ମୃତ୍ୟୁର ନଦୀ ପାଇଁ ଚୀନ୍‌ର ଜିଦ୍‌

ନୂଆଦିଲ୍ଲୀ: ଚୀନ୍‌ ଓ ଭାରତ ମଧ୍ୟରେ ବିବାଦର ମଞ୍ଜି ହେଉଛି ଗଲୱାନ ଉପତ୍ୟକା। ୧୯୬୨ରୁ ଏହାକୁ ନେଇ ବିବାଦ ଜାରି ରହିଛି। ଉଭୟ ଦେଶ ମଧ୍ୟରେ ତଥାକଥିତ ସୀମା ଏଲଏସି (ବାସ୍ତବ ନିୟନ୍ତ୍ରଣ ରେଖା) ରହିଥିଲେ ମଧ୍ୟ ଚୀନ୍‌ ଏହି ଅଞ୍ଚଳକୁ ନିଜର ବୋଲି ଦାବି କରିବା ହିଁ ବିବାଦର କାରଣ। ସାମ୍ପ୍ରତିକ ମୁହାଁମୁହିଁ ପରିସ୍ଥିତି ୧୯୬୨ପରଠାରୁ ସବୁଠୁ ଦୀର୍ଘ ଏବଂ ହିଂସାତ୍ମକ ବୋଲି କୁହାଯାଉଛି। ଲଦାଖର ପୂର୍ବାଞ୍ଚଳରେ ରହିଛି ଗଲୱାନ ନଦୀ। ୧୯୬୨ରେ ଝିନ୍‌ଜିଆଙ୍ଗ ଓ ତିବ୍‌ବତ ମଧ୍ୟରେ ୧୭୯କିମି ରାସ୍ତା ନିର୍ମାଣକୁ ​‌ନେଇ ଚୀନ୍‌ ଭାରତ ଉପରେ ଆକ୍ରମଣ କରିଥିଲା। ଏହି ରାସ୍ତା ଏବେ ଜି୨୧୯ ନାମରେ ପରିଚିତ; ଯାହାକି ଭାରତୀୟ ଅଞ୍ଚଳ ଅକ୍‌ସାଇ ଚୀନ୍‌ ଦେଇ ଗତି କରିଛି। ଚୀନ୍‌ ଏହି ରାସ୍ତାଠାରୁ ଭାରତକୁ ଦୂରେଇ ରଖିବାକୁ ଚାହୁଁଛି; କାରଣ ପାହାଡ଼ିଆ ରାସ୍ତାରେ ଯିବା ପାଇଁ ଚୀନ୍‌କୁ ଅଧିକ ଜାଗା ଆବଶ୍ୟକ ହେଉଛି।

ଏତଦ୍‌ବ୍ୟତୀତ ଚୀନ୍‌ ୧୯୫୯ ଓ ୧୯୬୨ ପୂର୍ବରୁ ନ ଥିବା ସ୍ଥାନକୁ ନିଜର ବୋଲି ଦର୍ଶାଇବା ସହ ୧୯୬୨ ଯୁଦ୍ଧ ପରେ ଭାରତ ପକ୍ଷରେ ଚିହ୍ନିତ ସ୍ଥାନକୁ ମଧ୍ୟ ନିଜର ବୋଲି ଦାବି କରୁଛି। ଚୀନ୍‌ ଯଦି ଗଲୱାନ ନଦୀ ଉପତ୍ୟକାକୁ ସମ୍ପୂର୍ଣ୍ଣ ନିଜର କରି ନ ପାରେ; ତେବେ ଏଠାରେ ଭାରତର ଆଧିପତ୍ୟ ରହିବ ଓ ଅକ୍‌ସାଇ ଚୀନ୍‌ ଅଞ୍ଚଳରେ ପ୍ରଭାବ ବିସ୍ତାର ପୂର୍ବକ ଚୀନ୍‌ ପ୍ରତି ବିପଦର କାରଣ ହେବ ବୋଲି ଏହା ମନେ କରୁଛି। ସେଥିଯୋଗୁଁ ସମାରେଖାକୁ ଅସ୍ବୀକାର କରି ଚୀନ୍‌ ଗଲୱାନ ଅକ୍ତିଆର କରିବା ଉଦ୍ୟମ ଚଳାଇଛି। ଏଲଏସି କ​‌ଡ଼େକଡେ ଦରବକ ଅଞ୍ଚଳ ଦେଇ ଯାଇଛି ଅନ୍ୟ ଏକ ନଦୀ ​‌ଶ୍ୟୋକ୍‌। ଭାରତ ଏବେ ଶ୍ୟୋକ୍‌ ଅବବାହିକା ଦେଇ ଦଉଲତ ବେଗ୍‌ ଓଲ୍‌ଡିକୁ ସଡ଼କ ନିର୍ମାଣ କରୁଛି; ଯାହାକୁ ନେଇ ଚୀନ୍‌ ଚିହିଁକି ଉଠିଛି। ଗଲୱାନ ଉପତ୍ୟକାରେ ଗୁଳିଗୋଳା ଓ ଅଧିକ ସୈନ୍ୟବଳ ନେଇ ଯୁଦ୍ଧ କରିବା କଷ୍ଟକର; ତେଣୁ ଚୀନ୍‌ ୧୯୬୨ରେ ଚାଙ୍ଗ-ଚେନ୍‌ମୋ ନଦୀ ଉପତ୍ୟକାରେ ଶିବିର ପ୍ରତିଷ୍ଠା ପୂର୍ବକ ଭାରତକୁ ଆକ୍ରମଣ କରିଥିଲା।

