ଶୀତଳଯୁଦ୍ଧ ପରବର୍ତ୍ତୀ ଭାରତ ଓ ଚୀନ ସମ୍ପର୍କ

ଭାରତ ଓ ଚୀନ୍‍ ଉଭୟ ଦେଶର ଭୂଖଣ୍ଡ ସୀମାକୁ ନେଇ ବିଭିନ୍ନ ସମୟରେ ସେମାନଙ୍କ ଦ୍ୱିପାକ୍ଷିକ ସମ୍ପର୍କ ପ୍ରତିଦ୍ୱନ୍ଦ୍ବିତାମୂଳକ ପରିସ୍ଥିତି ଦେଇ ଗତି କରୁଛି। ତେବେ ଦଶନ୍ଧି ଦଶନ୍ଧି ପୂର୍ବରୁ ଉଭୟ ଦେଶ ମଧ୍ୟରେ ବହୁତ ସୁସର୍ମ୍ପକ ଥିଲା। ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କର ଅତି ପ୍ରାଚୀନତମ ଇତିହାସ ରହିଛି। ଏସିଆ ମହାଦେଶର ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ସେମାନଙ୍କ ବାଣିଜ୍ୟିକ, ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ ଅତ୍ୟନ୍ତ ନିବିଡ଼ ଥିଲା। ସେତେବେଳେ ଫାକ୍ସିଆନ୍‍, ହୁଏନ୍‍ସାଂ, କନଫ୍ୟୁସିଅସ୍‍ ଭଳି ଚୀନ୍‍ର ଅନେକ ପ୍ରସିଦ୍ଧ ଦାର୍ଶନିକ ଏବଂ ଐତିହାସିକ ଭାରତୀୟ ସଂସ୍କୃତି ଓ ବୌଦ୍ଧ ଧର୍ମ ସମ୍ପର୍କରେ ଜ୍ଞାନ ଆହରଣ କରିବା ନିମନ୍ତେ ଭାରତବର୍ଷ ଆସିଥିଲେ। ଏପରିକି ଉପନିବେଶବାଦ ସମୟରେ ଭାରତର ବହୁ ରାଷ୍ଟ୍ରନୀତିଜ୍ଞ, ଜନନାୟକ, ଚୀନ୍‍ର ସ୍ୱାଧୀନତା ସଂଗ୍ରାମକୁ ମଧ୍ୟ ସମର୍ଥନ କରିଥି​‌ଲେ। ଉଭୟ ଭାରତ ଓ ଚୀନ୍‍ ୧୯୫୦ ଦଶକର ପ୍ରଥମାର୍ଦ୍ଧରେ ସେମାନଙ୍କ ଜାତୀୟ ବିକାଶ ଆରମ୍ଭ କରିଥିଲେ। ଫଳରେ ଭାରତ ୧୯୪୭ ମସିହାରେ ଉପନିବେଶବାଦରୁ ମୁକ୍ତ ହୋଇଥିବାବେଳେ ଚୀନ୍‍ ମଧ୍ୟ ୧୯୪୯ ମସିହାରେ ସ୍ୱାଧୀନତା ହାସଲ କରିଥିଲା। ଭାରତ ୧୯୪୯ ମସିହାରେ ପ୍ରଥମେ ନନ୍‍ କମ୍ୟୁନିଷ୍ଟ ରାଷ୍ଟ୍ର ଭାବେ ଚୀନ୍‍କୁ ସ୍ୱୀକୃତି ଦେଇଥିଲା। ୧୯୫୦ ଦଶକରେ ଉଭୟ ଚୀନ୍‍ ଓ ଭାରତର ସମପରିମାଣର ଅର୍ଥନୈତିକ ବ୍ୟବସ୍ଥା ଥିଲା। ଏପରିକି ଚୀନ୍‍ର ମିଳିତ ଜାତିସଂଘରେ ସଦସ୍ୟତା ପାଇଁ ଭାରତ ଆନ୍ତର୍ଜାତିକ ସ୍ତରରେ ପ୍ରଥମେ ଚୀନ୍‍କୁ ସମର୍ଥନ କରିଥିଲା। ଭାରତର ଏହି ପଦକ୍ଷେପ ଯୋଗୁ ପାଶ୍ଚାତ୍ୟ ଦେଶଗୁଡ଼ିକ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ୧୯୫୪ ମସିହାରେ ସ୍ୱର୍ଗତ ଜବାହରଲାଲ ନେହେରୁଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ଭାରତ ଚୀନ୍‍ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହା ପାଞ୍ଚୋଟି (ପଞ୍ଚଶୀଳ) ନୀତି ନାମରେ ପ୍ରସିଦ୍ଧ। ଏହି ଚୁକ୍ତିରେ ଉଭୟ ଦେଶର ଭୌଗୋଳିକ ଏକତା ଓ ସାର୍ବଭୌମତ୍ୱକୁ ସମ୍ମାନ ଦେବା, କାହାର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନ କରିବା, ସମାନତା ଓ ପରସ୍ପର ସହଯୋଗିତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଅନ୍ୟାୟଭାବେ ପ୍ରଥମେ ଆକ୍ରମଣ ନ କରିବା ପାଇଁ ଚୁକ୍ତିିରେ ଉଲ୍ଲେଖ ଥିଲା। ତେବେ ପରବର୍ତ୍ତୀ ସମୟରେ ଚୀନ୍‍ ସେନା ଭାରତୀୟ ସୀମାରେ ବିଭିନ୍ନ ପ୍ରକାରର ବିଶୃଙ୍ଖଳା ସୃଷ୍ଟି କରିବାକୁ ଲାଗିଲା। ୧୯୬୨ ମସିହାରେ ଚୀନ୍‍ ଭାରତୀୟ ସୀମା ଉପରେ ସଶସ୍ତ୍ର ଆକ୍ରମଣ କଲା। ଏହା ପରେ ଚୀନ୍‍ ପାକିସ୍ତାନ ସହ ସମ୍ପର୍କ ବଢ଼ାଇବାକୁ ଲାଗିଲା। ଫଳସ୍ୱରୂପ ୧୯୬୩ ମସିହାରେ ପାକିସ୍ତାନ ଓ ଚୀନ୍‍ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହେଲା। ଏହି ରାଜିନାମା ଅନୁସାରେ ପାକିସ୍ତାନ ଜବରଦଖଲ କରିଥିବା ଭାରତୀୟ ଭୂଖଣ୍ଡ (କାଶ୍ମୀର)ର ବିରାଟ ଅଂଶ ଚୀନ୍‍କୁ ବେଆଇନ ଭାବେ ହସ୍ତାନ୍ତର କଲା। ୧୯୬୫ ଓ ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ସମୟରେ ଚୀନ୍‍ ପାକିସ୍ତାନକୁ ସମର୍ଥନ କରି ଆସୁଥିଲା। ତେବେ ୧୯୭୬ ମସିହାରେ ଜନତା ପାର୍ଟି ସରକାର ସମୟରେ ଅଟଳ ବିହାରୀ ବାଜପେୟୀ ବୈଦେଶିକ ମନ୍ତ୍ରୀ ଥିଲେ। ସେତେବେଳେ ଚୀନ୍‍ ଓ ଭାରତ ମଧ୍ୟରେ ଥିବା ସମ୍ପର୍କରେ କିଛିଟା ଉନ୍ନତି ହୋଇଥିଲା। ଏହା