ଭାରତ ବିପକ୍ଷ ପ୍ରଥମ ଟେଷ୍ଟରୁ ପ୍ୟୁକୋୱସ୍କି ବାଦ୍; ହାରିସ୍‌ ସାମିଲ

ସିଡନୀ: ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତା ୧୭ରୁ ଆଡିଲେଡ୍‌ରେ ଖେଳାଯିବ। ଦିବାରାତ୍ର ଭାବେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ନିମନ୍ତେ ଅଷ୍ଟ୍ରେଲିଆ ଦଳରୁ ବାଦ୍‌ ପଡ଼ିଛନ୍ତି ଓପନର୍‌ ୱିଲ୍ ପ୍ୟୁକୋୱସ୍କି। ଅନ୍ୟପକ୍ଷରେ ପ୍ରଥମ ଟେଷ୍ଟ ନିମନ୍ତେ ମାର୍କସ୍‌ ହାରିସ୍‌ଙ୍କୁ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯାଇଥିବା ଶନିବାର କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ଖେଳୁଥିବା ବେଳେ ଅଷ୍ଟ୍ରେଲିଆ ଦଳର ତାରକା ଓପନର୍‌ ଡେଭିଡ୍ ୱାର୍ଣ୍ଣରଙ୍କ ଜଂଘ ମାଂସପେଶୀରେ ଆଘାତ ଲାଗିଥିଲା। ତେଣୁ ସେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ନିମନ୍ତେ ଦଳରୁ ବାଦ୍‌ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ହାରିସ୍‌ଙ୍କୁ ସାମିଲ କରାଯାଇଛି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ୟୁକୋୱସ୍କି ଅଷ୍ଟ୍ରେଲିଆ ଦଳ ତରଫରୁ ବ୍ୟାଟିଂ ଓପନ୍‌ କରିବା ଏକପ୍ରକାର ନିଶ୍ଚିତ ଥିଲା। ତେବେ ଭାରତ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ବ୍ୟାଟିଂ କରୁଥିବା ବେଳେ ଏକ ବଲ୍‌ ପ୍ୟୁକୋୱସ୍କିଙ୍କ ହେଲମେଟ୍‌ରେ ମାଡ଼ ହୋଇଥିଲା। ଆଇସିସିର କନ୍‌କୁସନ୍‌ ନିୟମ ଅନୁଯାୟୀ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି ଏବଂ ପ୍ରଥମ ଟେଷ୍ଟ ନିମନ୍ତେ ଦଳରୁ ବାଦ୍‌ ଦିଆଯାଇଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ସୂଚନା ଦିଆଯାଇଛି। ଉଭୟ ୱାର୍ଣ୍ଣର ଓ ପ୍ୟୁକୋୱସ୍କି ଆସନ୍ତା ୨୬ରୁ ମେଲବୋର୍ଣ୍ଣରେ ଖେଳାଯିବାକୁ ଥିବା ବକ୍ସିଂ ଡେ’ ଟେଷ୍ଟ ନିମନ୍ତେ ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇପାରନ୍ତି ବୋଲି ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ମନୋନୟନକାରୀ ଟ୍ରେଭର ହର୍ଣ୍ଣସ୍‌ କହିଛନ୍ତି। ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ହାରିସ୍‌ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଆସୁଥିବା ବେଳେ ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଖେଳିଥିବାରୁ ତାଙ୍କୁ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯାଇଥିବା ହର୍ଣ୍ଣସ୍‌ କହିଛନ୍ତି। ହାରିସ୍‌ ଅଷ୍ଟ୍ରେଲିଆ ତରଫରୁ ୯ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଘରୋଇ ସେଫର୍ଡ ସିଲଡ୍‌ ଟୁର୍ଣ୍ଣାମେଣ୍ଟରେ ହାରିସ୍‌ ଭିକ୍ଟୋରିଆ ଦଳ ତରଫରୁ ୩୫୫ ରନ ସଂଗ୍ରହ କରିଥିଲେ।

Comments are closed.