ଗଲୱାନ ଓ ଶ୍ୟୋକ ନଦୀକୁ ବିଭିନ୍ନ ଦୃଷ୍ଟିରୁ ‘ମୃତ୍ୟୁର ନଦୀ’ ବୋଲି କୁହାଯାଏ। ​ଲେହ, ୟରକନ୍ଦ ଓ କସଗର (ବର୍ତ୍ତମାନ ଚୀନ୍‌ର ଝିନ୍‌ଜିଆଙ୍ଗରେ) ମଧ୍ୟରେ ଶୀତ ଦିନେ ଯାତାୟତ ପାଇଁ ଶ୍ୟୋକ ନଦୀ ଅତିକ୍ରମ କରିବାକୁ ପଡ଼ୁଥିଲା; କାରଣ ଏହା ସେତେବେଳେ ବରଫ ପାଲଟିଯାଏ। ଲେହରୁ ଲଦାଖର ଚାଙ୍ଗ ଲା ଗିରିପଥ ଦେଇ ଦରବକ ଓ ଶ୍ୟୋକ ଗ୍ରାମରେ ପହଞ୍ଚିବା ପରେ ଦଉଲତ ବେଗ୍‌ ଓଲ୍‌ଡି ଓ କାରାକୋରମ ପାସ୍‌ରେ ପହଞ୍ଚିହୁଏ। ବରଫ ତରଳିବା ପରେ ଶ୍ୟୋକ ନଦୀ ଉଗ୍ରରୂପ ନେଇଥାଏ। ଏହା ଜନଜୀବନ ପ୍ରତି ଅତ୍ୟନ୍ତ ଘାତକ ହୋଇଥାଏ; ତେଣୁ ତାର ନାମକରଣ ଏଭଳି କରାଯାଇଛି। ଏହାସତ୍ତ୍ବେ ଏହି ନଦୀ ଚୀନ୍‌ ପାଇଁ ଯେତିକି ମହତ୍ତ୍ବପୂର୍ଣ୍ଣ ଭାରତ ପାଇଁ ସାମରିକ ଦୃଷ୍ଟିକୋଣରୁ ତତୋଽଧିକ ଗୁରୁତ୍ବପୂର୍ଣ୍ଣ। ଲଦାଖର ଉତ୍ତର-ପୂର୍ବ କୋଣରେ ଅବସ୍ଥିତ ଦଉଲତ ​‌ବେଗ୍‌ ଓଲ୍‌ଡିରେ ଭାରତର ସ୍ଥିତି ଚୀନ୍‌ର ମୁଣ୍ଡ ବ୍ୟଥା ବଢ଼ାଉଛି। ଅକ୍‌ସାଇ ଚୀନ୍‌ରେ ଚୀନ୍‌ର ଅଧିପତ୍ୟ ରହିଥିଲେ ମଧ୍ୟ ଏହି ଅଞ୍ଚଳରେ ଭାରତର ଉପସ୍ଥିତି ଅଡ଼ୁଆ କରୁଛି। ଚୀନ୍‌ର ଏଠାକୁ ସଡ଼କ ଯୋଗାଯୋଗ ନ ଥିବାରୁ ସବୁବେଳେ ଏହା ହେଲିକପ୍ଟର ଉପରେ ନିର୍ଭର କରୁଛି। ଭାରତ ଏହି ନଦୀ କୂଳରେ ପ୍ରଥମେ ପ୍ରାଚୀର ଓ ପରେ ସଡ଼କ ନିର୍ମାଣ ପୂର୍ବକ ନିଜର ଶକ୍ତି ବୃଦ୍ଧି କରିଚାଲିଛି। ଏହା ନିଜ ପାଇଁ ବିପଦର କାରଣ ବୋଲି ଚୀନ୍‌ ଭାବୁଛି। ଚୀନ୍‌ ମଧ୍ୟ ଗଲୱାନ ନଦୀ ଅପରପଟେ ନିଜର ସଡ଼କ ନିର୍ମାଣ କରୁଛି। ସୁଯୋଗ ଦେଖି ଚୀନ୍‌ ସେନା ଏଲଏସି ଡେଇଁ ଭାରତ ଅଧୀନ ଗଲୱାନ ଉପତ୍ୟକାରେ ପ୍ରବେଶ କରି ଗଣ୍ଡଗୋଳ କରୁଛି। ସେନାର ପାଟ୍ରୋଲିଂ ପଏଣ୍ଟ-୧୪ ଓ ୧୫ରେ ଚୀନ୍‌ ସେନା ଭାରତୀୟ ପ୍ରତିପକ୍ଷଙ୍କ ସହ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ଏବଂ ଫେରିବାକୁ ଚାହୁଁ ନାହାନ୍ତି।

