କଟକଣାରେ ପାଳନ ହେବ ସ୍ବାଧୀନତା ଦିବସ ; ପରେଡ ଓ ସର୍ବସାଧାରଣଙ୍କ ସମାଗମକୁ ନା

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ସ୍ବାଧୀନତା ଦିବସ ଉତ୍ସବ କଟକଣା ମଧ୍ୟରେ ପାଳନ କରାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଓ ଜିଲାସ୍ତରରେ ଏହି ଉତ୍ସବ ପାଳନବେଳେ ପରେଡ ବନ୍ଦ ରଖିବା ଓ ଉତ୍ସବ ସ୍ଥଳରେ ସର୍ବସାଧାରଣଙ୍କ ଅଂଶଗ୍ରହଣ ଉପରେ କଟକଣା ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି। ସଂକ୍ରମଣ ଆଶଙ୍କାରେ ବଡ଼ଧରଣର ଜନସମାଗମ ଉପରେ ପ୍ରତିବନ୍ଧକ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି।
କେବଳ ସରକାରୀ ସ୍ତରରେ ସ୍ବଳ୍ପ ସଂଖ୍ୟକ ଅତିଥିଙ୍କୁ ନେଇ ଏହି ଜାତୀୟ ଦିବସ ପାଳନ କରାଯିବାକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ ସମସ୍ତ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଗୃହ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସକାଳ ୯ଟାରେ ସମସ୍ତ ସ୍ଥାନରେ ମୁଖ୍ୟ ଅତିଥିଙ୍କ ଦ୍ବାରା ପତାକା ଉତ୍ତୋଳନ କରାଯିବ। ଏହାପରେ ଜାତୀୟ ସଙ୍ଗୀତ ପରିବେଷଣ କରାଯିବ। ମୁଖ୍ୟ ଅତିଥିଙ୍କୁ ସମ୍ମାନ ଜଣାଇବାକୁ କେବଳ ଗୋଟିଏ କିମ୍ବା ଦୁଇଟି ପୁଲିସ ଦଳ ଏଥିରେ ଭାଗ ନେବ। ସର୍ବାଧିକ ୫୦ ରୁ ୭୫ ଅତିଥି ଅଂଶଗ୍ରହଣ କରିପାରିବେ। ଅତିଥିଙ୍କ ମଧ୍ୟରେ ୧୫ରୁ ୨୦ରୁ ଜଣ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପରିମଳ କର୍ମଚାରୀଙ୍କ ପରି କରୋନା ଯୋଦ୍ଧାଙ୍କୁ ନିମନ୍ତ୍ରଣ କରାଯିବ। ଏହି ସମୟରେ ସାମାଜିକ ଦୂରତା ପାଳନ, ତୁଣ୍ଡି ପରିଧାନ ଓ ବିଶୋଧନ ଉପରେ ଧ୍ୟାନ ଦିଆଯିବ। ଚାରାରୋପଣ ଏବଂ ପ୍ରତ୍ୟକ୍ଷ ସେବା ନିୟନ୍ତ୍ରଣ (ଅନଲାଇନ)ରେ ପ୍ରବନ୍ଧ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଦ୍ବାରା ଏହି ଦିବସ ପାଳନ ସ୍ମରଣୀୟ କରାଯିବାକୁ ନିର୍ଦେଶ ଦିଆଯାଇଛି। ମଣ୍ଡଳ ଓ ପଞ୍ଚାୟତସ୍ତରରେ ମଧ୍ୟ ଏହି ସବୁ ନିୟମ ପାଳନ କରାଯିବାକୁ ନିର୍ଦେଶ ରହିଛି।

Comments are closed.