୨ୟ ଟ୍ବେଣ୍ଟି-୨୦ ଆଜି ; ଶୃଙ୍ଖଳା ବଞ୍ଚାଇବା ଚାପରେ ଭାରତ

ନାଗପୁର : ଏସିଆ କପ୍‌ ପରେ ଘରୋଇ ମାଟିରେ ମଧ୍ୟ ଭାରତୀୟ କ୍ରିକେଟ୍‌ ଦଳର ସ୍ଲଗ୍‌ ଓଭର ବୋଲିଂ ପୁଣି ବିଫଳ ହୋଇଛି । ପ୍ରଥମ ଟ୍ବେଣ୍ଟି୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୮ ରନ୍‌ କରିବା ସତ୍ତ୍ବେ ଦୁର୍ବଳ ବୋଲିଂ ଯୋଗୁଁ ଭାରତ ପରାସ୍ତ ହୋଇଥିଲା। ଶେଷ ୪ ଓଭରରୁ ୫୫ ରନ୍ ଭାରତୀୟ ବୋଲର ରୋକି ପାରିନଥିଲେ। ଦୁଇ ପ୍ରମୁଖ ପେସ୍ ବୋଲର ଭୁବନେଶ୍ବର କୁମାର ଓ ହର୍ଷଲ ପଟେଲ ମିଳିତ ଭାବେ ଶହେରୁ ଅଧିକ ରନ୍‌ ଦେଇଥିଲେ। ଫଳରେ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳାରେ ୦-୧ରେ ପଛରେ ଭାରତ। ବିଶ୍ବର ୧ନଂ ଟି୨୦ ଦଳ ବିଶ୍ବକପ୍‌ ଲାଗି ପ୍ରସ୍ତୁତ ହେଉଥିବା ବେଳେ ଆୟୋଜକ ତଥା ଗତଥରର ବିଜେତା ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ୨ୟ ମ୍ୟାଚ୍‌ ଖେଳିବ। ଶୃଙ୍ଖଳା ପରାଜୟରୁ ବଞ୍ଚିବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ ନିଶ୍ଚିତ ଜିତିବାକୁ ପଡ଼ିବ। ବିଶେଷକରି ଶେଷ ୪/୫ ଓଭରରେ ଭାରତ ତା’ର ବୋଲିଂରେ ଉନ୍ନତି କରିବାକୁ ଚାହିଁବ। ଅନ୍ୟପକ୍ଷରେ ଏହି ମ୍ୟାଚ୍‌ ଜିତି ଶୃଙ୍ଖଳା ହାତେଇବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ ରହିଛି।
ଶୃଙ୍ଖଳା ପରାଜୟରୁ ବଞ୍ଚିିବା ପାଇଁ ଭାରତକୁ ବୋଲିଂ ବିଭାଗକୁ ସୁଦୃଢ଼ କରିବାକୁ ପଡ଼ିବ। ଯଦି ଯଶପ୍ରୀତ ବୁମ୍‌ରା ଖେଳିବାକୁ ଫିଟ୍‌ ହୋଇଥିବେ; ତେବେ ସେ ଉମେଶ ଯାଦବଙ୍କ ସ୍ଥାନନେବେ। ପୁଣି ୟୁଜବେନ୍ଦ୍ର ଚହଲ ଅଧିକ ରନ୍‌ ଦେଉଥିବାରୁ ତାଙ୍କ ସ୍ଥାନରେ ଅଭିଜ୍ଞ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ଖେଳାଇବା କଥା ଭାରତ ଚିନ୍ତା କରିପାରେ। ଏବେ ଭାରତୀୟ କ୍ରିକେଟ୍‌ ଦଳର ସ୍ଥିତି ଏପରି ଯେ ଗୋଟିଏ ସମସ୍ୟାର ସମାଧାନ କଲେ; ଆଉ ଗୋଟିଏ ମୁଣ୍ଡ ଟେକୁଛି। ବ୍ୟାଟିଂ ସମସ୍ୟାର ସମାଧାନ ଭାରତ କରିପାରିଛି। ଏହାର ଉପର ଅର୍ଡର ଭଲ ବ୍ୟାଟିଂ କରୁଛନ୍ତି। ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ବାଉଣ୍ଡରୀ ମାରିବା ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ପାଇଁ ଆଉ ସମସ୍ୟା ନୁହେଁ। ଏହାପରେ ଦଳ ଶାନ୍ତିରେ ନିଃଶ୍ବାସ ନେବ ବୋଲି ଆଶା କରା ଯାଉଥିବା ବେଳେ ଏବେ ଅନ୍ତିମ ଓଭର ବୋଲିଂ ସମସ୍ୟା ଦଳ ମ୍ୟାନେଜମେଣ୍ଟର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି। ୨୦୨୨ ଆରମ୍ଭରୁ ଅଦ୍ୟାବଧି ଭାରତର ୩୩ ଜଣ ବୋଲର ଇନିଂସ ଶେଷରେ ୨୦ କିମ୍ବା ଅଧିକ ଓଭର ବୋଲିଂ କରିଛନ୍ତି। ସେମାନଙ୍କ ମଧ୍ୟରୁ ହର୍ଷଲ ପଟେଲ ଓଭର ପିଛା ୧୦.