ଲକ୍ଷ୍ୟ ୨୮୪ ; ନ୍ୟୁଜିଲାଣ୍ଡ ୪/୧

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌, ଆୟର, ଶାହାଙ୍କ ଅର୍ଦ୍ଧଶତକ

କାନପୁର : ପଦାର୍ପଣ ଟେଷ୍ଟର ପ୍ରଥମ ଇନିଂସରେ ଶତକ ମାରିବା ପରେ ଶ୍ରେୟାସ ଆୟର ୨ୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ପୁଣି ଋଦ୍ଧିମାନ ଶାହା ଏକ ଲଢ଼ୁଆ ଇନିଂସ ଖେଳିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟମ୍ୟାଚ୍‌ର ୨ୟ ଇନିଂସରେ ଘରୋଇ ଭାରତ ୫୧ ରନ୍‌ରେ ୫ଟି ୱିକେଟ ହରାଇ ପରାଜୟ ଆଶଙ୍କାରେ ଥିଲା । ତେବେ ଆୟର ଓ ଶାହାଙ୍କ ଅର୍ଦ୍ଧଶତକ ଯୋଗୁଁ ପରବର୍ତ୍ତୀ ୩ଟି ଭାଗିଦାରୀରେ ଭାରତ ୫୨, ୬୪  ଓ ୬୭ ରନ୍‌ କରିଥିଲା। ଫଳରେ କ୍ରମାଗତ ୨ୟ ଦିନରେ ଚାପରେ ଥିବା ଭାରତ ପ୍ରତ୍ୟାବର୍ତ୍ତନ କରିବା ସହ ମ୍ୟାଚ୍‌ ଉପରେ ତା’ର କବ୍‌ଜା ମଜ୍‌ଭୁତ କରିଛି। ନ୍ୟୁଜିଲାଣ୍ଡ ୨ୟ ଇନିଂସରେ ୨୮୪ ରନ୍‌ ବିଜୟଲକ୍ଷ୍ୟର ପିଛାକରୁଛି। ସୋମବାର ମ୍ୟାଚ୍‌ର ୫ମ ତଥା ଅନ୍ତିମ ଦିନରେ ଗ୍ରୀନ୍‌ ପାର୍କର ପିଚ୍‌ରେ ବଲ୍‌ ସ୍ପିନ୍ କରିବାର ଥିବାରୁ ଏହି ଲକ୍ଷ୍ୟ ନ୍ୟୁଜିଲାଣ୍ଡ ପାଇଁ ଅତ୍ୟନ୍ତ କଷ୍ଟକର ମନେହେଉଛି। ପ୍ରଥମ ଇନିଂସରେ ୪୯ ରନ୍‌ରେ ଆଗୁଆ ଥିବା ଭାରତ ରବିବାର ୪ର୍ଥ ଦିନ ଶେଷଆଡ଼କୁ ୭ ୱିକେଟରେ ୨୩୪ ରନ୍‌କରି ୨ୟ ଇନିଂସ ଘୋଷଣା କରିଛି। ୨୮୪ ରନ୍‌ର ପିଛା କରୁଥିବା ନ୍ୟୁଜିଲାଣ୍ଡ ୪ର୍ଥ ଦିନ ଶେଷରେ ୪ ରନ୍‌କରି ଗୋଟିଏ ୱିକେଟ ହରାଇଛି। ୱିଲ୍ ୟଙ୍ଗ୍ ୨ ରନ୍‌କରି ଅମ୍ପାୟାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିରେ ଆଉଟ ହୋଇଛନ୍ତି। ଟମ୍ ଲାଥାମ୍ ୨ ଓ ନାଇଟ୍‌ ୱାଚ୍‌ମ୍ୟାନ୍ ୱିଲିୟମ୍‌ ସମରଭିଲ୍‌ ବିନା ସ୍କୋର୍‌ରେ କ୍ରିଜ୍‌ରେ ଅଛନ୍ତି। ୯ ୱିକେଟ ହାତରେ ଥାଇ ନ୍ୟୁଜିଲାଣ୍ଡ ଆଉ ୨୮୦ ରନ୍‌ ଆବଶ୍ୟକ କରୁଛି।
