ଭାରତ ବିପକ୍ଷ ଦିନିକିଆ, ଟ୍ବେଣ୍ଟି୨୦ ସିରିଜ୍‌ ନିମନ୍ତେ ଅଷ୍ଟ୍ରେଲିଆ ଦଳ ଘୋଷିତ; ଯୁବ ଅଲରାଉଣ୍ଡର କାମେରନ୍‌ ଗ୍ରୀନ୍‌ ନୂଆ ମୁହଁ

ମେଲବୋର୍ଣ୍ଣ: ଚଳିତବର୍ଷ ଶେଷ ଭାଗରେ ଭାରତୀୟ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଘରୋଇ ଦଳ ବିପକ୍ଷରେ ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି୨୦ ସିିରିଜ୍‌ ଖେଳିବ। ଦୁଇ ଦଳ ମଧ୍ୟରେ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଏହି ସିରିଜ୍‌ ନିମନ୍ତେ ଗୁରୁବାର ଅଷ୍ଟ୍ରେଲିଆର ଦିନିକିଆ ଓ ଟ୍ବେଣ୍ଟି୨୦ ଦଳ ଘୋଷିତ ହୋଇଛି। ଉଭୟ ଦିନିକିଆ ଓ ଟ୍ବେଣ୍ଟି୨୦ ଦଳରେ ନୂଆ ମୁହଁ ଭାବେ ଯୁବ ଅଲରାଉଣ୍ଡର କାମେରନ୍‌ ଗ୍ରୀନ୍‌ଙ୍କୁ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯାଇଛି। ସେହିପରି ଦୀର୍ଘ ୩ ବର୍ଷର ପରେ ମୋଇସେସ୍‌ ହେନ୍‌ରିକ୍‌ସ ଅଷ୍ଟ୍ରେଲିଆ ଦଳକୁ ଫେରିଛନ୍ତି। ଘରୋଇ ବିଗ୍‌ବାସ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ ହେନ୍‌ରିକ୍‌ସ ଜାତୀୟ ଦଳକୁ ଫେରିଥିବା ଆଲୋଚନା ହେଉଛି। ଦୁଇ ଦଳ ମଧ୍ୟରେ ନଭେମ୍ବର ୨୭, ୨୯ ଓ ଡିସେମ୍ବର ୨ରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଡିସେମ୍ବର ୪, ୬ ଓ ୮ରେ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ଦିନିକିଆ ଓ ଟ୍ବେଣ୍ଟି୨୦ ସିରିଜ୍‌ ଶେଷ ହେବା ପରେ ଟେଷ୍ଟ ସିରିଜ୍ ଖେଳାଯିବ।

ଗୁରୁବାର ଦଳ ଘୋଷଣା କରି ଅଷ୍ଟ୍ରେଲିଆର ମନୋନୟନକାରୀ ଟ୍ରେଭର ହନ୍‌ସ କହିଥିଲେ ଗ୍ରୀନ୍‌ ଘରୋଇ କ୍ରିକେଟ୍‌ରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ତେଣୁ ତାଙ୍କୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ସଂପର୍କରେ ଅଭିଜ୍ଞତା ପ୍ରଦାନ ପାଇଁ ଭାରତ ବିପକ୍ଷ ଟ୍ବେଣ୍ଟି୨୦ ଓ ଦିନିକିଆ ଦଳରେ ସାମିଲ କରାଯାଇଛି। ତାଙ୍କ ନିକଟରେ ବେଶ୍ ଦକ୍ଷତା ରହିଥିବାରୁ ଭବିଷ୍ୟତରେ ସେ ଜଣେ ବିଶ୍ବସ୍ତରୀୟ କ୍ରିକେଟର୍‌ ହୋଇପାରିବେ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ଆଶା ରଖିଛି। ଉଲ୍ଲେଖଥାଉକି କିଛିଦିନ ତଳେ ଗ୍ରୀନ୍‌ଙ୍କୁ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଗ୍ରେଗ୍‌ ଚ୍ୟାପେଲ୍‌ ଉଚ୍ଚପ୍ରଶଂସା କରିଥିଲେ।

ୟୁଏଇ​‌​‌ରେ ଖେଳାଯାଉଥିବା ଆଇପିଏଲ୍‌ ସମୟରେ ଆଘାତପ୍ରାପ୍ତ ହୋଇଥିବା ଅଷ୍ଟ୍ରେଲିଆ କ୍ରିକେଟର୍‌ ମିଚେଲ୍‌ ମାର୍ଶଙ୍କୁ ଭାରତ ବିପକ୍ଷ ଟ୍ବେଣ୍ଟି୨୦ ଓ ଦିନିକିଆ ସିରିଜ୍‌ ନିମନ୍ତେ ଦଳରେ ସାମିଲ କରାଯାଇ ନାହିଁ। ଆରୋନ୍‌ ଫିଞ୍ଚ୍ ଦଳର ନେତୃତ୍ବ ନେବାକୁ ଥିବା ବେଳେ ପ୍ୟାଟ୍‌ କମିନ୍‌ସ ଉପଅଧିନାୟକ ଭାବେ ଦାୟିତ୍ବ ନିର୍ବାହ କରିବେ।

ଅଷ୍ଟ୍ରେଲିଆ ଦିନିକିଆ ଓ ଟ୍ବେଣ୍ଟି୨୦ ଦଳ : ଆରୋନ୍‌ ଫିଞ୍ଚ୍ (ଅଧିନାୟକ), ସେନ୍‌ ଆବର୍ଟ, ଆଷ୍ଟନ୍‌ ଆଗର୍‌, ଆଲେକ୍ସ କ୍ୟାରି, ପ୍ୟାଟ୍‌ କମିନ୍‌ସ (ଉପଅଧିନାୟକ), କାମେରନ୍‌ ଗ୍ରୀନ୍‌, ଜୋସ୍‌ ହାଜେଲ୍‌ଉଡ୍, ମୋଇସେସ୍‌ ହେନ୍‌ରିକ୍‌ସ, ମାର୍ନସ୍‌ ଲାବୁସାନ୍‌, ଗ୍ଲେନ୍‌ ମ୍ୟାକ୍‌ସୱେଲ୍‌, ଡାନିଏଲ୍‌ ସାମସ୍‌, କେନ୍‌ ରିଚାର୍ଡସନ୍‌, ଷ୍ଟିଭେନ୍‌ ସ୍ମିଥ୍‌, ମିଚେଲ୍‌ ଷ୍ଟାର୍କ, ମାର୍କସ୍‌ ଷ୍ଟୋଇନିସ୍‌, ମ୍ୟାଥୁ ୱେଡ୍‌, ଡେଭିଡ୍‌ ୱାର୍ଣ୍ଣର ଓ ଆଦାମ୍‌ ଜମ୍ପା।

Comments are closed.