ଆନ୍ତର୍ଜାତିକ ଆତଙ୍କବାଦର ମିଳିତ ମୁକାବିଲା ପାଇଁ ଭାରତର ଆହ୍ୱାନ

ନ୍ୟୁୟର୍କ : ଆନ୍ତର୍ଜାତିକ ଆତଙ୍କବାଦର ମିଳିତ ଭାବେ ମୁକାବିଲା କରିବାକୁ ଭାରତ ଆହ୍ୱାନ ଦେଇଛି । ଜାତିସଂଘ ନିରାପତ୍ତା ପରିଷଦ ଅଧିବେଶନରେ ‘ଆତଙ୍କବାଦ- ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ପ୍ରତି ବିପଦ’ ଶୀର୍ଷକ ଆଲୋଚନାରେ ଉଦବୋଧନ ଦେଇ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ କହିଛନ୍ତି ବିଶ୍ୱରେ ଆତଙ୍କବାଦର ବିପଦ ବୃଦ୍ଧି ପାଇବାରେ ଲାଗିଛି । ସେ କହିଛନ୍ତି ଆତଙ୍କବାଦର ମୁକାବିଲାରେ ଦୋହରା ନୀତି ଗ୍ରହଣ କରାଯିବା ଉଚିତ ନୁହେଁ । ସେ କହିଛନ୍ତି ଏ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ଦୋହରା ନୀତି ଓ ଏହାର ରାଜନୀତିକରଣ ଯୋଗୁଁ ଜାତିସଂଘ ନିରାପତ୍ତା ପରିଷଦ କଟକଣା ନିୟମର ବିଶ୍ୱସନୀୟତା ହ୍ରାସ ପାଇଛି । ସେ କହିଛନ୍ତି ଜାତିସଂଘ ନିରାପତ୍ତା ପରିଷଦର ସମସ୍ତ ସଦସ୍ୟ ଏକସ୍ୱରରେ ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ କରିବାକୁ ସଂକଳ୍ପବଦ୍ଧତା ପ୍ରକାଶ କରିବା ଉଚିତ ।
ଶ୍ରୀମତୀ ରୁଚିରା କାମ୍ବୋଜ କହିଛନ୍ତି ବିଶ୍ୱର କିଛି ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ତାଲିକାଭୁକ୍ତ କରିବା ପାଇଁ ପ୍ରକ୍ରିୟା ସ୍ଥଗିତ ଥିବାରୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ସେ କହିଛନ୍ତି ସଦସ୍ୟ ରାଷ୍ଟ୍ରମାନେ ମନମୁଖି ଭାବେ ଆତଙ୍କବାଦର ଶ୍ରେଣୀଭୁକ୍ତ କରିବାରୁ ନିବୃତ ରହିବା ଆବଶ୍ୟକ ।

Comments are closed.