୩ୟ ଦିନ ଶେଷରେ ଭାରତ ୧ ୱିକେଟ ହରାଇ ୧୪ ରନ୍‌ କରିଥିଲା। ୪ର୍ଥ ଦିନ ପ୍ରାରମ୍ଭରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଚେତେଶ୍ବର ପୂଜାରା ୩ଟି ଚୌକା ସହ ୨୨ ରନ୍‌କରି ବିଦାୟ ନେଇଥିଲେ। ଅଧିନାୟକ ଅଜିଙ୍କ୍ୟ ରାହାଣେ ମାତ୍ର ୪ ରନ୍‌ କରି ପାରିଥିଲେ। ମୟଙ୍କ ଅଗ୍ରୱାଲ ୩ଟି ଚୌକା ସହ ୧୭ ରନ୍‌କରି ବିଦାୟ ନେଇଥିଲେ। ଏହାସହ ୧୯ ରନ୍‌ରେ ୪ଟି ୱିକେଟ ପଡ଼ିଥିଲା। ରବୀନ୍ଦ୍ର ଜାଡ଼େଜା ବିନା ସ୍କୋର୍‌ରେ ଆଉଟହେବା ବେଳକୁ ଭାରତର ସ୍କୋର୍‌ ଥିଲା ୫ ୱିକେଟରେ ୫୧ ରନ୍‌। ପରେ ଆଉ ୨ଟି ୱିକେଟ ହରାଇ ଭାରତ ୧୮୩ ରନ୍‌ ଯୋଗ କରି ପାରିଥିଲା; ଯାହା ମ୍ୟାଚ୍‌ରେ ନିର୍ଣ୍ଣାୟକ ହୋଇପାରେ। ୬ଷ୍ଠ ୱିକେଟ ପାଇଁ ଶ୍ରେୟାସ ଆୟର ଓ ରବିଚନ୍ଦ୍ରନ୍ ଅଶ୍ବିନ୍ ୫୨ ରନ୍‌ ​​ଯୋଡ଼ି ଭାରତର ସ୍ଥିତି ସୁଧାରିଥିଲେ। ଅଶ୍ବିନ ଲଢ଼ୁଆ ବ୍ୟାଟିଂକରି ୫ଟି ଚୌକା ସହ ୩୨ ରନ୍‌ କରିଥିଲେ। ପରେ ଆୟର ଓ ଋଦ୍ଧିମାନ ଶାହା ୭ମ ୱିକେଟ ପାଇଁ ୬୪ ରନ୍‌ ଯୋଗ କରିଥିଲେ। ତାଙ୍କର ଏହି ସ୍ମରଣୀୟ ପ୍ରଥମ ମ୍ୟାଚ୍‌ରେ ଆୟର ୧୨୫ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୬୫ ରନ୍‌ କରି ପାରିଥିଲେ। ଏହାପରେ ମଧ୍ୟ ଭାରତର ରନ୍‌ଗତି କମ୍ ହୋଇନଥିଲା। ଋଦ୍ଧିମାନ ଶାହା ଓ ଅକ୍ଷର ପଟେଲଙ୍କ ମଧ୍ୟରେ ଅବିଭାଜିତ ୮ମ ୱିକେଟ ପାଇଁ ୬୭ ରନ୍‌ର ଭାଗିଦାରୀ ହୋଇଥିଲା । ଦୁହେଁ ଭାରତର ସ୍କୋର୍‌କୁ ୨ ଶହ ରନ୍ ପାର କରାଇଥିଲେ। ଭାରତୀୟ ଦଳ ଇନିଂସ ସମାପ୍ତି ଘୋଷଣା ବେଳକୁ ବାମହାତି ଅକ୍ଷର ପଟେଲ ଗୋଟିଏ ଛକା ଓ ୨ଟି ଚୌକା ସହ ୨୮ ରନ୍‌କରି ଅପରାଜିତ ଥିଲେ। ଟେଷ୍ଟ ଜୀବନର ୬ଷ୍ଠ ଅର୍ଦ୍ଧଶତକ ହାସଲ କରିଥିବା ଋଦ୍ଧିମାନ ଶାହା ଗୋଟିଏ ଛକା ଓ ୪ଟି ଚୌକା ସହ ୬୧ ରନ୍‌କରି ଅପରାଜିତ ଥିଲେ। ନ୍ୟୁଜିଲାଣ୍ଡର ଦୁଇ ପେସ୍ ବୋଲର ଟିମ୍ ସାଉଦି ଓ କାଏଲ୍‌ ଜେମିସନ୍‌ ୩ଟି ଲେଖାଏଁ ୱିକେଟ ନେଇଥିଲେ। ବର୍ତ୍ତମାନ ସ୍ଥିତିରେ ଭାରତ ଏବେ ସମ୍ଭାବ୍ୟ ବି​‌େ​‌ଜତା ଭାବେ ନଜର ଆସୁଛି ।

Comments are closed.