୪ର୍ଥ ଟି୨୦ ଆଜି: କର ବା ମର ସ୍ଥିତିରେ ଭାରତ

ଅହମ୍ମଦାବାଦ: ଅଦ୍ୟାବଧି ଭାରତ-ଇଂଲଣ୍ଡ ଟ୍ବେଣ୍ଟି୨୦ ସିରିଜ୍‌ରେ ଗୋଟିଏ ଧାରା ଦେଖିବାକୁ ମିଳିଛି। ତାହା ହେଉଛି ଟସ୍ ଜିତି ବୋଲିଂକରି ପ୍ରତିପକ୍ଷଙ୍କୁ ଚାପରେ ପକାଇବା। ଅଦ୍ୟାବଧି ୩ଟିଯାକ ମ୍ୟାଚ୍‌ର ଫଳାଫଳ ଟସ୍ ସହ ଯାଇଛି। ଗୁରୁବାର ଏଠାରେ ୪ର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ଏବେ ୧-୨ରେ ପଛୁଆ ଥିବା ଭାରତ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟିକରିଛି। ସିରିଜ୍‌ରେ ବଜାୟ ରହିବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ ନିଶ୍ଚୟ ଜିତିବାକୁ ପଡ଼ିବ। ତେଣୁ ଟସ୍‌ର ପ୍ରଭାବକୁ ଭାରତୀୟ ଦଳକୁ ଭୁଲିଯିବାକୁ ହେବ। କାରଣ ଟସ୍ ଉପରେ ଦଳର ନିୟନ୍ତ୍ରଣ ନାହିଁ ସତ; ତେବେ ଭଲ ପ୍ରଦର୍ଶନ କରି ମ୍ୟାଚ୍‌କୁ ନୀଳ ବାହିନୀ ନିୟନ୍ତ୍ରଣକୁ ନେଇପାରିବ। ଚଳିତବର୍ଷ ଭାରତରେ ଟ୍ବେଣ୍ଟି୨୦ ବିଶ୍ବକପ୍ ଖେଳାଯିବାର ଥିବା ବେଳେ ପ୍ରଥମେ ବ୍ୟାଟିଂକରିବା ଏବଂ ରନ୍‌ର ପିଛାକରିବା; ଉଭୟ ସ୍ଥିତିରେ ଦଳକୁ ଭଲ ପ୍ରଦର୍ଶନ କରିବାକୁ ହେବ ବୋଲି ଅଧିନାୟକ ବିରାଟ କୋହଲି ଗୁରୁତ୍ବ ଦେଇ ଆସିଛନ୍ତି।

