ବୃଦ୍ଧି ପାଉଛି କରୋନା ସଂକ୍ରମଣ : ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦୀ

ପଞ୍ଜାବରେ ୧୦ମ, ୧୨ଶ ଶ୍ରେଣୀ ପରୀକ୍ଷା ସ୍ଥଗିତ, ମହାରାଷ୍ଟ୍ରରେ ୫୦ଜଣରେ ବିବାହ, ୨୦ରେ ଶୁଦ୍ଧି କ୍ରିୟା

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଏହା ପୂର୍ବ ପରିସ୍ଥିତିକୁ ଫେରିବାକୁ ଲାଗିଲାଣି। କେତେକ ରାଜ୍ୟରେ ସଂକ୍ରମଣରେ ଦ୍ରୁତ ବୃଦ୍ଧି ଦେଖାଯାଇଛି। ସଂକ୍ରମଣକୁ ନିୟନ୍ତ୍ରଣ ଲାଗି ଆବଶ୍ୟକ ରଣନୀତି ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଭର୍ଚୁଆଲ ବୈଠକ କରିବେ। କରୋନା ସଂକ୍ରମଣକୁ ନେଇ ଗତ ଜାନୁଆରୀ ପ୍ରଧାନମନ୍ତ୍ରୀ ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ। ଜାନୁଆରୀ ବୈଠକରେ ମୋଦୀ ଟିକାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ​‌ଏବେ କିନ୍ତୁ ସଂକ୍ରମଣକୁ ନେଇ କି ପ୍ରକାର ପଦକ୍ଷେପ ନିଆଯିବ ତା’ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ। ସୋମବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି ଯେ କରୋନା ଭୂତାଣୁ ପ୍ରତି ଅବହେଳା ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଛି। କେତେକ ନିର୍ଦିଷ୍ଟ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି। ଏହିସବୁ ରାଜ୍ୟ ୮୦%ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍ ଜରୁରୀ ଆବଶ୍ୟକ ନୁହେଁ। ସଂକ୍ରମଣ ରୋକିବାକୁ କରୋନା କଟକଣାକୁ ଠିକ୍‌ ରୂପେ ଅନୁସରଣ କରାଯିବା ଦରକାର।
ସୋମବାର ସମଗ୍ର ଦେଶରେ ୨୬,୨୯୧ ନୂଆ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୧୮ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧, ୧୩, ୮୫, ୩୩୯ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧, ୫୮,୭୨୫ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୦,୦୭,୩୫୨ ସୁସ୍ଥ ହୋଇ ଥିବାବେଳେ ୨,୧୯,୨୬୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ତେବେ ସୋମବାର ଯେଉଁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତାର ୭୮% ଆକ୍ରାନ୍ତ ୫ଟି ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡୁରୁ ବାହାରିଛନ୍ତି। ସେହିପରି ଯେଉଁ ନୂଆ ମୃତକ ବାହାରିଛନ୍ତି ତାର ୮୨.୨୦% ୬ଟି ରାଜ୍ୟରୁ ବାହାରିଛନ୍ତି। କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ପଞ୍ଜାବ ସରକାର ୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ଏପ୍ରିଲ ୯ରୁ ଦଶମ ଓ ମାର୍ଚ୍ଚ ୨୨ରୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା ହେବାକୁ ଥିବାବେଳେ ଏହାକୁ ଯଥାକ୍ରମେ ମେ ୪ ଓ ଏପ୍ରିଲ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମହାରାଷ୍ଟ୍ରରେ ଗତ ୨୪ଘଣ୍ଟା ମଧ୍ୟରେ ୧୫,୦୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୮ଜଣଙ୍କର ମୃତ୍ୟୁ ହୋଇଛି।
ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ନେଇ ନୂଆ କଟକଣା ଜାରି କରାଯାଇଛି। ରାଜ୍ୟର ସମସ୍ତ ହୋଟେଲ, ରେସ୍ତୋରାଁ, ସିନେମା ହଲ୍‌ ୫୦% କ୍ଷମତାରେ କାର୍ଯ୍ୟ କରିବ। ସେହିପରି ମାକ୍ସ ପିନ୍ଧିବା ଓ ହାତ ବିଶୋଧନକୁ ଏହିସବୁ ସ୍ଥାନରେ ବାଧ୍ୟତାମୂଳକ କରାଯାଇଛି। ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶ, ବିବାହ ଉତ୍ସବରେ ସର୍ବାଧିକ ୫୦ଜଣ ଲୋକ ଉପସ୍ଥିତ ରହିପାରିବେ। ସେହିପରି ଅ​‌େ​‌ନ୍ତ୍ୟଷ୍ଟିକ୍ରିୟାରେ ୨୦ଜଣ ଲୋକ ଉପସ୍ଥିତ ରହିବା ନେଇ ଗାଇଡଲାଇନ ଜାରି କରାଯାଇଛି। ସୋମବାର ସୁଦ୍ଧା ଦେଶରେ ୩କୋଟି ୧୫ଲକ୍ଷ ହିତାଧିକାରୀଙ୍କୁ କରୋନା ଟିକା ଦିଆଯାଇଛି।

Comments are closed.