ବ୍ରହ୍ମବରଦା କଂଟେନମେଂଟ ଜୋନର ସମୟ ଅବଧି ୧୨ ଯାଏଁ ବଢିଲା

ଯାଜପୁର : ଜିଲାର ପ୍ରଥମ କୋରୋନା ସଂକ୍ରମିତ ଜଣାପଡିବା ପରେ ବ୍ରହ୍ମବରଦା କଂଟେନମେଂଟ ଜୋନର ସମୟ ଅବଧିକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ବ୍ରହ୍ମବରଦା ଅଂଚଳରେ ଜଣେ ନିଜାମୁଦ୍ଧିନ ଫେରନ୍ତା କୋରୋନାରେ ଆକ୍ରାନ୍ତ ହେବା ପରେ ସଂପୃକ୍ତ ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରିଥିଲା ଜିଲା ପ୍ରଶାସନ। ଆଜି ରାତିରେ ଏହି ଅବଧି ଶେଷ ହେବାର ଥିଲା। କିନ୍ତୁ ସେହି ଅଂଚଳକୁ ଆସନ୍ତା ୧୨ ତାରିଖ ରାତି ୮ ପର୍ଯ୍ୟନ୍ତ କଂଟେନମେଂଟ ଅଂଚଳ କରାଯିବାକୁ ଯାଜପୁର ଜିଲାପାଳ ପୁଣି ଘୋଷଣା କରିଛନ୍ତି। ସେପଟେ ଯାଜପୁର ଜିଲାରେ ଲକଡାଉନ ଚାଲିଥିବା ବେଳେ ଆଇନ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗତକାଲି ଗୋଟିଏ ଦିନରେ ୩୦୨ଟି ବାଇକ ଜବତ ହେବା ସହିତ ଆଇନ ଖିଲାପକାରୀଙ୍କ ବିରୋଧରେ ମକଦ୍ଦମା ରୁଜୁ ହୋଇଥିବା ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି। ଜିଲାରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଟାଟା ମେଡିକାକୁ ପ୍ରସ୍ତୁତ କରାଯାଇଛି। ଖୁବ ଶୀଘ୍ର ଏହାର ଲୋକାର୍ପଣ କରାଯିବ ଏବଂ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯାଇଛି ବୋଲି ଜିଲାପାଳ କହିଛନ୍ତି।

Comments are closed.