ଚୀନ୍‌ରେ ସଂକ୍ରମଣ ବୃଦ୍ଧି; ୫ଦିନରେ ପ୍ରସ୍ତୁତ ୧୫୦୦ ଶଯ୍ୟା

ବେଜିଂ: ଚୀନ୍‌ରେ ପୁଣି କରୋନା ବ୍ୟାପିବା ପରେ ଏହାର ମୁକାବିଲା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ନୂଆ ଅସ୍ଥାୟୀ ଡାକ୍ତରଖାନା ପ୍ରତିଷ୍ଠା କରିଛନ୍ତି। ଦକ୍ଷିଣ-ପଶ୍ଚିମ ଚୀନ୍‌ର ହେବେଇ ଓ ନାନ୍‌ଗଙ୍ଗ ପ୍ରଦେଶରେ ଶତାଧିକ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମାତ୍ର ୫ଦିନ ମଧ୍ୟରେ ନାନ୍‌ଗଙ୍ଗଠାରେ ୧୫୦୦ କୋଠରି ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଛି। ଶନିବାର ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଗତ ବର୍ଷ କରୋନା ସଂକ୍ରମଣ ଆରମ୍ଭ ସମୟରେ ଚୀନ ସରକାର ଏଭଳି ୫ଟି ଅସ୍ଥାୟୀ ଡାକ୍ତରଖାନା ପ୍ରତିଷ୍ଠା ମାଧ୍ୟମରେ ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ। ନୂଆ ଡାକ୍ତରଖାନାକୁ ମିଶାଇ ଏହି ୬ ଡାକ୍ତରଖାନାରେ ୬୫୦୦ କୋଠରି ରହିଛି। ନୂଆ ଡାକ୍ତରଖାନା ୩୩ ହେକ୍ଟର ଜମି ଉପରେ ପ୍ରତିଷ୍ଠା କରାଯାଇଛି। ଏଠାରେ ଆଉ କୋଠରି ନିର୍ମାଣ ଚାଲିଛି। ଏହା ସମ୍ପୂର୍ଣ୍ଣ ହେଲେ କୋଠରି ସଂଖ୍ୟା ୩୦୦୦କୁ ବ୍ୟଦ୍ଧି ଘଟିବ। ଗତ ୨୪ଘଣ୍ଟା ମଧ୍ୟରେ ହେବେଇ ପ୍ରଦେଶରେ ୧୩୦ ନୂଆ ସଂକ୍ରମଣ ହୋଇଛି। ଏହାକୁ ମିଶାଇ ତିନି ଦିନ ମଧ୍ୟରେ ୬୪୫ ସଂକ୍ରମିତ ଚିହ୍ନଟ ହେଲେଣି। ଏହି ସମୟ ମଧ୍ୟରେ ପ୍ରଦେଶରେ ୧୦ ନିୟୁତଙ୍କୁ ପରୀକ୍ଷା କରାଗଲାଣି। ସମ୍ପ୍ରତି ଉହାନ୍‌ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନେ କରୋନାର ଉତ୍ପତ୍ତି ନେଇ ଅନୁଧ୍ୟାନ ଚଳାଇଛନ୍ତି। ପ୍ରଥମେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ଠାବ କରିବା କଷ୍ଟକର ବୋଲି ସେମାନେ କହିଛନ୍ତି।

Comments are closed.