟମରେ ଯୁବକମାନଙ୍କୁ ପ୍ରଲୋଭିତ କରି ମୌଳବାଦ ଆଡ଼କୁ ଆକର୍ଷିତ କରୁଛନ୍ତି। ଏ ଦୃଷ୍ଟିରୁ ବୈଷୟିକ ଜ୍ଞାନକୌଶଳ ପ୍ରସ୍ତୁତ ଉପଯୋଗକାରୀ କମ୍ପାନୀଗୁଡ଼ିକ ଉଚ୍ଚମାନର ନିୟମ କାନୁନ୍‍ ପାଳନ ଦିଗରେ ପ୍ରତିଶ୍ରୁତିବଦ୍ଧତା ପାଳନ ବିଷୟ ପ୍ରତି ସେ ଗୁରୁତ୍ୱ ଆରୋପ କରିଛନ୍ତି।

Comments are closed.