ତ୍ୱରିତ ସମାଧାନ ପଥରେ ଭାରତ-ଚୀନ୍‍ ସୀମା ବିବାଦ

ଭାରତ-ଚୀନ୍‍ ସୀମା ପ୍ରସଙ୍ଗ ନେଇ ୨୨ତମ ବୈଠକ

ନୂଆଦିଲ୍ଲୀ : ସୀମା ବିବାଦର ତ୍ୱରିତ ସମାଧାନ ଭାରତ-ଚୀନ୍‍ର ମୌଳିକ ସ୍ୱାର୍ଥ ପାଇଁ ଆବଶ୍ୟକ ବୋଲି ଦୁଇ ଦେଶ ଏକମତ ହୋଇଛନ୍ତି । ଭାରତ ଓ ଚୀନ୍‍ର ସ୍ୱତନ୍ତ୍ର ପ୍ରତିନିଧିମାନେ ଶନିବାର ନୂଆଦିଲ୍ଲୀରେ ଏକ ବୈଠକରେ ଯୋଗଦେଇ ଭାରତ-ଚୀନ ଘନିଷ୍ଠ ବିକାଶମୂଳକ ଭାଗିଦାରୀକୁ ଆଗେଇ ନେବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରି ଗଠନମୂଳକ ଆଲୋଚନା କରିଛନ୍ତି । ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ୍‍ ଡୋଭାଲ୍‍ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ । ଚୀନ୍‍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ଷ୍ଟେଟ୍‍ କାଉନ୍‍ସିଲର୍‍ ୱାଙ୍ଗ୍‍ ୟି, ଚୀନ୍‍ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀରେ କୁହାଯାଇଛି, ଭାରତ-ଚୀନ୍‍ ସମ୍ପର୍କ ପରିପ୍ରେକ୍ଷୀରେ ସୀମା ପ୍ରସଙ୍ଗ ଉପରେ ଉଭୟ ରାଷ୍ଟ୍ର ନିଜ ନିଜର ଆଭିମୁଖ୍ୟ ବୈଠକରେ ଉପସ୍ଥାପନ କରିଛନ୍ତି ।
ଭାରତ-ଚୀନ୍‍ ସୀମା ପ୍ରସଙ୍ଗ ଉପରେ ଉଭୟ ପକ୍ଷ ପାଇଁ ଗ୍ରହଣୀୟ ସମାଧାନ ଖୋଜି ବାହାର କରିବା ଦିଗରେ ପ୍ରୟାସକୁ ଆହୁରି ଜୋର୍‍ଦାର୍‍ କରିବାପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି । ସୀମା ବିବାଦର ତ୍ୱରିତ ସମାଧାନ ଉଭୟ ଦେଶର ମୌଳିକ ସ୍ୱାର୍ଥ ପାଇଁ ଆବଶ୍ୟକ ବୋଲି ଦୁଇ ଦେଶ ଏକମତ ହୋଇଛନ୍ତି । ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ମଜବୁତ୍‍ କରିବା ଦିଗରେ ପାରସ୍ପରିକ
ବିଶ୍ୱାସ ବୃଦ୍ଧି କରାଇବା ଉଭୟ ଦେଶର ଲକ୍ଷ୍ୟ ଏବଂ ଏହାକୁ ଦୃଷ୍ଟିରେ ରଖି ଦୁଇ ଦେଶ ପରସ୍ପରର ସମ୍ବେଦନଶୀଳ ପ୍ରସଙ୍ଗକୁ ସମ୍ମାନ ଜଣାଇବାଦ୍ୱାରା ହିଁ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରହିପାରିବ ବୋଲି ବୈଠକରେ ମତପ୍ରକାଶ ପାଇଛି। ଉଭୟ ଦେଶର ସୀମାରେ ମୁତୟନ ଥିବା ସୁରକ୍ଷା ବଳ ମଧ୍ୟରେ ଯୋଗାଯୋଗ ଓ ମତ ବିନିମୟକୁ ଆହୁରି ତ୍ୱରାନ୍ୱିତ କରି ସୀମା
ପରିଚାଳନାକୁ ଅଧିକ ଫଳପ୍ରଦ କରିବା ଉପରେ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି। ଭାରତ-ଚୀନ ସମ୍ପର୍କରେ ଏକ ସନ୍ତୁଳିତ ବିକାଶଦ୍ୱାରା ଏହି ଅଞ୍ଚଳ ତଥା ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ପଥ ଉନ୍ମୁକ୍ତ ହୋଇପାରିବ ବୋଲି ଉଭୟ ପକ୍ଷର ପ୍ରତିନିଧିମାନେ ମତ ଦେଇଛନ୍ତି । ଏସବୁ ପ୍ରସଙ୍ଗ ଉପରେ ଉଭୟ ଦେଶ ମଧ୍ୟରେ ଏହା ହେଉଛି ୨୨ତମ ବୈଠକ।

Comments are closed.