ଆଜି ବାରବାଟୀ ଲଢେଇ: ବର୍ଷର ଶେଷ ସିରିଜ୍ ଜିତିବା ଲକ୍ଷ୍ୟରେ ବିରାଟ ସେନା

କଟକ: ୧୪ ବର୍ଷ ହେଲା ଭାରତୀୟ କ୍ରିକେଟ ଦଳ ଘରୋଇମାଟିରେ କ୍ରମାଗତ ୨ଟି ଦିନିକିଆ ସିରିଜ୍ ହାରିନାହିଁ। ୨୦୦୫ରେ ପାକିସ୍ତାନ ଦଳ ଘରୋଇ ଭାରତକୁ ଦିନିକିଆ ସିରିଜ୍‌ରେ ୪-୨ରେ ପରାସ୍ତ କରିଥିଲା। ପୁଣି ୧୭ ବର୍ଷ ତଳେ ଭାରତମାଟିରେ ଦିନିକିଆ ସିରିଜ୍ ଜିତିଥିଲା ୱେଷ୍ଟଇଣ୍ଡିଜ୍। ୧୭ ବର୍ଷ ଦଳର ରେକର୍ଡକୁ ଦୋହରାଇବା ଲକ୍ଷ୍ୟରେ ରହିଛି କୈରନ୍ ପୋଲାର୍ଡଙ୍କ ଦଳ। ପୁଣି ଭାରତକୁ ତା’ର ମାଟିରେ କ୍ରମାଗତ ୨ୟ ଦିନିକିଆ ସିରିଜ୍ ପରାଜୟ ଦେବାକୁ ଅପେକ୍ଷା କରିଛି ଇଣ୍ଡିଜ୍। ଗତଥର ଅଷ୍ଟ୍ରେଲିଆ ଭାରତମାଟିରେ ୩-୨ରେ ଦିନିିକିଆ ସିରିଜ୍ ଜିତିଥିଲା। ତେବେ ଏଥର ଏହାର ପୁନରାବୃତ୍ତି ହେବା ସମ୍ଭାବନା କମ୍। କାରଣ ୱେଷ୍ଟଇଣ୍ଡିଜ୍ ତୁଳନାରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ବେଶ୍ ଶକ୍ତିଶାଳୀ ରହିଛି। ତେବେ ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ଦେଖାଇଛି ଯେ ଏହାର ବ୍ୟାଟିଂ ଓ ବୋଲିଂ ଗୋଟିଏ ମ୍ୟାଚ୍‌ରେ ସଫଳହେଲେ; ଭାରତ ପରି ଶକ୍ତିଶାଳୀ ଦଳକୁ ଏହା ପରାସ୍ତ କରିପାରିବ। ତେବେ ବର୍ଷର ଶେଷ ସିରିଜ୍ ତଥା ମ୍ୟାଚ୍ ଜିତିବା ଲକ୍ଷ୍ୟରେ ଭାରତୀୟ ଦଳ ରହିଛି।
ଅନ୍ୟପକ୍ଷରେ ବୋଲିଂ ବିଭାଗରେ ଭାରତ ସାମାନ୍ୟ ଦୁର୍ବଳ ମନେହେଉଛି। ଗତ ୨ଟି ମ୍ୟାଚ୍‌ରେ ଭଲ ବୋଲିଂ କରିଥିବା ଦୀପକ ଚହର ଆହତ ହୋଇ କଟକ ଦିନିକିଆରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ନବଦୀପ ସୈନି ଦଳରେ ସାମିଲ ହୋଇଛନ୍ତି। ତେବେ ଭାରତୀୟ ବ୍ୟାଟିଂ ଉପରେ ନଜର ପକାଇଲେ ଏହା ବେଶ୍‌ ମଜ୍‌ଭୁତ ଲାଗୁଛି। ଦଳର ପ୍ରଥମ ୩ ବ୍ୟାଟ୍‌ସମ୍ୟାନ୍ ରୋହିତ ଶର୍ମା, କେ.ଏଲ୍‌. ରାହୁଲ ଓ ବିରାଟ କୋହଲି ସେମାନଙ୍କ ଦିନରେ ମ୍ୟାଚ୍ ବିଜେତା। ଶ୍ରେୟାସ ଆୟର କ୍ରମାଗତ ୪ର୍ଥ ଦିନିକିଆ ଅର୍ଦ୍ଧଶତକ ହାସଲକରି ୪ନଂ ସ୍ଥାନରେ ଜମିଗଲେଣି। ୫ମ ଓ ୬ଷ୍ଠ ସ୍ଥାନରେ ବ୍ୟାଟିଂ କରୁଥିବା ଋଷଭ ପନ୍ତ୍ ଓ କେଦାର ଯାଦବ ମଧ୍ୟ ଭଲ ବ୍ୟାଟିଂ କରୁଛନ୍ତି। ତେଣୁ ଘରୋଇ ପରିବେଶରେ ଭାରତୀୟ ବ୍ୟାଟିଂ ଯଦି ସଫଳ ହେଲା; ବିଶ୍ବର ଶ୍ରେଷ୍ଠ ବୋଲିଂ ଆକ୍ରମଣ ପ୍ରମାଦ ଗଣିବ। ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ବିଭାଗରେ ମଜ୍‌ଭୁତ ଲାଗୁଛି। ତେବେ ଏହାର ଦୁର୍ବଳତା ହେଲା ବୋଲିଂ। ଚାପ ପଡ଼ିଲେ ଇଣ୍ଡିଜ୍‌ର ବୋଲିଂ ଛତ୍ରଭଙ୍ଗ ଦେଉଛି। ତେଣୁ ଶକ୍ତିଶାଳୀ ଭାରତୀୟ ବ୍ୟାଟିଂ ଲାଇନ୍‌କୁ ରୋକିବାକୁ ହେଲେ ୱେଷ୍ଟଇଣ୍ଡିଜ୍‌କୁ ସହଳ ୱିକେଟ ନେବାକୁ ପଡ଼ିବ; ଯାହା ସେମାନେ ପ୍ରଥମ ଦିନିକିଆରେ କରିଥିଲେ। ଟ୍ବେଣ୍ଟି୨୦ ସିରିଜ୍‌ରେ ଚମତ୍କାର ବ୍ୟାଟିଂ କରିଥିବା ଅଧିନାୟକ ବିରାଟ କୋହଲି ଗତ ୨ଟି ଦିନିକିଆ ମ୍ୟାଚ୍‌ରେ ୫ଟି ବଲ୍‌ ଖେଳି ୪ ରନ୍ କରିଛନ୍ତି। ତେଣୁ କଟକରେ ତାଙ୍କଠାରୁ ଭାରତ ବଡ଼ ସ୍କୋର୍‌ର ଆଶାରଖିଛି। କଟକ ଦର୍ଶକଙ୍କ ଆଖି ନିଶ୍ଚୟ ଏହି ମ୍ୟାଚ୍ ବିଜେତାଙ୍କ ଉପରେ ରହିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କୋହଲିଙ୍କ ଦିନିକିଆ ଆଭ୍‌ରେଜ୍ ହେଉଛି ୭୧.୬୬। ଆଇପିଏଲ୍‌ ନିଲାମରେ କୋଟିପତି ହେବା ପୂର୍ବରୁ ସେଲ୍‌ଡନ କଟ୍ରେଲ୍‌ ପ୍ରଥମ ଦିନିକିଆରେ ଚମ୍ପିଆନ୍‌ଙ୍କ ପରି ବୋଲିଂ କରିଥିଲେ। ତେବେ ୨ୟ ଦିନିକିଆ​‌ରେ ସେ ନିମ୍ନମାନର ବୋଲିଂ କରିଥିଲେ। ତଥାପି କଟ୍ରେଲଙ୍କ ପ୍ରତି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ସତର୍କ ରହିବାକୁ ପଡ଼ିବ। ଭାରତ ଏହି ମ୍ୟାଚ୍‌ରେ ନବଦୀପ ସୈନିଙ୍କୁ ଖେଳାଇବା ନିଶ୍ଚିତ ହୋଇଥିବା ବେଳେ ସାର୍ଦ୍ଦୁଳ ଠାକୁର ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣେ ଖେଳିବେ। ୱେଷ୍ଟଇଣ୍ଡିଜ୍‌ ବ୍ୟାଟିଂ ଲାଇନ୍‌ରେ ସମସ୍ତେ ଭଲ ଫର୍ମରେ ଅଛନ୍ତି। ତେବେ ଦଳ ଅଧିନାୟକ ପୋଲାର୍ଡଙ୍କ ସହ ଏଭିନ୍ ଲୁଇସ୍, ସାଇ ହୋପ୍, ସିମ୍ରନ୍ ହେତ୍‌ମେୟର ଓ ନିକୋଲାସ୍ ପୁରନ୍ ମ୍ୟାଚ୍ ବିଜେତା ପ୍ରମାଣିତ ହୋଇପାରନ୍ତି। ତେବେ ଗତ ମ୍ୟାଚ୍‌ରେ ହ୍ୟାଟ୍ରିକ୍ ନେଇଥିବା କୁଲଦୀପ ଯାଦବଙ୍କ ପ୍ରତି ସେମାନଙ୍କୁ ସତର୍କ ରହିବାକୁ ପଡ଼ିବ। ମ୍ୟାଚ୍‌ରେ କାକର ପ୍ରଭାବ ରହିବ। ତେଣୁ ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇପାରନ୍ତି।

Comments are closed.