ନିଯୁକ୍ତି କ୍ଷେତ୍ର ସଙ୍କୁଚିତ, ବଢ଼ୁଛି ବେକାରୀ

ମାଟ୍ରିକ, ଅଣ୍ଡର ଗ୍ରାଜୁଏଟ ବେକାର ସଂଖ୍ୟା ୬୦ପ୍ରତିଶତ

ଭୁବନେଶ୍ୱର : ରାଜ୍ୟରେ ଶିକ୍ଷିତ ବେକାର ସଂଖ୍ୟା ବଢ଼ୁଥିବାବେଳେ ସେହି ତୁଳନାରେ କର୍ମସଂସ୍ଥାନ ବା ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁନି। ବି‌େ‌ଶଷ କରି ସହରାଞ୍ଚଳରେ ବେକାରୀ ବଢ଼ୁଥିବାରୁ ଏହାର ମୁକାବିଲା ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଏଥିପାଇଁ ଶିଳ୍ପାୟନ ସହିତ ଦକ୍ଷତା ବିକାଶ ଦିଗ ଉପରେ ଅଧିକ ଗୁରୁତ୍ବ ଦିଆଯିବା ନିମନ୍ତେ ଅର୍ଥନୀତି ସର୍ଭେ ରିପୋର୍ଟରେ କୁହାଯାଇଛି।
ନିକଟରେ ବିଧାନସଭାରେ ଉପସ୍ଥାପିତ ୨୦୧୯-୨୦ ଓଡ଼ିଶା ଅର୍ଥନୀତି ସର୍ଭେ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୭ରେ ରାଜ୍ୟରେ ୯.୫୯ଲକ୍ଷ ଯୁବବର୍ଗ ବେକାର ଥିବାବେଳେ ୨୦୧୯ରେ ଏହି ସଂଖ୍ୟା ୯.୪୯ଲକ୍ଷକୁ ଖସିଥିଲା।
ପଞ୍ଜିକୃତ ବେକାରଙ୍କ ମଧ୍ୟରେ ଶିକ୍ଷିତ ବର୍ଗର ଚାକିରି ଆଶାୟୀଙ୍କ ସଂଖ୍ୟା ମାଟ୍ରିକ ଓ ଅଣ୍ଡର ଗ୍ରାଜୁଏଟ ସ୍ତରରେ ପ୍ରାୟ ୬୦ ପ୍ରତିଶତ ଥିବାବେଳେ ସାଧାରଣ ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ବର୍ଗଙ୍କ ଭିତରେ ଆଶାୟୀ ସଂଖ୍ୟା ୨୨ପ୍ରତିଶତ, ଗ୍ରାଜୁଏଟ ଓ ପିଜି(ଟେକ୍ନିକାଲ ଯୋଗ୍ୟତା ଥିବା) ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ମାତ୍ର ୨ପ୍ରତିଶତ। ତେବେ ଅନ୍ୟାନ୍ୟ ଡ଼ିପ୍ଳୋମାଧାରୀଙ୍କ ସଂଖ୍ୟା ଥିଲା ୧୪ ପ୍ରତିଶତ। ୨୦୧୯ରେ ଯେତେ ସଂଖ୍ୟାରେ ଯୁବ ବର୍ଗ ଚାକିରି ପାଇଁ କର୍ମ ନିୟୋଜନ ସଂସ୍ଥାରେ ପଞ୍ଜିକୃତ ହୋଇଥିଲେ ସେମାନଙ୍କ ଭିତରୁ ଶିକ୍ଷିତ ବେକାରଙ୍କ ସଂଖ୍ୟା ଥିଲା ପ୍ରାୟ ୯୭ପ୍ରତିଶତ।
ତଥ୍ୟରୁ ଯାହା ଜଣାପଡ଼ିଛି ୨୦୧୭ରୁ ୨୦୧୯ ଭିତରେ ଗ୍ରାଜୁଏଟ ଓ ପିଜି ବର୍ଗର ଚାକିରି ଆଶାୟୀଙ୍କ ସଂଖ୍ୟା ଅଧିକ ବଢ଼ିଛି। ଅନୁରୂପ ଭାବେ ଡ଼ିପ୍ଲୋମାଧାରୀ ଚାକିରି ଆଶାୟୀଙ୍କ ସଂଖ୍ୟା ବି ବଢ଼ିଛି।