୪୫ ରନ୍‌ ଦେଇଥିବା ବେଳେ ଭୁବନେଶ୍ବର କୁମାର ୯.୫୪ ରନ୍‌ ଦେଇଛନ୍ତି। ଯଦି କେହି କହିବେ; ଭାରତୀୟ ଦଳରେ ଯଶପ୍ରୀତ ବୁମ୍‌ରା ଓ ରବୀନ୍ଦ୍ର ଜାଡ଼େଜା ନଥିଲେ। ସେମାନେ ଏହା ମଧ୍ୟ ଜାଣିବା ଉଚିତ ଯେ ଅଷ୍ଟ୍ରେଲିଆ ଦଳରେ ଡେଭିଡ୍‌ ୱାର୍ଣ୍ଣର, ମିଚେଲ ଷ୍ଟାର୍କ, ମିଚେଲ ମାର୍ଶ ଓ ମାର୍କସ ଷ୍ଟୋଇନିସ ମଧ୍ୟ ନାହାନ୍ତି। ଏହା ସତ ଯେ ବୁମ୍‌ରା ଖେଳିଲେ; ଭାରତୀୟ ଦଳର ଅଧା ସମସ୍ୟା ସମାଧାନ ହୋଇଯିବ। କାରଣ ପ୍ରଥମ ମ୍ୟାଚ୍‌ରେ ହର୍ଷଲ ପଟେଲ ଓ ଭୁବନେଶ୍ବର କୁମାର ଯେପରି ରନ୍ ଦେଲେ; ବୁମ୍‌ରା ତ ସେପରି ରନ୍ ଦେବେନାହିଁ। ଅର୍ଶଦୀପ ସିଂହଙ୍କୁ ଏହି ଶୃଙ୍ଖଳା ପାଇଁ ଦଳରେ ନ ରଖିବାର ପ୍ରଭାବ ଭାରତୀୟ ଦଳ ଉପରେ ପଡ଼ିଛି ନିଶ୍ଚୟ। ୨୮ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ହର୍ଷଲଙ୍କ ସ୍ଥାନରେ ଅର୍ଶଦୀପ ଖେଳିପାରନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍‌ ଆରମ୍ଭରୁ ଆକ୍ରମଣ କରି ଫର୍ମକୁ ଫେରିବାର ସୁଯୋଗ ଦେଇଛନ୍ତି। କ୍ୟାମେରନ୍ ଗ୍ରୀନ୍‌ଙ୍କୁ ଓପନ୍‌ କରାଇବା ରଣନୀତି ସଫଳ ହୋଇଛି। ମାଥ୍ୟୁ ୱେଡ୍‌ ପୁଣିଥରେ ତାଙ୍କ ଅଭିଜ୍ଞତାର ପ୍ରମାଣ ଦେଖାଇବା ସହ ଫିନିସର ଭୂମିକା ନିର୍ବାହ କରିଛନ୍ତି। ଟିମ୍ ଡେଭିଡ୍‌ ଜୀବନର ପ୍ରଥମ ମ୍ୟାଚ୍‌ ଖେଳିଥିଲେ ହେଁ ସେ ଲମ୍ବା ରେସ୍‌ର ଘୋଡ଼ା; ତା’ର ପ୍ରମାଣ ମଧ୍ୟ ଦେଇଥିଲେ। ୪ ପ୍ରମୁଖ ଖେଳାଳିଙ୍କ ବିନା ଭାରତ ମାଟିରେ ରୋହିତ ଶର୍ମାଙ୍କ ଦଳ ବିପକ୍ଷରେ ଟି୨୦ ଶୃଙ୍ଖଳା ଜିତିବା ଅଷ୍ଟ୍ରେଲିଆ ଦଳକୁ ବିଶ୍ବକପ୍‌ ପୂର୍ବରୁ ନିଶ୍ଚୟ ଉତ୍ସାହିତ କରିବ। ଯଶପ୍ରୀତ ବୁମ୍‌ରା ଚଳିତବର୍ଷ ୨୭ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ମାତ୍ର ୩ଟି ଖେଳିଛନ୍ତି। ଫଳରେ ଭୁବନେଶ୍ବର ଘରୋଇ ଦଳର ପ୍ରମୁଖ ପେସ୍ ବୋଲର ଭୂମିକା ନିର୍ବାହ କରୁଛନ୍ତି। ତେବେ ଏସିଆ କପ୍‌ରେ ୨ଟି ମ୍ୟାଚ୍‌ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ରେ ଭୁବନେଶ୍ବର ଦଳକୁ ନିରାଶ କରିଛନ୍ତି। ଶୁକ୍ରବାର ଅଷ୍ଟ୍ରେଲିଆ ଅପରିବର୍ତ୍ତିତ ଏକାଦଶ ଖେଳାଇପାରେ। ତେବେ ଯଦି ଦଳ ପ୍ୟାଟ୍‌ କମିନ୍‌ସ କିମ୍ବା ଜୋସ୍ ହାଜେଲ୍‌ଉଡଙ୍କୁ ବିଶ୍ରାମ ଦେବାକୁ ଚାହେଁ; ତେବେ ଏହା ସନ୍ ଆବଟ୍‌ଙ୍କୁ ଖେଳାଇପାରେ। ଶୁକ୍ରବାର ମ୍ୟାଚ୍‌ ସମୟରେ ବର୍ଷାର ଆଶଙ୍କା ରହିଛି। ଗୁରୁବାର ବର୍ଷା ହେବାରୁ ଉଭୟ ଦଳ ଅଭ୍ୟାସ କରି ପାରିନଥିଲେ। ନାଗପୁର ପିଚ୍‌ରେ ବୋଲରଙ୍କୁ କିଛି ସହାୟତା ମିଳିପାରେ।

Comments are closed.