କୋହଲି ଓ ସାର୍ଦ୍ଦୁଳଙ୍କ ଅର୍ଦ୍ଧଶତକ, ଭାରତର ୧୯୧ ରନ୍‌

ଓଭାଲ୍‌: ଇଂଲଣ୍ଡ ଗସ୍ତରେ ଭାରତର ବ୍ୟାଟିଂ ସମସ୍ୟା ଜାରିରହିଛି। ଗୁରୁବାରଠାରୁ ଏଠାରେ ଆରମ୍ଭ ହୋଇଥିବା ୪ର୍ଥ ଟେଷ୍ଟରେ ସାର୍ଦ୍ଦୁଳ ଠାକୁର ବିସ୍ଫୋରକ ଅର୍ଦ୍ଧଶତକ ମାରିନଥିଲେ ଦେଢ଼ଶହ ରନ୍ ମଧ୍ୟ ଭାରତ ପାଇଁ କଷ୍ଟକର ହୋଇଥାଆନ୍ତା। ଅଧିନାୟକ ବିରାଟ କୋହଲି ଓ ସାର୍ଦ୍ଦୁଳ ଠାକୁରଙ୍କ ଅର୍ଦ୍ଧଶତକ ସତ୍ତ୍ବେ ପ୍ରଥମଦିନରେ ଭାରତ ପ୍ରଥମ ଇନିଂସରେ ୧୯୧ ରନ୍‌କରି ସମସ୍ତ ୱିକେଟ ହରାଇଛି। ଭାରତ ୧୨୭ ରନ୍‌ରେ ୭ଟି ୱିକେଟ ହରାଇଥିଲେ ହେଁ ସାର୍ଦ୍ଦୁଳଙ୍କ ଇନିଂସ ଯୋଗୁଁ ଭାରତ ୧୯୧ରେ ପହଞ୍ଚି ପାରିଥିଲା।

ପରେ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭକରି ବିପର୍ଯ୍ୟୟ ଭୋଗିଛି। ପ୍ରଥମ ଦିନର ଷ୍ଟମ୍ପ୍‌ ଅପସାରଣ ବେଳକୁ ଇଂଲଣ୍ଡ ପ୍ରଥମ ଇନିଂସରେ ୩ ୱିକେଟ ହରାଇ ୫୩ ରନ୍‌ କରିଛି। ଏହାର ଦୁଇ ଓପ୍‌ନର ଜଲ୍‌ଦି ଆଉଟ ହୋଇଥିଲେ। ରୋରି ବର୍ନସ ୫ ଓ ହସିବ୍ ହମିଦ୍ ବିନା ସ୍କୋର୍‌ରେ ଫେରି ଯାଇଥିଲେ। ଯଶପ୍ରୀତ ବୁମ୍‌ରା ଉଭୟ ୱିକେଟ ନେଇଥିଲେ। ପରେ ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ ଡାୱିଡ୍‌ ମଲାନ୍ ଓ ଅଧିନାୟକ ଜୋ ରୁଟ୍‌ ଜଲ୍‌ଦି ୪୬ ରନ୍‌ ଯୋଡ଼ିଥିଲେ। ରୁଟ୍‌ ୨୧ ରନ୍‌କରି ଉମେଶ ଯାଦବଙ୍କ ଶିକାର ହୋଇଥିଲେ। ମଲାନ୍ ୨୬ ଓ କ୍ରେଗ୍ ଓଭର୍ଟନ ୧ ରନ୍‌କରି ଅପରାଜିତ ଅଛନ୍ତି। ୮ ୱିକେଟ ବାକିଥିବା ବେଳେ ଇଂଲଣ୍ଡ ଏବେ ୧୩୮ ରନ୍ ପଛରେ ରହିଛି। ଭାରତ ପାଇଁ ଏହା ଶୁଭଙ୍କର ଯେ ରୁଟ୍‌ଙ୍କ ଗୁରତ୍ବପୂର୍ଣ୍ଣ ୱିକେଟ ଏହା ନେଇପାରିଛି।