୫୩ବର୍ଷ ହେଲା ଚୀନ ସୀମାରେ ଗୁଳି ଫୁଟି ନାହିଁ
ପ୍ରାୟ ୫୩ବର୍ଷ ହେଲା ଭାରତ-ଚୀନ ସୀମାରେ ଗୁଳିବିନିମୟ ହୋଇ ନାହଁ। ୧୯୬୭ରେ ସିକିମ୍ ସେକ୍ଟରକୁ ନେଇ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସେତେବେଳେ ସିକିମ ଏକ ସ୍ବାଧୀନ ରାଜ୍ୟ ଥିଲା ଓ ଏହା ଭାରତର ନିୟନ୍ତ୍ରଣରେ ରହିଥିଲା। ସିକିମକୁ ଅଧିକାର କରିବା ପାଇଁ ଚୀନ ଉଦ୍ୟମ କରିବାରୁ ଦୁଇଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା। ୧୧ଦିନ ଧରି ଏହି ଯୁଦ୍ଧ ହୋଇଥିଲା। ଏଥିରେ ଚୀନର ପରାଜୟ ହୋଇଥିଲା। ଚୀନର ୩୦୦ ସୈନିକ ପ୍ରାଣ ହରାଇଥିବାବେଳେ ଭାରତର ୭୦ ସୈନିକ ପ୍ରାଣ ହରାଇଥିଲେ। ୧୯୭୫ରେ ସିକିମ୍‌ ଭାରତ ଅଧୀନକୁ ଆସିଥିଲା। ସେହିପରି ଦୀର୍ଘ ୪୪ବର୍ଷ ପରେ ସୀମାରେ ଦୁଇ ସୈନିକଙ୍କ ମଧ୍ୟରେ ମାରପିଟ୍ ଓ ଧସ୍ତାଧସ୍ତିରେ ଜୀବନ ହାନି ଘଟିଛି। ୧୯୭୫ରେ ଦୁଇଦେଶର ସୈନିକ ସୀମାରେ ମାରପିଟ୍ ହୋଇଥିଲେ। ଏଥିରେ ଭାରତ ଆସାମ ରାଇଫଲ୍ସର ୪ ସୈନିକଙ୍କର ମୃତ୍ୟୁ ହୋଇଥିଲା। ଅରୁଣାଚଳ ପ୍ରଦେଶର ତୁଲୁଙ୍ଗ ଲା ପାସ୍ ନିକଟରେ ଏହି ମାରପିଟ୍ ହୋଇଥିଲା। ୧୯୭୫ ପରେ ଦୁଇ ଦେଶ ମଧ୍ୟରେ ସୀମାକୁ ନେଇ ଅନେକ ବିବାଦ ହୋଇଥିଲେ ମଧ୍ୟ କାହାର ମୃତ୍ୟୁ ହୋଇ ନଥିଲା। ୧୯୭୫ ପରେ ପ୍ରଥମ କରି ସୀମାରେ ସଂଘର୍ଷ ହୋଇ ଉଭୟ ଦେଶର ସୈନିକ ପ୍ରାଣ ହରାଇଛନ୍ତି।

କାହିଁକି ହେଲା ସଂଘର୍ଷ