ପରେ ଉଭୟ ଦେଶର ନେତୃବୃନ୍ଦ ସେମାନଙ୍କ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଭିନ୍ନ ଭିନ୍ନ ସମୟରେ ଚୀନ୍‍ ଓ ଭାରତ ପରିଦର୍ଶନରେ ଆସି ସୀମା ବିବାଦର ଆପୋଷ ସମାଧାନ ପାଇଁ ଚେଷ୍ଟା କରି ଆସିଥିଲେ। ୧୯୭୦ ଦଶକରଏହି ସମୟରେ ଚୀନ୍‍ର ଅର୍ଥନୈତିକ ବ୍ୟବସ୍ଥା ସୁଦୃଢ଼ ଥିବାବେଳେ ୧୯୯୧ ମସିହା ପର୍ଯ୍ୟନ୍ତ ଭାରତ ମିଶ୍ରିତ ଅର୍ଥନୀତିକୁ ଆପଣେଇ ନେଇଥିଲା।

ଶୀତଳ ଯୁଦ୍ଧ ପରବର୍ତ୍ତୀ ସ୍ଥିତି:
ଶୀତଳଯୁଦ୍ଧ ହେଉଛି ବିନା ଅସ୍ତ୍ରଶସ୍ତ୍ରରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିବା। ମନସ୍ତାତ୍ତ୍ବିକ ଅସମାନତା ଓ ମତଭେଦକୁ ନେଇ ଆମେରିକା ଓ ରୁଷିଆ ଭଳି ବିଶ୍ୱର ଦୁଇ ମହାଶକ୍ତି ମଧ୍ୟରେ ୧୯୪୭ରୁ ୧୯୯୧ ମଧ୍ୟରେ ଶୀତଳଯୁଦ୍ଧ ତୀବ୍ର ହେବାକୁ ଲାଗିଲା। ୧୯୮୦ ମସିହା ପରଠାରୁ ଚୀନ୍‍ ଓ ଭାରତ ୧୯୬୨ ମସିହାର ତିକ୍ତତାକୁ ଭୁଲି ଏକ ନୂଆ ସମ୍ପର୍କରେ ଯୋଡ଼ି ହେବାକୁ ସିଦ୍ଧାନ୍ତ ନେଇଥିଲେ। ୧୯୮୮ ମସିହା ଡିସେମ୍ବର ମାସରେ ଭାରତର ତତ୍‍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଚୀନ୍‍ ପରିଦର୍ଶନରେ ଯାଇଥିଲେ। ତେବେ ଭାରତର ତତ୍‍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ଚୀନ୍‍ ପରିଦର୍ଶନ ପରେ ଉଭୟ ଦେଶର ସମ୍ପର୍କରେ ବିଶେଷ ଉନ୍ନତି ଆସିଲା। ଫଳରେ ସେମାନଙ୍କ ମଧ୍ୟରେ ବାଣିଜ୍ୟ, ଅର୍ଥନୈତିକ, ସାଂସ୍କୃତିକ ଆଦି କ୍ଷେତ୍ରରେ ସହଯୋଗିତା ବଢ଼ିବାରେ ଲାଗିଲା। ସୀମା ବିବାଦ ପ୍ରସଙ୍ଗରେ ଉଭୟ ଦେଶ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେଲେ।

ସୋଭିଏତ୍‍ ରୁଷର ବିଭାଜନ ଓ ଭାରତ ଚୀନ୍‍ ସମ୍ପର୍କ:
୧୯୯୦ ଦଶକରେ ସୋଭିଏତ୍‍ ରୁଷିଆ ଖଣ୍ଡ ବିଖଣ୍ଡିତ ହୋଇ ବିଭାଜିତ ହେବା ଫଳରେ ଏକାଧିକ ସ୍ୱାଧୀନ ରାଷ୍ଟ୍ର ଗଠନ ହେଲା। ରୁଷର ପତନ ପରେ ଆମେରିକା ଓ ରୁଷିଆ ମଧ୍ୟରେ ଚାଲୁଥିବା ଶୀତଳ ଯୁଦ୍ଧର ଅବସାନ ଘଟିଲା। ଏଥିପୂର୍ବରୁ ଉପରୋକ୍ତ ଦୁଇ ବୃହତ୍‌ ମହାଶକ୍ତି ପୃଥିବୀକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ପ୍ରତ୍ୟେକ ସେମାନଙ୍କ ସୁରକ୍ଷା ପାଇଁ ଭିନ୍ନ ଭିନ୍ନ ଚୁକ୍ତିନାମା ସ୍ୱାକ୍ଷର କରିବା ସହ ମେଣ୍ଟ ଗଠନ କରି ଚାଲିଥିଲେ। ୧୯୯୨ ମସିହାରେ ସୋଭିଏତ୍‍ ରୁଷିଆର ପତନ ଫଳରେ ବିଶ୍ୱରେ ଆମେରିକା ହିିଁ କେବଳ ମହାଶକ୍ତି ହୋଇ ରହିଲା। ଶୀତଳ ଯୁଦ୍ଧର ଅବସାନ ପରେ ଚୀନ୍‍ ଓ ଭାରତର ବୈଦେଶିକ ନୀତିରେ ବ୍ୟାପକ ଭାବରେ ପରିବର୍ତ୍ତନ ଆସିଲା। ଏହି ସମୟରେ ଚୀନ୍‍ ଓ ଭାରତ ନୂତନ ଅନ୍ତର୍ଜାତୀୟ ଅର୍ଥନୈତିକ ବିଶ୍ୱ ବ୍ୟବସ୍ଥା (ନିଓ) ସହ ତାଳ ଦେଇ ବୈଦେଶିକ ନୀତିରେ ବହୁଳ ପରିବର୍ତ୍ତନ ଆଣିଲେ। ଶୀତଳ ବିଶ୍ୱ ଯୁଦ୍ଧ ପରେ ଭାରତ ଓ ଚୀନ୍‍ ପରସ୍ପରର ନିକଟତର ହେବାକୁ ଲାଗିଲେ। ଏହି ସମୟରେ ଚୀନ୍‍ ଏହାର ସଶସ୍ତ୍ର ବାହିନୀ, ସାର୍ବଭୌମର ସୁରକ୍ଷା, ଭୂଖଣ୍ଡ ଏକତା, ଅର୍ଥନୈତିକ ବିକାଶ, ସାମାଜିକ ବିକାଶ ଓ ଅତ୍ୟାଧୁନିକୀକରଣରେ ବିଶେଷ ଗୁରୁତ୍ୱ ଦେବାକୁ ଲାଗିଲା। ଏଥି ପାଇଁ ଚୀନ୍‍ ଭାରତର ମଧ୍ୟ ସହଯୋଗ ନେଲା। ଭାରତ ଭଳି ପ‌େଡ଼ାଶୀ ରାଷ୍ଟ୍ର ସହ ଶାନ୍ତି ବଜାୟ ରଖିବା ପାଇଁ ଚୀନ୍‍ ଗୁରୁତ୍ୱ ଦେବାକୁ ଲାଗିଲା। ଉଭୟ ଦେଶ ଅନୁଭବ କଲେ ଯେ ଶାନ୍ତି ବିନା ଅର୍ଥନୈତିକ ବିକାଶ ସମ୍ଭବ ନୁହେଁ। ଏହା ପରେ ବିଶ୍ୱସ୍ତରରେ ବିଶ୍ୱଶକ୍ତି ହେବାର ଇଚ୍ଛା ଜାଗ୍ରତ ହେବାକୁ ଲାଗିଲା। ଏହି ସମୟରେ ଭାରତ ଆମେରିକାର ନିକଟତର ହେବାକୁ ଲାଗିଲା। ଶୀତଳ ଯୁଦ୍ଧର ପରବର୍ତ୍ତୀ ସମୟରେ ଚୀନର ଭାରତ ପ୍ରତି ଥିବା ଆଭିମୁଖ୍ୟରେ ମଧ୍ୟ ପୁଣି ପରିବର୍ତ୍ତନ ଆସିଲା। ଭାରତର ଅର୍ଥନୈତିକ ଉଦାରବାଦ ନୀତି ଜରିଆରେ ଏହାର ଅର୍ଥନୀତିକୁ ବିକଶିତ କରିବାକୁ ପଦକ୍ଷେପ ଗ୍ରହଣ କଲା। ଭାରତ ପୂର୍ବ ଏସିଆ ରାଷ୍ଟ୍ରଗୁଡ଼ିକ ସହ ଅର୍ଥନୈତିକ ସ୍ତରରେ ମଧ୍ୟ ଜଡ଼ିତ ହେବାକୁ ଲାଗିଲା। ଏହା ପରେ ଭାରତ ପରମାଣୁ ସମ୍ପନ୍ନ ରାଷ୍ଟ୍ରରେ ପରିଣତ ହେଲା। ଆମେରିକାର ସହଯୋଗରେ ଏହାର ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ମିଶାଇଲ୍‍ କ୍ଷେତ୍ରରେ ମଧ୍ୟ ଉନ୍ନତି କଲା। ଫଳରେ ବୈଷୟିକ କ୍ଷେତ୍ରରେ ଆମେରିକା ଓ ଭାରତ ସମ୍ପର୍କ ଅତି ଘନିଷ୍ଠ ହେବାକୁ ଲାଗିଲା। ଭାରତ ଓ ଆମେରିକାର ଦ୍ୱିପାକ୍ଷିକ ସମ୍ପର୍କ ଶକ୍ତିଶାଳୀ ହେବା ସହ ଆନ୍ତର୍ଜାତିକ ସ୍ତରରେ ଉଭୟ ଦେଶ ବିଶ୍ୱରେ ଶାନ୍ତି, ପରସ୍ପର ସହଯୋଗ, ପରମାଣୁ ଯୁଦ୍ଧକୁ ଏଡ଼ାଇବା ଉପରେ ଗୁରୁତ୍ୱ ଦେବାକୁ ଲାଗିଲେ। ବର୍ତ୍ତମାନ ମଧ୍ୟ ଭାରତ ଓ ଆମେରିକା ବୈଦେଶିକ କ୍ଷେତ୍ରରେ ପରମମିତ୍ର ଅଟନ୍ତି। ତେବେ ଭାରତ ପ୍ରତି ଆମେରିକାର ଏପରି ବିଭିନ୍ନ କ୍ଷେତ୍ରରେ ଥିବା ସହଯୋଗ ମନୋବୃତ୍ତି କାରଣକୁ ନେଇ ଚୀନ୍‍ ଭାରତକୁ ନୀଚା ଦେଖାଇବାକୁ ଆରମ୍ଭ କଲା। ଚୀନ୍‍ ଅନୁଭବ କଲା ଯେ ଆଗାମୀ ଦିନରେ ଏସିଆ ମହାଦେଶରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି। ଏସିଆ ମହାଦେଶରେ ଏହାର ଅର୍ଥନୈତିକ ବିକାଶ ଓ ସାମରିକ ବିକାଶ ପାଇଁ ଏକ ଶକ୍ତିଶାଳୀ ରାଷ୍ଟ୍ର ହିସାବରେ ନିକଟ ଅତୀତରେ ଭାରତ ମଧ୍ୟ ଆନ୍ତର୍ଜାତିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଚୀନ୍‍ ଅନୁଭବ କଲା।

ଉଦାରୀକରଣ: ୧୯୯୦ ଦଶକରେ ଉଦାରୀକରଣ ନୀତି ଆସିବା ପରେ ଉଭୟ ଚୀନ୍‍ ଓ ଭାରତବର୍ଷ ବିଶ୍ୱର ବିକାଶଶୀଳ ରାଷ୍ଟ୍ର ଭାବେ ପରିଗଣିତ ହେଲେ। ଉଦାରୀକରଣ ସାଙ୍ଗଠନିକ କ୍ଷେତ୍ରରେ ଥିବା ଅନମନୀୟତାକୁ ଦୂର କରିବାରେ ସହଯୋଗ କଲା। ଏହା ସିଧାସଳଖ ବୈଦେଶିକ ବିନିଯୋଗରେ ମଧ୍ୟ ସହାୟକ ହେଲା। ଉଦାରୀକରଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ରର ବିକାଶ ଦିଗରେ ଦେଖା ଦେଉଥିବା ବିଭିନ୍ନ ପ୍ରକାର ସମସ୍ୟାର ଦୂରୀକରଣ କରିବା ସହ ରାଷ୍ଟ୍ରର ବିକାଶ ପ୍ରକ୍ରିୟାରେ ସହାୟକ ହେବା। ଉଦାରୀକରଣ ଅର୍ଥନୀତି ଫଳରେ ଘରୋଇ ଶିଳ୍ପ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ବଢ଼ିବାକୁ ଲାଗିଲା। ଏଥିରେ ବାଣିଜ୍ୟ, ବ୍ୟବସାୟ, ପୁଞ୍ଜି ନିବେଶ ନିମନ୍ତେ ବିଦେଶୀ କମ୍ପାନୀମାନଙ୍କୁ ସୁଯୋଗ ମିଳିଲା।

ବିଶ୍ୱ ବାଣିଜ୍ୟ ସଂଗଠନରେ ଭାରତ ଓ ଚୀନ:
୧୯୯୫ ମସିହା ଜାନୁୟାରୀ ୧ ତାରିଖରେ ମାରାକେଶ୍‍ ଚୁକ୍ତି ଆଧାରରେ ବିଶ୍ୱ ବାଣିଜ୍ୟ ସଂଗଠନ ( ୱାର୍ଲ୍ଡ ଟ୍ରେଡ୍‍ ଅର୍ଗାନାଇଜେସନ୍‍) ଜନ୍ମ ନେଇଥିଲା। ୧୯୯୪ ମସିହା ଏପ୍ରିଲ୍‍ ୧୫ ତାରିଖରେ ବିଶ୍ୱର ୧୨୩ଟି ରାଷ୍ଟ୍ର ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ବିଶ୍ୱ ବାଣିଜ୍ୟ ସଂଗଠନ ହେଉଛି ଆନ୍ତର୍ଜାତିକ କ୍ଷେତ୍ରରେ ସର୍ବବୃହତ୍‌ ଅର୍ଥନୈତିକ ସଂଗଠନ। ଏହାର ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ବିଭେଦତା ନ ଆଣିବା ଏବଂ ଅନ୍ତର୍ଜାତୀୟ ସ୍ତରରେ ଦେଶ ଦେଶ ମଧ୍ୟରେ ଅନ୍ତର୍ଜାତୀୟ ବାଣିଜ୍ୟକୁ ସୁରକ୍ଷା ଦେବା। ୧୯୯୫ ଜାନୁୟାରୀ ୧ ତାରିଖରେ ଭାରତ ବିଶ୍ୱବାଣିଜ୍ୟ ସଂଗଠନରେ ସଦସ୍ୟ ଭାବେ ଯୋଗ ଦେଇଥିଲା। ଏଥିସହିତ ୧୯୪୮ ଜେନେରାଲ୍‍ ଏଗ୍ରିମେଣ୍ଟ୍‍ ଅନ୍‍ ଟାରଫ୍‍ ଏଣ୍ଡ୍‍ ଟ୍ରେଡ୍‍ ( ଗାଟ୍‍)ରେ ସ୍ୱାକ୍ଷର କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଥିବା କୋଟା, ଟାରଫ୍‍, ସବ୍‍ସିଡିଜ୍‍କୁ ଉ​‌େ​‌ଚ୍ଛଦ କରିବା। ଚୀନ୍‍ ବିଶ୍ୱବାଣିଜ୍ୟ ସଂଗଠନରେ ୨୦୧୧ ଡିସେମ୍ବର ୧୧ ତାରିଖରେ ଯୋଗ ଦେଇଥିଲା। ବିଶ୍ୱବାଣିଜ୍ୟ ସଂଗଠନରେ ମଧ୍ୟ ଉଭୟଙ୍କ ସମ୍ପର୍କ ଭଲ ଥିଲା।