ମେଘୁଆ ପାଗରେ ଟସ୍ ଜିତି ଇଂଲଣ୍ଡ ଫିଲ୍‌ଡିଂ ନେଇଥିଲା। ଭାରତୀୟ ଓପ୍‌ନିଂ ଯୋଡ଼ି ୯ ଓଭର ଖେଳି ୨୮ ରନ୍‌ କରିବା ପରେ ଉଭୟେ ଆଉଟ ହୋଇଥିଲେ। ରୋହିତ ଶର୍ମା ଏକ ଚମତ୍କାର ବଲ୍‌ରେ ୱିକେଟ ରକ୍ଷକଙ୍କୁ କ୍ୟାଚ୍ ଦେବା ପୂର୍ବରୁ ୧୧ ରନ୍‌ କରିଥିଲେ। ସେଟ୍‌ ହୋଇ ଯାଇଥିବା କେ.ଏଲ୍‌. ରାହୁଲ ୧୭ ରନ୍‌କରି ବିଦାୟ ନେଇଥିଲେ। ଗତ ମ୍ୟାଚ୍‌ରେ ୯୧ ରନ୍‌ କରିଥିବା ଚେତେଶ୍ବର ପୂଜାରା ଫର୍ମକୁ ଫେରିଛନ୍ତି ବୋଲି ଆଶା କରା ଯାଉଥିଲେ ହେଁ ୪ ରନ୍‌କରି ଅଫ୍‌ଷ୍ଟମ୍ପ୍ ବାହାରର ବଲ୍‌କୁ ୱିକେଟ ରକ୍ଷକଙ୍କ ହାତକୁ ମାରିଥିଲେ। ୫ନଂ ସ୍ଥାନରେ ରବୀନ୍ଦ୍ର ଜାଡ଼େଜା ବ୍ୟାଟିଂ ଆସିବା ଅନେକଙ୍କୁ ଚକିତ କରିଥିଲା। ତେବେ ଜାଡ଼େଜା ୧୦ ରନ୍‌ କରି ପାରିଥିଲେ। ବିରାଟ କୋହଲି କିଛି ଦର୍ଶନୀୟ ସଟ୍‌ ଖେଳି ଅର୍ଦ୍ଧଶତକ ପୂରଣ କରିଥିଲେ। କୋହଲି ୯୬ ବଲ୍‌ରୁ ୮ଟି ଚୌକା ସହ ୫୦ ରନ୍‌ କରିଥିଲେ। ଅଜିଙ୍କ୍ୟ ରାହାଣେ ତାଙ୍କ ଖରାପ ଫର୍ମ ବଜାୟ ରଖି ୪୭ ବଲ୍‌ରୁ ଗୋଟିଏ ଚୌକା ସହ ୧୪ ରନ୍‌କରି ବିଦାୟ ନେଇଥିଲେ। ଋଷଭ ପନ୍ତ୍ ୩୩ ବଲ୍‌ରୁ ୯ ରନ୍ କରି ପାରିଥିଲେ। ୧୨୭ ରନ୍‌ରେ ୭ଟି ୱିକେଟ ହରାଇ ଭାରତୀୟ ଦୟନୀୟ ସ୍ଥିତିରେ ଥିଲା। ତେବେ ସାର୍ଦ୍ଦୁଳ ଠାକୁର ୱିକେଟ ବଞ୍ଚାଇବା ଅପେକ୍ଷା ଆକ୍ରମଣ ହିଁ ଶ୍ରେଷ୍ଠ ରଣନୀତି ବୋଲି ଭାବିଥିଲେ। ଦର୍ଶନୀୟ ଷ୍ଟ୍ରୋକ୍‌ସବୁ ଖେଳିଥିବା ସାର୍ଦ୍ଦୁଳ ୮ମ ୱିକେଟ ପାଇଁ ଉମେଶ ଯାଦବଙ୍କ ସହ ୬୩ ରନ୍‌ ଯୋଡ଼ିଥିଲେ। ୩୧ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିବା ସାର୍ଦ୍ଦୁଳ ୩୬ ବଲ୍‌ରୁ ୩ଟି ଛକା ଓ ୭ଟି ଚୌକା ସହ ୫୭ ରନ୍‌ କରିଥିଲେ। ସାର୍ଦ୍ଦୁଳ ଆଉଟ ହେବା ସହ ୪ଟି ବଲ୍‌ରେ ଭାରତ ଶେଷ ୩ଟି ୱିକେଟ ହରାଇ ଅଲ୍ଆଉଟ ହୋଇଥିଲା। କ୍ରିସ୍ ୱକ୍‌ସ ୪ଟି ଓ ଓଲି ରବିନ୍‌ସନ ୩ଟି ୱିକେଟ ନେଇଥିଲେ।

Comments are closed.