ଦୀର୍ଘ ୬ ସପ୍ତାହ ଧରି ଏଲଏସି ଅନ୍ତର୍ଗତ ପୂର୍ବ ଲଦାଖର ତିନିଟି ସ୍ଥାନରେ ଭାରତ ଓ ଚୀନ ସେନା ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ଏହାର ସମାଧାନ ପାଇଁ ଏକାଧିକ କୂଟନୈତିକ ଓ ସାମରିକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ସପ୍ତାହକ ତଳେ ମେଜର ​‌ଜେନେରାଲ ସ୍ତରୀୟ ବୈଠକ ପରେ ଉଭୟ ଦେଶର ସେନା ପିପି-୧୫ ଓ ହଟ୍‌ସ୍ପ୍ରିଙ୍ଗଠାରୁ ପ୍ରାୟ ଅଢ଼େଇ କିଲୋମିଟର ପଛକୁ ଘୁଞ୍ଚିଥିଲେ; କିନ୍ତୁ ନିଷ୍ପତ୍ତି ଅନୁଯାୟୀ ଗଲୱାନ ଉପତ୍ୟକାରୁ ଚୀନ ସେନା ହଟି ନଥିଲେ। ସୋମବାର ରାତିରେ ଭାରତୀୟ ସେନା ଏହାର ପ୍ରତିବାଦ କରିବା ସହ ଚୀନ ସେନା ଶିବିର ହଟାଇବାକୁ ଉଦ୍ୟମ କରିଥିଲେ। ଏହି ଉଦ୍ୟମକୁ ଚୀନ ସେନା ବିରୋଧ କରିବାରୁ ସଂଘର୍ଷ ଉପୁଜିଥିଲା।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ବିବୃତ୍ତି ଅନୁଯାୟୀ ଗଲୱାନ ଉପତ୍ୟକାର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ସ୍ଥିତାବସ୍ଥାରେ ପରିବର୍ତ୍ତନ ଲାଗି ଚୀନ ଉଦ୍ୟମ କରିବାରୁ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହେଲା। ମଙ୍ଗଳବାର ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସୋମବାର (ଜୁନ ୧୫ ତାରିଖ) ରାତିରେ ଚୀନ ସୈନିକ ଏକପାଖିଆ ନିଷ୍ପତ୍ତି ପୂର୍ବକ ସୀମାର ସ୍ଥିତରେ ପରିବର୍ତ୍ତନ ପାଇଁ ଉଦ୍ୟମ କରିଥିଲେ। ପୂର୍ବରୁ ଦୁଇ ପକ୍ଷର ଆଲୋଚନା ଅନୁଯାୟୀ ସ୍ଥିତାବସ୍ଥାକୁ ସମସ୍ତେ ସମ୍ମାନ ଜଣାଇବା ଲାଗି ନିଷ୍ପତ୍ତି ହୋଇଥିଲା ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଜୁନ୍ ୬ରେ ହୋଇଥିବା ବରିଷ୍ଠ ସେନା ଅଧିକାରୀସ୍ତରୀୟ ବୈଠକରେ ସୀମାରେ ସ୍ଥିତାବସ୍ଥା ବଜାୟ ରଖିବା ସହିତ ଉଭୟ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଚୀନ ଏହାର ଅବମାନନା କରିବା ହିଁ ସଂଘର୍ଷର ସୂତ୍ରପାତ କରିଥିଲା। ଚୀନ ସୈନିକ ପ୍ରଥମେ ୧୪ ନମ୍ବର ପଏଣ୍ଟ ଉପରୁ ଥାଇ ଭାରତ ସୈନିକଙ୍କ ଉପରକୁ ପଥର ମାଡ କରିଥି​‌େ​‌ଲ। ପରେ ଲୁହା ରଡ ଓ ବାଡି (କ୍ଲବ)ରେ ପିଟିଥିଲେ। ଭାରତ ମଧ୍ୟ ଏହାର ଜବାବ ଦେଇଥିଲା।

