ଦେଶରେ କରୋନା ତଳମୁହାଁ: ୨୪ ଘଂଟାରେ ୭୭୭୪ ନୂଆ ଆକ୍ରାନ୍ତ, ୮୪୬୪ ସୁସ୍ଥ ଓ ୩୦୬ ମୃତ

ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି। ୨୪ ଘଂଟାରେ ଦେଶରେ ୭ ହଜାର ୭୭୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ହଜାର ୪୬୪ ଜଣ ସୁସ୍ଥ ହୋଇଛନ୍ତି ଓ ୩୦୬ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ସଂକ୍ରମଣ ୩ କୋଟି ୪୬ ଲକ୍ଷ ୯୦ ହଜାର ୫୧୦କୁ ବୃଦ୍ଧି ପାଇଥିବା ବେଳେ ଆରୋଗ୍ୟ ସଂଖ୍ୟା ୩ କୋଟି ୪୧ ଲକ୍ଷ ୨୨ ହଜାର ୭୯୫ ଓ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୫ ହଜାର ୪୩୪କୁ ବୃଦ୍ଧି ପାଇଛି। ଏବେ ଦେଶରେ ୯୨ ହଜାର ୨୮୧ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ କରୋନା ଜନିତ ଆରୋଗ୍ୟ ହାର ୯୮.୩୬% ଥିବା ବେଳେ ମୃତ୍ୟୁ ହାର ୧.୩୭% ଓ ସକ୍ରିୟ ଚିକିତ୍ସାଧିନଙ୍କ ହାର ୦.୨୭% ରହିଛି। ଗତକାଲି ଗୋଟିଏ ଦିନରେ ୧୧ ଲକ୍ଷ ୮୯ ହଜାର ୪୫୯ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଯାବତ ମୋଟ ୬୫ କୋଟି ୫୮ ଲକ୍ଷ ୧୬ ହଜାର ୭୫୯ଟି ନମୁନା ପରୀକ୍ଷା ହୋଇଛି।

ସେହିପରି ଗତକାଲି ଗୋଟିଏ ଦିନରେ ଦେଶରେ ୮୯ ଲକ୍ଷ ୫୬ ହଜାର ୭୮୪ ଡୋଜ ଟୀକା ଦିଆଯାଇଥିବା ବେଳେ ଏପର୍ଯ୍ୟନ୍ତ ୧୩୨ କୋଟି ୯୩ ଲକ୍ଷ ୮୪ ହଜାର ୨୩୦ ଡୋଜ ଟୀକା ଦିଆଯାଇଛି।

Comments are closed.