ଭାରତ-ଇଂଲଣ୍ଡ ୫ମ ଟେଷ୍ଟମ୍ୟାଚ୍‌ ଆଜିଠାରୁ

ଏଜ୍‌ବାଷ୍ଟନ୍‌: ୧୦ ମାସ ପରେ ଭାରତ ଓ ଇଂଲଣ୍ଡ କ୍ରିକେଟ୍‌ ଦଳ ଅସମାପ୍ତ ଟେଷ୍ଟ ଶୃଙ୍ଖଳାକୁ ସମାପ୍ତ କରିବାକୁ ଯାଉଛନ୍ତି। ଗତବର୍ଷ ଇଂଲଣ୍ଡରେ ଉଭୟ ଦଳଙ୍କ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ୪ଟି ମ୍ୟାଚ୍‌ ପରେ ଖେଳାଳି କରୋନା ସଂକ୍ରମିତ ହେବା ପରେ ଏହା ସ୍ଥଗିତ ରହିଥିଲା। ଭାରତ ସେତେବେଳକୁ ୨-୧ରେ ଆଗୁଆ ଥିଲା। ଶୁକ୍ରବାରଠାରୁ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ଆରମ୍ଭ ହେଉଥିବା ବେଳେ ଏହା ଶୃଙ୍ଖଳା ନିର୍ଣ୍ଣାୟକ ମ୍ୟାଚ୍‌। ଭାରତ ଜିତିଲେ ୩-୧ରେ ଶୃଙ୍ଖଳା ଜିତିପାରିବ। ଇଂଲଣ୍ଡ ଜିତିଲେ ଶୃଙ୍ଖଳା ଡ୍ର ରହିବ ଏବଂ ଏହା ଡ୍ର ରହିଲେ ୪ର୍ଥ ଥର ଇଂଲଣ୍ଡ ମାଟିରେ ଭାରତ ଟେଷ୍ଟ ଶୃଙ୍ଖଳା ଜିତିବ। ଗତବର୍ଷ ଭାରତ ଟେଷ୍ଟ ଶୃଙ୍ଖଳା ଖେଳିଥିବା ବେଳେ ରବି ଶାସ୍ତ୍ରୀ ମୁଖ୍ୟ ପ୍ରଶିକ୍ଷକ ଓ ବିରାଟ କୋହଲି ଅଧିନାୟକ ଥିଲେ। ହେଲେ ଏଥର ରାହୁଲ ଦ୍ରାବିଡ଼ ମୁଖ୍ୟ ପ୍ରଶିକ୍ଷକ ଓ ରୋହିତ ଶର୍ମା ଅଧିନାୟକ ଅଛନ୍ତି। ଅନ୍ୟପକ୍ଷରେ ଗତ ଶୃଙ୍ଖଳାରେ କ୍ରିସ୍‌ ସିଲ୍‌ଭରଉଡ୍‌ ଇଂଲଣ୍ଡର ପ୍ରଶିକ୍ଷକ ଓ ଜୋ ରୁଟ୍‌ ଅଧିନାୟକ ଥିବା ବେଳେ ଏଥର ବ୍ରେଣ୍ଡନ୍‌ ମ୍ୟାକ୍‌କଲମ୍ ପ୍ରଶିକ୍ଷକ ଓ ବେନ୍‌ ଷ୍ଟୋକ୍‌ସ ଅଧିନାୟକ ଅଛନ୍ତି। ୨୦୦୭ ପରେ ଇଂଲଣ୍ଡରେ ଭାରତ ଟେଷ୍ଟ ଶୃଙ୍ଖଳା ଜିତିନାହିଁ।

