ପୁଣି ଚୀନ ସେନାର ଦୁଃସାହସ

ନୂଆଦିଲ୍ଲୀ : ପୂର୍ବଲଦାଖର ବିବାଦୀୟ କ୍ଷେତ୍ରରୁ ସୈନ୍ୟ ପ୍ରତ୍ୟାହାର ପାଇଁ ସମ୍ମତି ପ୍ରକାଶ ପାଇବା ସତ୍ତ୍ବେ ଚୀନ ପୁନର୍ବାର ଦୁଃସାହସ କରିଛି। ପାନଗଙ୍ଗ ସୋ ଓ ଗଲୱାନ ପରେ ଚୀନ ଦଉଲତ ବେଗ୍ ଓଲ୍ଡି (ଡିଓବି) ଅଞ୍ଚଳରେ ଭାରତୀୟ ସେନାକୁ ଅଟକାଇବା ଉଦ୍ୟମ କରିଛି। ଡିଓବି ସେକ୍ଟରର ପାଟ୍ରୋଲିଂ ପଏଣ୍ଟ ୧୦ରୁ ୧୩ ମଧ୍ୟରେ ଭାରତୀୟ ଯବାନ ପାଟ୍ରୋଲିଂ କରୁଥିବା ସମୟରେ ଚୀନର ପିପୁଲ୍ସ ଲିବରେସନ ଆର୍ମି ସଦସ୍ୟମାନେ ସେମାନଙ୍କୁ ଅଟକାଇବା ଉଦ୍ୟମ କରିଥିବା ସେନା ସୂତ୍ରରୁ ଜଣାପଡ଼ିଛି। ଗଲୱାନ ଉପତ୍ୟକାକୁ ସଂଯୋଗୀ ଅଞ୍ଚଳ ଡିବିଓସ୍ଥିତ ଭାରତୀୟ ଯବାନଙ୍କ ଶିବିର ନିକଟରେ ଏହି ଘଟଣା ଘଟିଛି। ଏହି ଅବସରରେ ଭାରତ ହଟ୍‌ ସ୍ପ୍ରିଙ୍ଗ୍‌ସ୍‌, ଡେମ୍‌ଚକ, କୋୟୁଲ, ଫୁକ୍‌ଚେ, ଦେସପାଙ୍ଗ, ମୁର୍ଗୋ ଓ ଗଲୱାନଠାରେ ନିଜର ସୈନ୍ୟବଳ ବୃଦ୍ଧି କରିଛି।

ଚୀନ ଏଲଏସି ନିକଟରେ ଏହାର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜୋରଦାର କରିଛି। ପାଟ୍ରୋଲିଂ ପଏଣ୍ଟ ୧୫, ୧୭ ଓ ୧୭(ଏ) ନିକଟରେ ଚୀନର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଠାକୁ ଚୀନ ସେନାର ବୃହତ୍‌ ଯାନ ଚଳାଚଳ କରୁଛି। ଚୀନ ଏଠାରେ ସୁଖୋଇ-୩୦ ଯୁଦ୍ଧବିମାନ ସହ ଭାରତ ଆଡ଼କୁ ମୁହଁ କରି କମାଣ ମୁତୟନ କରିଥିବା ଦେଖାଯାଇଛି। ଏଥିସହିତ ଚୀନ ଏବେ ପାକିସ୍ତାନ ଓ ୟୁରୋପକୁ ଯାତ୍ରା ଅଧିକ ସୁଗମ କରିବା ପାଇଁ କାରାକୋରମ ଗିରିପଥକୁ ଦଖଲ ଉଦ୍ୟମ ଚଳାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଚୀନ ଏବେ ଦେସପାଙ୍ଗଠାରେ ନୂଆ ରାସ୍ତା ଖୋଲିବା ଉଦ୍ୟମ ଚଳାଇଛି। ଚୀନ ଶିବିରଠାରୁ ଦଉଲତ ବେଗ୍ ଓଲ୍ଡି ଯେତିକି ଦୂର ତା’ଠାରୁ ଦେସପାଙ୍ଗ ନିକଟ ହେଉଥିବାରୁ ଚୀନ ଏପରି ପ୍ରୟାସ ଚଳାଇଛି। ଦଉଲତ ବେଗ୍‌ ଓଲ୍ଡିର ପୂର୍ବକୁ ଦେସପାଙ୍ଗ ଅବସ୍ଥିତ। ଚୀନ ସେନାର ଯାତାୟାତ ଏଠାରେ ସ୍ପଷ୍ଟ ହୋଇଛି; ତେବେ ୨୦୧୩ରେ ଚୀନ ଏଠାରେ ଅନୁପ୍ରବେଶ ଉଦ୍ୟମ କରିଥିବାରୁ ଭାରତ ଏହି ସ୍ଥାନରେ ପୂର୍ବରୁ ସଜାଗ ରହିଛି। ଉପଗ୍ରହ ସୂତ୍ରରୁ ମିଳିଥିବା ସଦ୍ୟ ଚିତ୍ର ଅନୁସାରେ ଗଲୱାନ ଉପତ୍ୟକାରେ ଚୀନ ସେନା ବିପୁଳ ନିର୍ମାଣ କାର୍ଯ୍ୟ ଚଳାଇଛି। ପାଟ୍ରୋଲିଂ ପଏଣ୍ଟ-୧୪ର ଯେଉଁ ସ୍ଥାନରେ ଜୁନ ୧୫ରେ ଅଳିଆ ଗଦା ରହିଥିଲା ଏବେ ସେଠାରେ ଶିବିର ସ୍ଥାପନ କରାଯାଇଛି। ଗଲୱାନ ନଦୀରେ ଏଲଏସିଠାରୁ ମାତ୍ର ଏକ କିମି ମଧ୍ୟରେ ଚୀନ ନୂଆ ପୋଲ ନିର୍ମାଣ କରିଛି।

Comments are closed.