ଡିଏଲ୍‌ଏସ୍‌ରେ ୩ୟ ଟି୨୦ ଟାଇ, ଶୃଙ୍ଖଳା ଜିତିଲା ଭାରତ

ନେପିଅର୍: ଭାରତ ଓ ଘରୋଇ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଛି। ମଙ୍ଗଳବାର ମହମ୍ମଦ ସିରାଜ୍ ୪ଟି ୱିକେଟ ନେବାରୁ ପ୍ରଥମେ ବ୍ୟାଟିଂକରି ନ୍ୟୁଜିଲାଣ୍ଡ ୧୬୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥଲା। ପ୍ରବଳ ବର୍ଷା ଯୋଗୁଁ ମ୍ୟାଚ୍‌ ବନ୍ଦହେବା ବେଳକୁ ଭାରତ ୯ ଓଭରରେ ୪ ୱିକେଟ ହରାଇ ୭୫ ରନ୍‌ କରିଥିଲା। ଡକ୍‌ୱର୍ଥ-ଲୁଇସ୍‌ ନିୟମରେ ସେତେବେଳକୁ ଉଭୟ ଦଳଙ୍କ ସ୍କୋର୍ ସମାନ ଥିବାରୁ ମ୍ୟାଚ୍‌ ଟାଇ ରହିଥିଲା। ଭାରତ ଆଉ ୧ ରନ୍‌ ଅଧିକ କରିଥିଲେ ବିଜୟୀ ହୋଇଥାଆନ୍ତା। ତେବେ ନ୍ୟୁଜିଲାଣ୍ଡ ଯଦି ୧ ରନ୍‌ ବଞ୍ଚାଇଥାଆନ୍ତା; ଏହା ଜିତିଥାଆନ୍ତା। ମ୍ୟାଚ୍‌ ବନ୍ଦହେବା ପୂର୍ବରୁ ଶେଷ ବଲ୍‌ରେ ନ୍ୟୁଜିଲାଣ୍ଡର ମିଚେଲ ସାଣ୍ଟ୍‌ନର ମିସ୍‌ଫିଲ୍‌ଡ କରିବାରୁ ଦୀପକ ହୁଡା ୧ ରନ୍‌ ନେଇଥିଲେ। ଅନ୍ୟଥା ନ୍ୟୁଜିଲାଣ୍ଡ ଜିତିଥାଆନ୍ତା।

ଏହା ବି ସତ ଯେ ଭାରତୀୟ ଇନିଂସର ୮ମ ଓଭରରେ ଝିପିଝିପି ବର୍ଷା ଆରମ୍ଭ ହୋଇ ଯାଇଥିଲା। ଅଧିନାୟକ ହାର୍ଦିକ ପାଣ୍ଡ୍ୟା କ୍ରିଜ୍‌ରେ ଥିବା ବେଳେ ଅତିକମ୍‌ରେ ତାଙ୍କ ପାଖରେ ପ୍ରତି ବଲ୍‌ ପରେ ଡିଏଲ୍‌ଏସ୍‌ ନିୟମରେ ଜିତିବା ପାଇଁ କେତେ ରନ୍‌ ଆବଶ୍ୟକ; ତା’ର ଚିଠା ରହିବା କଥା। ହେଲେ ଏହା ଜାଣିନପାରି ୯ମ ଓଭରରେ ହାର୍ଦିକ-ହୁଡା ୬ ରନ୍‌ ନେବାରୁ ସ୍କୋର୍‌ ସମାନ ରହିବା ସହ ମ୍ୟାଚ୍‌ ଟାଇ ରହିଥିଲା। ଫଳରେ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ଭାରତ ୧-୦ରେ ଜିତିନେଇଛି। ଶୁକ୍ରବାରଠାରୁ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଖେଳାଯିବ। ମଙ୍ଗଳବାର ଅନ୍ତିମ ଟ୍ବେଣ୍ଟି୨୦ ପୂର୍ବରୁ ବର୍ଷା ଯୋଗୁଁ ୪୦ ମିନିଟ ପରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଡେଭନ୍‌ କନ୍‌ୱେ ଓ ଗ୍ଲେନ୍‌ ଫିଲିପ୍‌ସଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ବଡ଼ ସ୍କୋର୍ ଆଡ଼କୁ ଗତି କରୁଥିଲା। ତେବେ ୩୦ ରନ୍‌ରେ ନ୍ୟୁଜିଲାଣ୍ଡ ଶେଷ ୮ଟି ୱିକେଟ ହରାଇ ୧୬୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ଭାରତ ୨୧ ରନ୍‌ରେ ୩ଟି ୱିକେଟ ହରାଇବା ସତ୍ତ୍ବେ ହାର୍ଦିକ ପାଣ୍ଡ୍ୟା ଆକ୍ରମଣ କରିବାରୁ ଭାରତ ଡିଏଲ୍‌ଏସ୍‌ ସ୍କୋର୍ ସହ ସମାନ ହୋଇ ପାରିଥିଲା।