ମୋଦୀଙ୍କ ବୈଦେଶିକ ନୀତି ଓ ଭାରତ ଚୀନ୍‍ ସମ୍ପର୍କ:
ଅର୍ଥନୈତିକ କ୍ଷେତ୍ରରେ ବିକଶିତ ହୋଇଥିବା ଚୀନ୍‍କୁ ସୀମା ବିବାଦ ପ୍ରସଙ୍ଗରେ ରୋକିବା ପାଇଁ ଭାରତର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଦେଶିକ ନୀତିରେ ଆମୂଳ ଚୂଳ ପରିବର୍ତ୍ତନ ଆଣିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ ବର୍ତ୍ତମାନ ଭାରତର ବୈଦେଶିକ ନୀତି ସୁଦୂରପ୍ରସାରୀ ହୋଇପାରିଛି। ବିଶ୍ୱସ୍ତରରେ ଅନ୍ୟାନ୍ୟ ଅନୁନ୍ନତ ଦେଶ ସହ ସହଭାଗିତା ବଢ଼ାଇବାରେ ଓ ବିକାଶଶୀଳ ଦେଶମାନଙ୍କ ସହ ସମାନତା ଆଣିବା ପାଇଁ ଭାରତ ଏକ ପରିବର୍ତ୍ତନଶୀଳ ବୈଦେଶିକ ନୀତି ଆପଣେଇଛି। ଏଥିରେ ବିଶ୍ୱର ବିଭିନ୍ନ ଦେଶ ସହ କୂଟନୈତିକ ସମ୍ପର୍କ ସ୍ଥାପନକୁ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଏକକ ପ୍ରସଙ୍ଗ ବିଶେଷ କରି ଜାତୀୟ ନିରାପତ୍ତା, ସୁରକ୍ଷା, ଉତ୍ତମ ବୈଦେଶିକ ନୀତିକୁ ଗ୍ରହଣ କରିଛନ୍ତି। ଚୀନ୍‍ ପ୍ରତି ଭାରତର ପ୍ରଧାନମନ୍ତ୍ରୀ ସହଯୋଗର ହାତ ବଢ଼ାଉଥିବାବେଳେ ଚୀନ୍‍ ବିଭିନ୍ନ କ୍ଷେତ୍ରରେ ଶତ୍ରୁତା ଆଚରଣ କରୁଛି। ଉପରୋକ୍ତ ପ୍ରସଙ୍ଗକୁ ନେଇ ଭାରତ ନିଜର ଜାତୀୟ ସୁରକ୍ଷା ଓ ସାର୍ବଭୌମତ୍ବ ପ୍ରତି କୌଣସି ଦେଶର ହସ୍ତକ୍ଷେପକୁ ଆଦୌ ବରଦାସ୍ତ କରିବ ନାହିିଁ ବୋଲି ଚେତାବନୀ ଦେଇଛି। ବିଶ୍ୱସ୍ତରରେ ତଥା ବିଭିନ୍ନ ଫୋରମ୍‍ରେ ଭାରତ ଉଭୟ ଚୀନ୍‍ ଓ ପାକିସ୍ତାନ ବିରୋଧରେ ବହୁ କ୍ଷେତ୍ରରେ କୂଟନୈତିକ ବିଜୟ ହାସଲ କରି ବିଶ୍ୱବାସୀଙ୍କ ଆସ୍ଥାଭାଜନ ହୋଇପାରିଛି। ବିଶେଷ କରି ପାକିସ୍ତାନର ସନ୍ତ୍ରାସବାଦ ନୀତି ଓ ଚୀନ୍‍ର ବିସ୍ତାରବାଦ ନୀତିକୁ ନେଇ ରାଷ୍ଟ୍ରନୀତିଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ବିଶ୍ୱଶାନ୍ତି ପ୍ରତିଷ୍ଠାରେ ଭାରତର ଉଦ୍ୟମକୁ ଆମେରିକା, ଫ୍ରାନ୍ସ, ଇଂଲଣ୍ଡ, ରୁଷିଆ, ଅଷ୍ଟ୍ରେଲିଆ, ଜର୍ମାନୀ, ଜାପାନ ଭଳି ଅନେକ ଦେଶ ସମର୍ଥନ କରି ଆସୁଛନ୍ତି। ସେହିପରି ସନ୍ତ୍ରାସବାଦ ମୁକାବିଲାରେ ଭାରତର ଉଦ୍ୟମ ବିଶ୍ୱସ୍ତରରେ ପ୍ରଶଂସନୀୟ ଅଟେ। ବିଭିନ୍ନ ଫୋରମ୍‍ରେ ଭାରତର କୂଟନୈତିକ ବିଜୟ ସହ ଚୀନ୍‍ ସହ ସୀମା ବିବାଦ ପ୍ରସଙ୍ଗରେ ଭାରତୀୟ ସେନାବାହିନୀର ଉଚିତ୍‍ ଜବାବ ସୂଚାଇ ଦେଇଛି ଯେ ଭାରତ ନିଜର ସୁରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ସାଲିସ୍‍ କରିବ ନାହିିଁ।

ଅଧୁନା ଭାରତୀୟ ବୈଦେଶିକ ନୀତିରେ ବାଣିଜ୍ୟ ବ୍ୟବସାୟ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଉନ୍ନତ ଜ୍ଞାନକୌଶଳ, ଆଭ୍ୟନ୍ତରୀଣ ବିକାଶକୁ ଗୁରୁତ୍ୱ ଦିଆଯାଉଛି। ଦକ୍ଷିଣ ଏସିଆରେ ପ୍ରଧାନମନ୍ତ୍ରୀ ମୋଦୀ ଆଞ୍ଚଳିକ ସହଯୋଗ, ସ୍ଥିରତାକୁ ମଧ୍ୟ ପ୍ରାଥମିକତା ଦେଇଛନ୍ତି। ଅନ୍ୟପକ୍ଷରେ ଚୀନ୍‍ ଭାରତର ଆଚରଣରେ ହିଂସା ପ୍ରକାଶ କରି ସୀମାରେ ବିଶୃଙ୍ଖଳା ସୃଷ୍ଟି କରୁଛି। ନିକଟ ଅତୀତରେ ଭାରତ ଓ ଚୀନ୍‍ ମଧ୍ୟରେ ଦେଖା ଦେଇଥିବା ସୀମା ବିବାଦ ପ୍ରସଙ୍ଗରେ ମଧ୍ୟସ୍ଥତା ସାଜି ସମାଧାନ ପାଇଁ ଆମେରିକା ଭଳି ବହୁ ରାଷ୍ଟ୍ର ଇଚ୍ଛା ପ୍ରକଟ କରୁଥିଲେ ମଧ୍ୟ ଭାରତ ପକ୍ଷରୁ ଏହାକୁ ଏକ ଦ୍ୱିପାକ୍ଷିକ ବିଷୟ କହି କୌଣସି ତୃତୀୟ ରାଷ୍ଟ୍ରର ହସ୍ତକ୍ଷେପକୁ ବାରଣ କରାଯାଇଛି। ତେବେ ନିକଟ ଅତୀତରେ ଭାରତ ଓ ଚୀନ୍‍ ମଧ୍ୟରେ ଗଲୱାନ୍‍ ଅଥବା ଡୋକ୍‍ଲାମ୍‍ ଭଳି ସୀମା ବିବାଦ ତୀବ୍ରତର ହେବା ଦୃଷ୍ଟିରୁ ପ୍ରସିଦ୍ଧ ସ୍ଲୋଗାନ୍‍ ହିନ୍ଦୀ-ଚୀନୀ ଭାଇ ଭାଇ ମୂଲ୍ୟହୀନ ହୋଇପଡିଛି। ଏଣୁ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗକୁ ନେଇ ଦ୍ୱିପାକ୍ଷିକ ସ୍ତରରେ ଆପୋଷ ସମାଧାନ କରିବା ଜରୁରୀ ହୋଇପଡ଼ିଛି।

 

Comments are closed.