ବଢୁଛି କରୋନା ସଂକ୍ରମଣ : କଳାହାଣ୍ଡିରେ ୧୨ ଦିନରେ ୨୧୧ ପଜିଟିଭ

ଭବାନୀପାଟଣା : କଳାହାଣ୍ଡି ଜିଲାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମାର୍ଚ୍ଚ ୨୦ରୁ ୩୧ ତାରିଖ ପର୍ଯ୍ୟନ୍ତ ୧୨ ଦିନରେ କଳାହାଣ୍ଡି ଜିଲାରେ ୨୧୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ଭବାନୀପାଟଣା ସହରରେ ସଂକ୍ରମଣ ସର୍ବାଧିକ ବୋଲି ଜଣାପଡ଼ିଛି। ଗତ ୫ ଦିନରେ ଭବାନୀପାଟଣା ସହର ଓ ତା’ର ଆଖପାଖ ଅଞ୍ଚଳରେ ୧୧୩ ପଜିଟିଭ ଚିହ୍ନଟ ହେବା ପରେ ଜିଲାବାସୀ ଏବେ ଆତଙ୍କିତ ହୋଇ ପଡ଼ିଛନ୍ତି। କଳାହାଣ୍ଡି ଜିଲାରେ ମାର୍ଚ୍ଚ ୩୧ ତାରିଖ ସଂଧ୍ୟା ୫ଟା ସୁଦ୍ଧା ପଜିଟିଭ ସଂଖ୍ୟା ୨୮ରେ ପହଞ୍ଚିଛି। ସେଥିମଧ୍ୟରୁ ଭବାନୀପାଟଣା ସହର ଓ ତା’ର ଆଖପାଖ ଅଞ୍ଚଳରୁ ସର୍ବାଧିକ ରହିଛି। ବିଶେଷ କରି ଗତ ୫ ଦିନରେ ଭବାନୀପାଟଣା ସହର ଓ ଆଖପାଖ ଅଞ୍ଚଳରୁ ୧୧୩ କରୋନା ରୋଗୀ ଚିହ୍ନଟ ହେବା ଘଟଣା ସାରା ଜିଲାବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ ଜିଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଅନ୍ୟ ପଟେ ସରକାରଙ୍କ ନିର୍ଦେଶ ଅନୁଯାୟୀ ଯେଉଁମାନେ କରୋନା ଆକ୍ରାନ୍ତ ବ୍ୟକ୍ତି ଗୃହ ସଂଗରୋଧ (ହୋମ ଆଇସୋଲେସନ)ରେ ରହି ଚିକିତ୍ସିତ ହେବା ପାଇଁ ନିର୍ଦେଶ ଦେଇଥିଲେ। କିନ୍ତୁ ଗୃହ ସଂଗରୋଧରେ ରହୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ଘରେ ନ ରହି ବାହାରେ ଆବାଧରେ ବୁଲୁଥିବା ଦେଖିବାକୁ ମିଳୁଛି। ହେଲେ ପୂର୍ବ ଥର ପରି ଏଥର ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ସେଭଳି ତତ୍ପରତା ଦେଖିବାକୁ ମିଳୁନାହିଁ। ଲୋକଙ୍କ ମୁହଁରେ ନାଁ ଅଛି ମାସ୍କ ନାଁ ଅଛି ସାମାଜିକ ଦୂରତା ରକ୍ଷା ପାଇଁ ଆବେଗ। ଭବାନୀପାଟଣା ସହର ନିକଟରେ ଥିବା ଘରୋଇ କଲେଜ ପ୍ରଗତି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲରେ ୩୮ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କ ମନରେ ଚିନ୍ତା ଓ ଭୟ ବଢ଼ାଇ ଦେଇଛି। ଗତ ୩୦ ତାରିଖ ଦିନ ଭବାନୀପାଟଣା ସହର ଓ ତାର ଆଖପାଖ ଅଞ୍ଚଳରେ ୧୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜିଲାର କେସିଙ୍ଗା ଏନଏସି, ଜୁନାଗଡ଼ ଏନଏସି, ଧର୍ମଗଡ଼ ଏନଏସି, ଜୁନାଗଡ଼ ବ୍ଲକ, କେସିଙ୍ଗା ବ୍ଲକ, ଜୟପାଟଣ ଓ ନର୍ଲା ବ୍ଲକରେ ୧୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେପରି ୩୧ ତାରିଖ ସଂଧ୍ୟା ୫ଟା ସୁଦ୍ଧା ଭବାନୀପାଟଣା ସହର ଓ ତାର ଆଖପାଖ ଅଞ୍ଚଳରେ ୨୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜିଲାର ୨୮ ଜଣ କୋରନା ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲାପାଳ ଡା. ଗାଭିଲ ପରାଗ ହର୍ଷଦଙ୍କ ନିର୍ଦେଶ କ୍ରମେ ଜିଲାର ସମସ୍ତ ଏନଏସି ଓ ପୌରପରିଷଦକୁ ହାଇଆଲାର୍ଟ କରାଯାଇଛି। କରୋନା କଟକଣାକୁ ଅଧିକ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। କିନ୍ତୁ ପ୍ରଶାସନର ଏହି ଆକଟ ଜନସାଧାରଣ, ବ୍ୟବସାୟୀ, ଅମାନିଆଙ୍କ ଉପରେ କାଣିଚାଏ ପ୍ରଭାବ ପକାଉ ନାହିଁ।

Comments are closed.