ଭାରତ ସୈନ୍ୟ ଦୁଇଥର ସୀମା ଅତିକ୍ରମ କରିବାରୁ ସଂଘର୍ଷ: ଚୀନ
ଭାରତ ସୈନିକ ସୀମା ଅତିକ୍ରମ କରିବାରୁ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା ବୋଲି ଚୀନ ଅଭିଯୋଗ କରିଛି। ସୋମବାର ରାତିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ଯେଉଁ ସଂଘର୍ଷ ହୋଇଛି ତାର କାରଣ ସମ୍ପର୍କରେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି କହିଛନ୍ତି ଯେ ଭାରତ ସୈନିକ ଦୁଇଥର ସୀମା ଅତିକ୍ରମ କରିଥିଲା। ସୀମାରେ ସୈନିକଙ୍କ ପକ୍ଷରୁ ସଂଯମତା ରକ୍ଷା ସହିତ ଏକପାଖିଆ ଭାବେ କୌଣସି ପଦକ୍ଷେପ ନ ନେବାକୁ ସମ୍ମତି ପ୍ରକାଶ ପାଇଥିଲା। ମାତ୍ର ଭାରତ ସୈନିକ ଏହି ଦ୍ବିପାକ୍ଷିକ ବୁଝାମଣାକୁ ଉଲ୍ଲଙ୍ଘନ କରିବାରୁ ସଂଘର୍ଷ ହୋଇଥିବା ୱାଙ୍ଗି ୱିଙ୍କ ମନ୍ତବ୍ୟକୁ ଆଧାର କରି ଗ୍ଲୋବାଲ ଟାଇମ୍ସ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ତେବେ ଭାରତ ପକ୍ଷରୁ କୁହାଯାଇଛି ଯେ ସୈନ୍ୟ ପ୍ରତ୍ୟାହାର କରାଯିବା ସମୟରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା।

ଚୀନର ଚେତାବନୀ: ବିବାଦ ତେଜାଅ ନାହିଁ
ଲଦାଖର ଗଲୱାନ ଉପତ୍ୟକାରେ ସୋମବାର ହୋଇଥିବା ମାରପିଟ୍‌ ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚୀନ ଉଦ୍ୟମ କରିଛି। ବିବାଦକୁ ପ୍ରଶମିତ କରିବା ଲାଗି ଦୁଇ ଦେଶର ସାମରିକ ଅଧିକାରୀଙ୍କ ସ୍ତରରେ ଆଲୋଚନା ଚାଲିଛି। ତେଣୁ ବର୍ତ୍ତମାନ ସମୟରେ ସୀମାର ପରିସ୍ଥିତିକୁ ଅଧିକ ଉତ୍ତେଜିତ କରିବା ଭଳି ପଦକ୍ଷେପରୁ ଭାରତ ନିବୃତ୍ତ ରହୁ ବୋଲି ଚୀନ ବୈଦେଶିକ ମନ୍ତ୍ରଣାଳୟ କହିଛି। ଭାରତକୁ କୌଣସି ପ୍ରକାର ଏକପାଖିଆ ପଦକ୍ଷେପ ନ ନେବାକୁ ଚୀନ କହିଛି। ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ଯେ ଭାରତ ସୈନିକ ଦୁଇ ଥର ସୀମା ଅତିକ୍ରମ କରିବାରୁ ମାରପିଟ୍ ଓ ଧସ୍ତାଧସ୍ତି ହୋଇଥିଲା। ଚୀନ ସୈନିକମାନେ ଟେକା ପଥର ଓ ଲାଠିମାଡ କରିଥିବା ଭାରତ ଅଭିଯୋଗ କରିଛି। ମାତ୍ର ସଂଘର୍ଷ ସମୟରେ କୌଣସି ପକ୍ଷରୁ ଗୁଳିମାଡ କରାଯାଇ ନଥିଲା। ଦୀର୍ଘ ୪୪ବର୍ଷ ପରେ ସୀମାରେ ବଡଧରଣ ସଂଘର୍ଷ ହୋଇ ଜୀବନ ହାନି ହୋଇଛି। ତେଣୁ ଭାରତ ମଧ୍ୟ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ସମାଧାନର ଉଦ୍ୟମ କରିଛି। ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ ଡିଏସ୍ ହୁଦା କହିଛନ୍ତି ଯେ ଭାରତ ଏହି ପରିସ୍ଥିତିକୁ ହାଲକା ଭାବେ ନ ନେଇ ସମାଧାନର ଉଦ୍ୟମ କରିବା ଦରକାର।

ଚୀନ ସୈନିକଙ୍କ ମୃତ୍ୟୁ ଖବର ସତ୍ୟ: ଗ୍ଲୋବାଲ ଟାଇମ୍ସ ସମ୍ପାଦକ
ଭାରତ ସୈନିକଙ୍କ ସହିତ ମାରପିଟ୍‌ରେ ଚୀନ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ୫ଜଣ ସୈନିକଙ୍କ ମୃତ୍ୟୁ ହେବା ନେଇ ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ସତ୍ୟ ବୋଲି ଏହାର ସମ୍ପାଦକ ଘୋଷଣା କରିଛନ୍ତି। ଗ୍ଲୋବାଲ ଟାଇମ୍ସର ମୁଖ୍ୟ ସମ୍ପାଦକ ଟୁଇଟ୍ କରିଛନ୍ତି ଯେ ଲଦାଖର ଗଲୱାନ ଉପତ୍ୟକାରେ ଭାରତ ସୈନିକଙ୍କ ସହିତ ଚୀନ ସୈନିକଙ୍କ ମାରପିଟ୍‌ ଓ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଚୀନର ୫ ସୈନିକଙ୍କର ମୃତ୍ୟୁ ହେବା ସହ ୧୧ଜଣ ଆହତ ହୋଇଛନ୍ତି। ସଂଘର୍ଷରେ ଚୀନ ସୈନିକଙ୍କର ମୃତ୍ୟୁ ହେବା ସମ୍ପର୍କରେ ପିଏଲଏ କୌଣସି ସୂଚନା ଦେଇ ନାହିଁ କି ସରକାରୀ ଭାବେ କିଛି ଘୋଷଣା କରି ନାହିଁ। ସମ୍ପାଦକ ଟୁଇଟ୍‌ କରିଛନ୍ତି ଯେ ଚୀନ ସୈନିକଙ୍କ ସଂଯମତାକୁ ଭାରତ ଭୁଲ୍‌ ବୁଝିବା ଉଚିତ ନୁହେଁ। ଏହି ସଂଘର୍ଷରେ ଚୀନର ପ୍ରାୟ ୫୦ ସୈନିକଙ୍କର ମୃତ୍ୟୁ ହୋଇଛି।

Comments are closed.