ଇଣ୍ଡିଆ ଏନର୍ଜି ଫୋରମ ଉଦ୍ୟୋଗ, ସରକାର ଏବଂ ସମାଜ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦୀର୍ଘସ୍ଥାୟୀ ଭିତ୍ତିରେ ଭାରତ ନିଜର ଇନ୍ଧନ ଉପଯୋଗକୁ ଦୁଇଗୁଣା କରିବାର ସାମର୍ଥ୍ୟ ରଖିଛି ଓ ଖୁବ ଶୀଘ୍ର ଭାରତ ଏହା ହାସଲ କରିବ। ଗତକାଲି ଭିଡିଓ କନଫରେନସିଂ ମାଧ୍ୟମରେ ଚତୁର୍ଥ ଇଣ୍ଡିଆ ଏନର୍ଜି ଫୋରମକୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଇନ୍ଧନର ଉପଲବ୍ଧତା ଶସ୍ତା ଏବଂ ନିର୍ଭରଯୋଗ୍ୟ କରିବ ନିମନ୍ତେ ସରକାର ପଦକ୍ଷେପ ନେଉଛନ୍ତି ଏବଂ ଏହା ଦ୍ୱାରା ସାମାଜିକ ଓ ଆର୍ଥିକ ପରିବର୍ତ୍ତନ ଆସିପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଇନ୍ଧନ କ୍ଷେତ୍ର ଅଭିବୃଦ୍ଧି କୈନ୍ଦ୍ରିକ, ଉଦ୍ୟୋଗ ଅନୁକୂଳ ଏବଂ ପରିବେଶ ସଚେତନ ଦୃଷ୍ଟିରୁ ଅକ୍ଷୟ ଶକ୍ତିରେ ଭାରତ ସବୁଠୁ ସକ୍ରିୟ ରାଷ୍ଟ୍ର ମଧ୍ୟରେ ସାମିଲ ହୋଇପାରିଛି।

ଦେଶ ଶକ୍ତି କ୍ଷେତ୍ରରେ ହାସଲ କରିଥିବା ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଗତ ୬ ବର୍ଷ ମଧ୍ୟରେ ୩୬ କୋଟିରୁ ଅଧିକ ଏଲଇଡି ବଲବ ବିତରଣ କରାଯାଇଛି ଏବଂ ୧୧ ନିୟୂତ ସ୍ମାର୍ଟ ଏଲଇଡି ଷ୍ଟ୍ରିଟ ଲାଇଟ ସଂଯୋଗ କରାଯାଇଛି। ଫଳରେ ବାର୍ଷିକ ୬୦ ବିଲିୟନ ୟୁନିଟ ବିଦ୍ୟୁତ ସଞ୍ଚୟ କରାଯାଇପାରିଛି। ଏହାଛଡା ବାର୍ଷିକ ୪୫ ନିୟୂତ ଟନ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରାଯାଇପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବିଶ୍ୱକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପଥରେ ରହିଛି। ଦେଶରେ ଅକ୍ଷୟ ଶକ୍ତି ସଂଯୋଗକୁ ୨୦୨୨ ସୁଦ୍ଧା ୧୭୫ ଜିଗାୱାଟ ଓ ୨୦୩୦ ସୁଦ୍ଧା ୪୫୦ ଜିଗାୱାଟ ପର୍ୟ୍ୟନ୍ତ ବୃଦ୍ଧି କରିବାକୁ ଦେଶ ଲକ୍ଷ୍ୟ ରଖିଛି। ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବା ପାଇଁ ଆମେ ନିରନ୍ତର ପ୍ରୟାସ ଜାରି ରଖିବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି, ୨୦୧୯ରେ ଉତ୍ତୋଳନ ଏବଂ ଲାଇସେନ୍ସ ପ୍ରଦାନ ନୀତିରେ ସଂସ୍କାର ଅଣାଯିବା ଯୋଗୁ ରାଜସ୍ୱ ପରିବର୍ତ୍ତେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ଘରୋଇ ଗ୍ୟାସ ଉତ୍ପାଦନକୁ ବୃଦ୍ଧି କରିବା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି ଏବଂ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ଗ୍ୟାସ ଗ୍ରୀଡ’ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ଆଡ଼କୁ ଭାରତକୁ ଅଗ୍ରସର ହେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଆତ୍ମନିର୍ଭର ଭାରତ ବିଷୟରେ ଶ୍ରୀ ମୋଦୀ କହିଛନ୍ତି ଯେ ଇଣ୍ଡିଆ ଏନର୍ଜି ଫୋରମ ଉଦ୍ୟୋଗ, ସରକାର ଏବଂ ସମାଜ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ଭୂମିକା ନିର୍ବାହ କରୁଛି।

Comments are closed.