ପ୍ରଥମ ଓ ୩ୟ ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଥିବା ବେଳେ ଉଭୟ ମ୍ୟାଚ୍‌ରେ ପାୱରପ୍ଲେରେ ୩ଟି ଲେଖାଏଁ ୱିକେଟ ହରାଇବାରୁ ବଡ଼ ସ୍କୋର୍ କରି ପାରିନଥିଲା। ଅବଶ୍ୟ ଏହି ୨ଟି ମ୍ୟାଚ୍‌ରେ ଶ୍ରେୟାସ ଆୟର ଓ ବିରାଟ କୋହଲି ଭଲ ଇନିଂସ ଖେଳିଥିଲେ। ଓପ୍‌ନର କେ.ଏଲ୍‌. ରାହୁଲ ଅଦ୍ୟାବଧି ୩ଟି ମ୍ୟାଚ୍‌ରୁ ମାତ୍ର ୧ ରନ୍ କରିଥିବା ବେଳେ ତାଙ୍କ ପ୍ରତି କୋହଲି ଓ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ସମର୍ଥନ ବ୍ୟକ୍ତ କରିଛନ୍ତି। ଏପରି ସ୍ଥିତିରେ ରାହୁଲଙ୍କୁ ଆଉ ଏକ ସୁଯୋଗ ମିଳିଲେ; ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏପରି ବି ହୋଇପାରେ ଯେ ରାହୁଲଙ୍କ ସ୍ଥାନରେ ଈଶାନ୍ କିଷନଙ୍କୁ ଓପନ୍‌ କରାଇ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟକ୍ରମରେ ଖେଳାଯିବ। ପେସ୍ ବୋଲର ଭାବେ ଭାରତ ସାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ନବଦୀପ ସୈନିଙ୍କୁ ଅତିରିକ୍ତ ଗତି ପାଇଁ ଖେଳାଇପାରେ। କାରଣ ୨ଟି ମ୍ୟାଚ୍‌ରେ ଜୋଫ୍ରା ଆର୍ଚର ଓ ମାର୍କ ଉଡ୍‌ଙ୍କ ଗତି ହିଁ ଭାରତୀୟ ଉପର ଅର୍ଡର ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଚାପରେ ପକାଇଛି। ଉଭୟେ ପିଚ୍‌ରୁ ଅତିରିକ୍ତ ବାଉନ୍‌ସ ପାଇବା ଯୋଗୁଁ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ମନରେ ଦ୍ବିଧା ସୃଷ୍ଟିହୋଇଛି। ଭାରତ ପରାସ୍ତ ହୋଇଥିବା ୨ଟି ମ୍ୟାଚ୍‌ରେ ଲେଗ୍‌ସ୍ପିନର ୟୁଜବେନ୍ଦ୍ର ଚହଲ ଅଧିକ ରନ୍‌ଦେବା ଦଳକୁ ଚିନ୍ତାରେ ପକାଇଛି। ହାର୍ଦିକ ପାଣ୍ଡ୍ୟା ଓ ୱାଶିଂଟନ ସୁନ୍ଦର ଭଲ ବୋଲିଂ କରିଥିବା ବେ‌େ​‌ଳ ଅନ୍ୟ ବୋଲରଙ୍କଠାରୁ ଭାରତ ଅନୁରୂପ ଆଶାରଖିଛି। ଭାରତୀୟ ଏକାଦଶରେ ବେଶି ପରିବର୍ତ୍ତନର ସମ୍ଭାବନା କମ୍। ଇଂଲଣ୍ଡ ମଧ୍ୟ ଅପରିବର୍ତ୍ତିତ ଏକାଦଶ ନେଇ ଓହ୍ଲାଇପାରେ। ୩ୟ ଟି୨୦ରେ ଜୋସ୍ ବଟ୍‌ଲର ବଡ଼ ସ୍କୋର୍‌କରିବା ଭାରତ ପାଇଁ ସତର୍କ ଘଣ୍ଟି। ବିଶ୍ବର ଯେକୌଣସି ଆକ୍ରମଣକୁ ଖିନ୍‌ଭିନ୍ କରିବାର ସାମର୍ଥ୍ୟ ବଟ୍‌ଲରଙ୍କର ରହିଛି। ଜନି ବେୟାରଷ୍ଟୋ ମଧ୍ୟ ଫର୍ମକୁ ଫେରିଛନ୍ତି। ବ୍ୟାଟିଂରେ ବେନ୍ ଷ୍ଟୋକ୍‌ସ ଓ ଅଧିନାୟକ ଇଓନ୍‌​‌ ମୋର୍ଗାନ୍‌ଙ୍କର ଅଭିଜ୍ଞତା ଥିବା ବେଳେ ବିଶ୍ବର ୧ନଂ ଟି୨୦ ବ୍ୟାଟ୍‌ସମ୍ୟାନ୍ ଡାୱିଡ୍‌ ମାଲାନ୍ ଅଦ୍ୟାବଧି ବଡ଼ ଇନିଂସ ଖେଳିନାହାନ୍ତି। ବିଶ୍ବର ୧ନଂ ଦଳ ଇଂଲଣ୍ଡ ଦଳ ଶକ୍ତିଶାଳୀ ମନେହେଉଛି ସତ; ଏହାକୁ ପରାସ୍ତ କରିବାର ସମସ୍ତ ଶକ୍ତି ଭାରତର ରହିଛି। ୪ର୍ଥ ମ୍ୟାଚ୍‌ ଜିତି ଇଂଲଣ୍ଡ ସିରିଜ୍‌ କବ୍‌ଜା କରିବା ଲକ୍ଷ୍ୟ​‌େ​‌ର ଥିବା ବେଳେ ଭାରତ ସିରିଜ୍‌କୁ ୨-୨ ସ୍ଥିତିକୁ ଆଣି ଶନିବାର ନିର୍ଣ୍ଣାୟକ ମୁକାବିଲାକୁ ଅପେକ୍ଷା କରିବାକୁ ପ୍ରୟାସ କରିବ।

Comments are closed.