କେନ୍ଦୁଝର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଉନ୍ନୟନ ବିଭାଗ ପରିଚାଳିତ ବିଦ୍ୟାଳୟର ହଷ୍ଟେଲ ଅନ୍ତେବାସୀମାନଙ୍କ ପାଇଁ ମାଣ୍ଡିଆ ଲଡୁ ବ୍ୟବସ୍ଥାର ଶୁଭାରମ୍ଭ

: ଖାଦ୍ୟ ଥାଳିରେ ପୋଷଣ ଯୁକ୍ତ ମାଣ୍ଡିଆ ଜାତୀୟ ଖାଦ୍ୟ ସାମିଲ କରିବାକୁ ଆହ୍ୱାନ: ମାଣ୍ଡିଆ ଜାତୀୟ ଖାଦ୍ୟାଭ୍ୟାସ କରି ସୁସ୍ଥ ରୁହନ୍ତୁ: ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ

କେନ୍ଦୁଝର: ପ୍ରତି ବ୍ୟକ୍ତି ଖାଦ୍ୟ ଥାଳିରେ  ପୋଷଣଯୁକ୍ତ ମାଣ୍ଡିଆ ଜାତୀୟଖାଦ୍ୟ ସାମିଲକରି ସମସ୍ତେ ସୁସ୍ଥ ରୁହନ୍ତୁ ବୋଲି ରାଜ୍ୟସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ,ହସ୍ତତନ୍ତ,ବୟନ ଓ ହସ୍ତକଳା ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ ଆହ୍ୱାନ ଜଣାଇଛନ୍ତି । ଚଳିତ ଅକ୍ଟୋବର ୨୯ ତାରିଖ ଶନିବାର ଦିନ ଜିଲା ସଂସ୍କୃତି ଭବନଠାରେ ଆୟୋଜିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀମାନଙ୍କ ପାଇଁ ମାଣ୍ଡିଆ ଲଡୁ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରମୁଖ ଶାସନ ସଚିବ ଡଃ ପାଢୀ ଏହି ଆହ୍ୱାନ ଦେଇଛନ୍ତି ।

