ଟିକା ନେଲେ ୮୨ ଲକ୍ଷ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କରୋନା ଟିକା ନୀତି କାର୍ଯ୍ୟକାରୀ ହେବାର ପ୍ରଥମ ଦିନରେ ଟିକାକରଣ କ୍ଷେତ୍ରରେ ନୂଆ କୀର୍ତ୍ତି ସ୍ଥାପନ ହୋଇଛି। ସୋମବାର ଗୋଟିଏ ଦିନରେ ଦେଶରେ ୮୨ଲକ୍ଷରୁ ଅଧିକ ପାନ (ଡୋଜ୍‌) ଟିକା ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସୋମବାର ସନ୍ଧ୍ୟା ୮ଟା ସୁଦ୍ଧା ରେକର୍ଡ ସଂଖ୍ୟକ ୮୨ଲକ୍ଷ ୭୦ ହଜାର ଟିକା ଦିଆଯାଇଛି। ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଗୁଜରାଟ ଓ ହରିୟାଣାରେ ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରିବା ଲାଗି ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା।

ଏହି ୫ଟି ରାଜ୍ୟ ମୋଟ ଟିକାର ୫୦%ରୁ ଅଧିକ ଟିକା ଦିଆଯାଇଛି। ମଧ୍ୟପ୍ରଦେଶରେ ୧୫ ଲକ୍ଷ, ଗୁଜରାଟରେ ୫ଲକ୍ଷ, କର୍ଣ୍ଣାଟକରେ ୧୦ଲକ୍ଷ ଓ ଉତ୍ତରପ୍ରଦେଶରେ ୬.୬ଲକ୍ଷ ଟିକା ଦିଆଯାଇଛି। ୧୮ରୁ ୪୪ବର୍ଷ ବର୍ଗର ୫୫ଲକ୍ଷ ହିତାଧିକାରୀ ଟିକା ନେଇଛନ୍ତି। ଦେଶର ୬୮ ହଜାର କେନ୍ଦ୍ରରେ ଟିକା ଦିଆଯାଇଥିଲା। ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ୮୦୦୦ରୁ ଅଧିକ କେନ୍ଦ୍ର ଓ ଉତ୍ତରପ୍ରଦେଶରେ ୮,୫୦୦ କେନ୍ଦ୍ର ଖୋଲାଯାଇଥିଲା।

କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟରେ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯାଇଥିଲା। ନୂଆ ଟିକା ନୀତି କାର୍ଯ୍ୟକାରୀ ହେବାର ପ୍ରଥମ ଦିନରେ କେନ୍ଦ୍ର ସରକାର ୫୦ଲକ୍ଷ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏହାକୁ ଅତିକ୍ରମ କରି ୮୨ଲକ୍ଷରେ ପହଞ୍ଚିଛି। ପୂର୍ବରୁ ଗୋଟିଏ ଦିନରେ ସର୍ବାଧିକ ୪୩ ଲକ୍ଷ ଟିକା ଦିଆଯାଇଥିଲା। ଆଗକୁ ଗୋଟିଏ ଦିନରେ ୧କୋଟି ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଟିକାକରଣ ବେଗକୁ ତ୍ବରାନ୍ବିତ ପୂର୍ବକ ସରକାର ଏ ବର୍ଷ ସୁଦ୍ଧା ସମସ୍ତଙ୍କୁ ଟିକା ଦେବାର ଲକ୍ଷ୍ୟ ରଖିଛନ୍ତି।

Comments are closed.