କର୍ମ ନିୟୋଜନ ସଂସ୍ଥାର ପଞ୍ଜିକୃତ ତଥ୍ୟ ଅନୁସାରେ ୨୦୨୦ ମେ ୩୧ ସୁଦ୍ଧା ରାଜ୍ୟରେ ମୋଟ ଚାକିରି ଆଶାୟୀଙ୍କ ସଂଖ୍ୟା ୯୦୩୦୯୭ରେ ପହଞ୍ଚିଛି। ସେମାନଙ୍କ ଭିତରୁ ମାଟ୍ରିକ ପାସ କରି ନଥିବା ସଂଖ୍ୟା ୨୫୬୪୫ ଥିବାବେଳେ ୫୩୭୭୪୯ ହେଉଛନ୍ତି ମାଟ୍ରିକ ପାସ ଏବଂ ଅଣ୍ଡରଗ୍ରାଜୁଏଟ। ପ୍ରାୟ ୧୯୭୦୪୫ ହେଉଛନ୍ତି ସାଧାରଣ ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ।
ବୈଷୟିକ ଯୋଗ୍ୟତା ପ୍ରାପ୍ତ ଗ୍ରାଜୁଏଟ ଓ ପିଜିଙ୍କ ସଂଖ୍ୟା ୧୭୩୯୯ଥିବାବେଳେ ୧୩୫୪୯୯ ହେଉଛନ୍ତି ଡ଼ିପ୍ଲୋମା ହୋଲଡ଼ର। ସମୁଦାୟ ୯୦୩୦୯୭ ପଞ୍ଜିକୃତ ଭିତରୁ ୮୭୭୫୨ ହେଉଛନ୍ତି ଶିକ୍ଷିତ ଚାକିରି ଆଶାୟୀ ଯେଉଁମାନେ ବେକାର ଅଛନ୍ତି ଏବଂ ଅବଶିଷ୍ଟ ହେଲେ ଶିକ୍ଷାଗତ ଯୋଗ୍ୟତାରୁ ବଞ୍ଚିତ।
ଲକ୍ଷ୍ୟ କରାଯାଉଛି ଯେ ନିଯୁକ୍ତି ମିଳୁ ନଥିବାରୁ ବର୍ଷକୁ ବର୍ଷ ପଞ୍ଜୀକରଣ ସଂଖ୍ୟା କମିବାରେ ଲାଗିଛି ଏବଂ ସରକାରୀ ସ୍ତରରେ ନିଯୁକ୍ତି ବିଜ୍ଞାପନ ସଂଖ୍ୟା ମଧ୍ୟ ସଙ୍କୁଚିତ ହେଉଛି। ଅର୍ଥାତ ସରକାରୀ ଚାକିରି ପାଇଁ ନିୟମିତ ବିଜ୍ଞପ୍ତି ପ୍ରକାଶ ପାଉନାହିଁ।
ମିଳିଥିବା ତଥ୍ୟ ଅନୁସାରେ ୨୦୧୭ରେ ୭୫୯, ୨୦୧୮ରେ ୧୬୭୪ ଜଣଙ୍କୁ ନିଯୁକ୍ତି ମିଳିଥିବାବେଳେ ୨୦୧୯ରେ ୧୦୫୩ ଓ ୨୦୨୦ ମେ ସୁଦ୍ଧା ୫୨ଜଣଙ୍କୁ ନିଯୁକ୍ତି ମିଳିଛି। ନିଯୁକ୍ତି ସଂଖ୍ୟା ପଞ୍ଜିକୃତ ସଂଖ୍ୟାର ୦.୩୯ପ୍ରତିଶତରୁ ୦.୧୯ ଭିତରେ ସୀମିତ ରହିଛି। କୋଭିଡ଼ ଭଳି ପରିସ୍ଥିତିରେ ଲୋକେ ନିଯୁକ୍ତି ଓ ଜୀବିକା ହରାଇଛନ୍ତି।
ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିବା ପରେ ବେକାରୀ ସଂଖ୍ୟା ଆହୁରି ବଢ଼ିଛି। ଆଗକୁ ଜୀବିକାର୍ଜନ ପନ୍ଥା ଉପରେ ଗୁରୁତ୍ବ ଦେବା ସହିତ ଶିଳ୍ପାୟନ ଓ ଦକ୍ଷତା ବିକାଶ ଜରିଆରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ନକଲେ ବେକାରୀ ହାର ଆହୁରି ବଢ଼ିଯିବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

Comments are closed.