ନିକଟରେ ଘରୋଇମାଟିରେ ବିଶ୍ବ ଟେଷ୍ଟ ଚମ୍ପିଆନ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡ ୩-୦ରେ ଟେଷ୍ଟ ଶୃଙ୍ଖଳା ପୋଛିଥିଲା। ହେଲେ ନ୍ୟୁଜିଲାଣ୍ଡଠାରୁ ଭାରତ ଅଧିକ ଶକ୍ତିଶାଳୀ ବୋଲି କ୍ରିକେଟ୍‌ ବିଶେଷଜ୍ଞ କହୁଛନ୍ତି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡ ବ୍ୟାଟ୍‌ସମ୍ୟାନଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ ଅନେକଙ୍କୁ ଚକିତ କରିଛି। ଏହି ମ୍ୟାଚ୍‌ ପାଇଁ ଅଧିନାୟକ ଘୋଷିତ ରୋହିତ ଓ ଉପଅଧିନାୟକ କେ.ଏଲ୍‌. ରାହୁଲ ବାଦ୍‌ପଡ଼ିବା ଭାରତ ପାଇଁ ଶକ୍କ ଧକ୍କା ହୋଇଛି। ଏଜ୍‌ବାଷ୍ଟନ୍‌ରେ ଭାରତ ଆଦୌ ଟେଷ୍ଟମ୍ୟାଚ୍‌ ଜିତିନାହିଁ। ଗତବର୍ଷ ଅସମାପ୍ତ ଶୃଙ୍ଖଳାର ୪ଟି ଟେଷ୍ଟରେ ରୋହିତ ସର୍ବାଧିକ ୩୬୮ ଓ ରାହୁଲ ୨ୟ ସର୍ବାଧିକ ୩୧୫ ରନ୍‌ କରିଥିଲେ। ଉଭୟଙ୍କ ଅନୁପସ୍ଥିତିରେ ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ ବିରାଟ କୋହଲି ଓ ଚେତେଶ୍ବର ପୂଜାରାଙ୍କୁ ବ୍ୟାଟିଂର ଦାୟିତ୍ବ ସମ୍ଭାଳିବାକୁ ପଡ଼ିବ। ଶୁବ୍‌ମାନ ଗିଲ୍‌ଙ୍କ ସହ ପୂଜାରା ଇନିଂସ ଓପନ୍‌ କରିପାରନ୍ତି। ମଧ୍ୟକ୍ରମରେ ଶେୟାସ ଆୟର, ବିରାଟ କୋହଲି, ହନୁମା ବିହାରୀ ଓ ଋଷଭ ପନ୍ତ୍‌ ଖେଳିବେ। ପେସ୍ ବୋଲର ଭାବେ ଅଧିନାୟକ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ମହମ୍ମଦ ସିରାଜ୍ ଖେଳିବା ନିଶ୍ଚିତ ଥିବା ବେଳେ ସ୍ପିନର ଭାବେ ରବୀନ୍ଦ୍ର ଜାଡ଼େଜାଙ୍କ ଖେଳିବେ। ତେବେ ଦଳ ପେସ୍ ବୋଲିଂ ଅଲ୍‌ରାଉଣ୍ଡର ସାର୍ଦୁଳ ଠାକୁର ନା ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନଙ୍କୁ ଖେଳାଉଛି; ତାହା ଦେଖିବାକୁ ବାକିରହିଲା। ଏଣେ ନ୍ୟୁଜିଲାଣ୍ଡ ଶୃଙ୍ଖଳା ପରି ଭାରତ ବିପକ୍ଷ ଟେଷ୍ଟମ୍ୟାଚ୍‌ରେ ମଧ୍ୟ ଇଂଲଣ୍ଡ ଆକ୍ରମଣାତ୍ମକ ବ୍ୟାଟିଂ ଜାରିରଖିବ ବୋଲି ଅଧିନାୟକ ଷ୍ଟୋକ୍‌ସ ଓ ମୁଖ୍ୟ ପ୍ରଶିକ୍ଷକ ମ୍ୟାକ୍‌କଲମ୍ କହି ସାରିଛନ୍ତି। ବଲ୍‌ ଯଦି ସ୍ବିଙ୍ଗ୍‌ ହୁଏ; ତେବେ ଭାରତୀୟ ପେସ୍‌ ବୋଲରଙ୍କ ବିପକ୍ଷରେ ଇଂଲଣ୍ଡର ଏହି ରଣନୀତି ବିଫଳ ହୋଇପାରେ। ଇଂଲଣ୍ଡ ବାତାବରଣ ଓ ପିଚ୍‌ରୁ ଫାଇଦା ଉଠାଇବାର ଦକ୍ଷତା ୩ ଭାରତୀୟ ପେସ୍ ବୋଲରଙ୍କର ରହିଛି। ତେ​‌େ​ବ ବ୍ୟାଟିଂରେ ଭାରତ ସାମାନ୍ୟ ଦୁର୍ବଳ ମନେହେଉଛି। ସେଥିପାଇଁ କୋହଲିଙ୍କଠାରୁ ମ୍ୟାଚ୍‌ ବିଜୟୀ ଇନିଂସର ଆଶା ରଖିଛନ୍ତି ପ୍ରଶିକ୍ଷକ ଦ୍ରାବିଡ଼। ଇଂଲଣ୍ଡ ମଧ୍ୟକ୍ରମରେ ଜୋ ରୁଟ୍‌, ଓଲି ପୋପ୍ ଓ ଜନି ବେୟାଷ୍ଟୋ ଚମତ୍କାର ଫର୍ମରେ ଅଛନ୍ତି। ୱିକେଟ ରକ୍ଷକ ସାମ୍‌ ବିଲିଙ୍ଗ୍‌ସ ମଧ୍ୟ ଆକ୍ରମଣାତ୍ମକ ବ୍ୟାଟ୍‌ସମ୍ୟାନ। ପ୍ରଥମ ୪ଟି ଟେଷ୍ଟରୁ ରୁଟ୍‌ ସର୍ବାଧିକ ୫୬୪ ରନ୍‌ କରିଥିଲେ। ଦଳର ଏକମାତ୍ର ସ୍ପିନର ଜ୍ୟାକ୍‌ ଲିଚ୍ ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଟେଷ୍ଟ​‌ରେ ୧୦ଟି ୱିକେଟ ନେଇଛନ୍ତି। ଏଜ୍‌ବାଷ୍ଟନ୍‌ରେ ପେସ୍ ବୋଲିଂ ଉପଯୋଗୀ ପିଚ୍‌ ହୋଇଛି। ଇଂଲଣ୍ଡ ଏକାଦଶରେ ଜେମ୍‌ସ ଆଣ୍ଡରସନ୍, ଷ୍ଟୁଆର୍ଟ ବ୍ରଡ୍‌, ମାଥ୍ୟୁ ପଟ୍‌ସ ଓ ବେନ୍‌ ଷ୍ଟୋକ୍‌ସଙ୍କ ପରି ଦକ୍ଷ ପେସ୍ ବୋଲର ରହିଛନ୍ତି। ତେଣୁ ଯେଉଁ ଦଳର ବ୍ୟାଟ୍‌ସମ୍ୟାନ ସଫଳ ହେବେ; ମ୍ୟାଚ୍‌ର ଫଳାଫଳ ସେହି ଦଳ ସପକ୍ଷରେ ଯିବ ବୋଲି ଅନୁମାନ କରାଯାଉଛି।

Comments are closed.