୨୪ ଘଣ୍ଟାରେ ସୁସ୍ଥ ହେଲେ ୪୯ ହଜାର ୮୨, ଦେଶରେ କରୋନା ଆରୋଗ୍ୟ ହାର ୯୨.୪୯%କୁ ବୃଦ୍ଧି

ଦେଶରେ ଗତ ୨୪ ଘଣ୍ଟାରେ ୪୯ ହଜାର ୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଆରୋଗ୍ୟ ହାର ୯୨.୪୯ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାକୁ ମିଶାଇ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୮ ଲକ୍ଷ ୬୮ ହଜାର ୯୬୮କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ପକ୍ଷରୁ ଅଧିକରୁ ଅଧିକ ପରୀକ୍ଷାଗାର ସ୍ଥାପନ, ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା ବ୍ୟବସ୍ଥା ଓ ଚିହ୍ନଟ ବ୍ୟବସ୍ଥା ଫଳରେ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪୫ ହଜାର ୬୭୪ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୮୫ ଲକ୍ଷ ୭ ହଜାର ୭୫୪ରେ ପହଂଚିଛି। ଗତକାଲି ନୂଆ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ୩୫୭କୁ ରହିଥିଲା।

ଦେଶରେ ଆରୋଗ୍ୟ ହାର ବୃଦ୍ଧି ସହ ମୃତ୍ୟୁ ହାର ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ ୫୫୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୬ ହଜାର ୧୨୧କୁ ବୃଦ୍ଧି ପାଇଛି। ଏବେ କରୋନା ଜନିତ ମୃତ୍ୟୁ ହାର ୧.୪୮ ପ୍ରତିଶତକୁ ହ୍ରାସ ପାଇଛି। ସାରା ବିଶ୍ୱରେ ଭାରତର କରୋନା ଜନିତ ମୃତ୍ୟୁ ହାର ସର୍ବନିମ୍ନ ରହିଛି। ଆଜି ସୁଦ୍ଧା ୫ ଲକ୍ଷ ୧୨ ହଜାର ୬୬୫ ଜଣ ସକ୍ରିୟ ଚିକିତ୍ସାଧୀନ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।

ଗତକାଲି ଗୋଟିଏ ଦିନରେ ସାରା ଦେଶରେ ଥିବା ପରୀକ୍ଷାଗାରଗୁଡ଼ିକରେ ୧୧ ଲକ୍ଷ ୯୪ ହଜାର ୪୮୭ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ମୋଟ କରୋନା ନମୁନା ପରୀକ୍ଷା ସଂଖ୍ୟା ୧୧ କୋଟି ୭୭ ଲକ୍ଷ ୩୬ ହଜାର ୭୯୧କୁ ବୃଦ୍ଧି ପାଇଛି।

ସରକାର କହିଛନ୍ତି ଯେ ବିଶ୍ୱସ୍ତରରେ ଭାରତରେ କରୋନା ମୃତ୍ୟୁ ହାର ସର୍ବନିମ୍ନ ରହିଛି। ମନ୍ତ୍ରଣାଳୟ କହିଛି ଯେ ୨୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ହାର ତୁଳନାରେ କମ୍ ମୃତ୍ୟୁହାର ରହିଛି। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ୧୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କୋଭିଡ ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ। ସରକାରୀ ତଥା ବେସରକାରୀ ଡାକ୍ତରଖାନାଗୁଡ଼ିକରେ ଆଇସିୟୁରେ ଗୁରୁତର ରୋଗୀଙ୍କ ତ୍ୱରିତ ଚିକିତ୍ସା ଏବଂ ବ୍ୟାପକ ପରୀକ୍ଷଣ, ଅନୁସନ୍ଧାନ ଏବଂ ପ୍ରଭାବଶାଳୀ ଚିକିତ୍ସା ଫଳରେ ଏହି ସଫଳତା ମିଳିପାରିଛି।

Comments are closed.