ନ୍ୟୁଜିଲାଣ୍ଡ ଟସ୍‌ ଜିତି ବ୍ୟାଟିଂ ନେଇଥିଲା। ଫର୍ମରେ ଥିବା ଓପ୍‌ନର ଡେଭନ୍ କନ୍‌ୱେ ଭଲ ବ୍ୟାଟିଂ କରିଥିଲେ ହେଁ ୪୪ ରନ୍‌ରେ ନ୍ୟୁଜିଲାଣ୍ଡ ୨ଟି ୱିକେଟ ହରାଇଥିଲା। ଫିନ୍ ଆଲେନ୍ ୩ ଓ ମାର୍କ ଚାପ୍‌ମ୍ୟାନ୍ ୧୨ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ କନ୍‌ୱେ ଓ ଗ୍ଲେନ୍‌ ଫିଲିପ୍‌ସ ପ୍ରତ୍ୟାକ୍ରମଣ କରିଥିଲେ। ଦୁହେଁ ୩ୟ ୱିକେଟ ପାଇଁ ୬୩ ବଲ୍‌ରୁ ୮୮ ରନ୍‌ ଯୋଡ଼ିଥିଲେ। ନ୍ୟୁଜିଲାଣ୍ଡ ରନ୍‌ଗତି ବଢ଼ାଇବାକୁ ଉଦ୍ୟତ ହେଉଥିବା ବେଳେ ମହମ୍ମଦ ସିରାଜ୍ ଏଥିରେ ବ୍ରେକ୍‌ ଲଗାଇଥିଲେ। ନ୍ୟୁଜିଲାଣ୍ଡ ୧୪ ରନ୍‌ରେ ଶେଷ ୭ଟି ୱିକେଟ ହରାଇଥିଲା। କନ୍‌ୱେ ୪୯ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୫୯ ରନ୍‌ କରିଥିଲେ। ବିସ୍ଫୋରକ ବ୍ୟାଟିଂକରି ଫିଲିପ୍‌ସ ୩୩ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୫୪ ରନ୍‌ କରିଥିଲେ। ଡ୍ୟାରିଲ୍‌ ମିଚେଲ ୧୦ ରନ୍‌ କରିଥିଲେ। ସିରାଜ୍ ୪ ଓଭରରୁ ମାତ୍ର ୧୭ ରନ୍‌ଦେଇ ୪ଟି ୱିକେଟ ନେଇ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ଅର୍ଶଦୀପ ସିଂହ ୪ଟି ୱିକେଟ ନେଇଥିଲେ ହେଁ ୩୭ ରନ୍‌ ଦେଇଥିଲେ। ବିପର୍ଯ୍ୟୟ ସହ ଭାରତ ୧୬୧ ରନ୍‌ର ପିଛା କରିଥିଲା। ଇଶାନ୍ କିଷନ୍‌ ଗୋଟିଏ ଲେଖାଏଁ ଛକା ଓ ଚୌକା ମାରି ଆଉଟ୍‌ ହୋଇଥିଲେ। ଓପ୍‌ନର ଭାବେ ଋଷଭ ପନ୍ତ୍‌ ପୁଣି ବିଫଳ ହୋଇ ୧୧ ରନ୍‌ କରିଥିଲେ। ଶ୍ରେୟାସ ଆୟର ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ଚଳିତବର୍ଷ ଟି୨୦ରେ ସର୍ବାଧିକ ରନ୍‌ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ୧୩ ରନ୍‌ରେ ଆଉଟ୍‌କରି ନ୍ୟୁଜିଲାଣ୍ଡ ବଡ଼ ସଫଳତା ହାସଲ କରିଥିଲେ। ପରେ ଅଧିନାୟକ ହାର୍ଦିକ ଆକ୍ରମଣ କରିଥିଲେ। ହାର୍ଦିକ ଓ ଦୀପକ ହୁଡା ସ୍କୋର୍‌କୁ ୭୫ ରନ୍‌ରେ ପହଞ୍ଚାଇବା ପରେ ବର୍ଷା ହୋଇଥିଲା। ହାର୍ଦିକ ୧୮ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୦ ଏବଂ ହୁଡା ୯ ରନ୍‌କରି ଅପରାଜିତ ଥିଲେ। ଅଧିନାୟକ ଟିମ୍ ସାଉଦି ୨ଟି ୱିକେଟ ନେଇଥିଲେ। ସୂର୍ଯ୍ୟକୁମାର ପ୍ଲେୟର ଅଫ୍ ଦି ସିରିଜ୍‌ ହୋଇଥିଲେ।

Comments are closed.