ଉଦ୍‌ବୋଧନ ଛଳରେ ଡଃ ପାଢୀ କହିଥିଲେ ଯେ ଅନ୍ୟାନ୍ୟ ପୃଷ୍ଟିସାର ଖାଦ୍ୟ ଅପେକ୍ଷା ମାଣ୍ଡିଆ ଜାତୀୟ ଖାଦ୍ୟ ପଦାର୍ଥରେ ଅଧିକ ପୋଷଣ ତତ୍ୱ ରହିଅଛି । ଯାହାକି ମଣିଷର ସ୍ୱାସ୍ଥ୍ୟ ପାଇଁ ଏକାନ୍ତ ଆବଶ୍ୟକ ।କୋମଳମତି ପିଲାମାନେ ଦେଶର ଭବିଷ୍ୟତ । ସେମାନଙ୍କର ଶାରିରୀକ,ମାନସିକ ଓ ବୌଦ୍ଧିକ ବିକାଶରେ ମାଣ୍ଡିଆ ଜାତୀୟ ଖାଦ୍ୟ ଉଲ୍ଲେଖନୀୟ ଭାବେ ଫଳପ୍ରଦ ହେବ ।କେବଳ ପିଲା କାହିଁକି, ଯେ କୌଣସି ବୟସ ବର୍ଗର ଲୋକମାନଙ୍କ ପାଇଁ କୁପୋଷଣ ବିରୁଦ୍ଧରେ ଅମୋଘ ମାଧ୍ୟମ ଭାବେ ମାଣ୍ଡିଆ ପ୍ରମାଣିତ ହୋଇଛି । ଶିଶୁ ହେଉ ବା ବୟସ୍କ ହୁଅନ୍ତୁ, ଆଜିକାଲି ଜଙ୍କ୍‌ ଫୁଡ / ଫାଷ୍ଟ ଫୁଡ ଖାଦ୍ୟାଭାସ ପାଇଁ ମୋଟାପା ଏବଂ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି । ବୈଜ୍ଞାନିକ ସିଦ୍ଧାନ୍ତରୁ ଜଣାପଡିଛିଯେ ମାଣ୍ଡିଆ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ । ମାଣ୍ଡିଆ ଆମର ପାରମ୍ପରିକ ଖାଦ୍ୟ । ଆଧୁନିକତାର ଚାପରେ ଏହା ହଜି ଯାଉଥିଲା । କିନ୍ତୁ ଏହାର ଉପାଦେୟତାକୁ ଉପଲବ୍ଧି କରି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡିଶା ମିଲେଟ ମିଶନ ଗଠନ କରାଯାଇଛି ଏବଂ ଏହା ମାଧ୍ୟମରେ ମାଣ୍ଡିଆ ଚାଷକୁ ବ୍ୟାପକ କରିବା ସହିତ ଲୋକମାନଙ୍କର ଦୈନନ୍ଦିନ ଖାଦ୍ୟାଭ୍ୟାସରେ ମାଣ୍ଡିଆକୁ ସାମିଲ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସହିତ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।ମାଣ୍ଡିଆ ଚାଷକୁ ବ୍ୟାପକ କରିବା ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ଓ ଲାଭାନ୍ୱିତ କରିବା, ଖାଉଟିମାନଙ୍କୁ ଏ ଦିଗରେ ସଚେତନ କରାଇବା, ଏହି କାର୍ଯ୍ୟକ୍ରମରେ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରି ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ଆଣିବା, କୃଷିଉତ୍ପାଦନ ଗୋଷ୍ଠୀ ସଂପ୍ରସାରଣକରି ସେମାନଙ୍କ ଆର୍ଥିକ ଉନ୍ନତି ଆଣିବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଜାରି ରହିଛି ।କେନ୍ଦୁଝର ଜିଲ୍ଲାରେ ରାଜ୍ୟ ସରକାର ଏବଂ ମିଲେଟ ମିଶନର ମାର୍ଗଦର୍ଶନରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ବୈଜ୍ଞାନିକ ସିଦ୍ଧାନ୍ତକୁ ଆଧାରକରି ମାଣ୍ଡିଆ ଜାତୀୟ ଖାଦ୍ୟାଭ୍ୟାସକୁ ବ୍ୟାପକ କରିବା, ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ଓ ପରିଚାଳନା ପ୍ରକ୍ରିୟାରେ ଏସ୍‌ଏଚ୍‌ଜିମାନଙ୍କୁ ସାମିଲ କରିବା ଦିଗରେ ଜିଲ୍ଲାପାଳ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଜିଲ୍ଲାରେ ମାଣ୍ଡିଆ ଚାଷ ଓ ଉତ୍ପାଦନ ବୃଦ୍ଧି କରିବା ପାଇଁ ପ୍ରମୁଖ ଶାସନ ସଚିବ ଡ.଼ ପାଢୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ।

୨୦୨୦ ମସିହା ଜୁଲାଇ ମାସରୁ ଅଙ୍ଗନୱାଡି ଶିଶୁମାନଙ୍କ ପାଇଁ ମାଣ୍ଡିଆ ଲଡୁ ବ୍ୟବସ୍ଥା କରିବା ପରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ଜିଲ୍ଲାପାଳଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ପ୍ରମୁଖ ଶାସନ ସଚିବ ଡଃ ପାଢୀ ସୂଚନା ଦେଇ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ପବିତ୍ର ମାର୍ଗଶିର ମାସର ପ୍ରଥମ ଗୁରୁବାର ଅର୍ଥାତ ନଭେମ୍ବର ୧୦ ତାରିଖକୁ ‘ମାଣ୍ଡିଆ ଦିବସ’ ଭାବେ ପାଳନ କରାଯିବ । ଏଥିପାଇଁ ଓଡିଶା ମିଲେଟ ମିଶନ ତରଫରୁ କାର୍ଯ୍ୟକ୍ରମ ହାତକୁ ନିଆଯିବ । ‘ମିଲି’ ଓଡିଶା ମିଲେଟ ମିଶନର ମାସ୍କଟ ସାଜିଛି । ଆମ ରାଜ୍ୟରେ ମାଣ୍ଡିଆ ଜାତୀୟ ଖାଦ୍ୟ ସଂପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏ ଦିବସର ମୁଖ୍ୟ ଉଦ୍ଦେଶ୍ୟ । ମାଣ୍ଡିଆର ମହତ୍ୱ ଓ ଆଦର ଆମ ରାଜ୍ୟ ବା ଦେଶ ମଧ୍ୟରେ ସୀମିତ ହୋଇ ରହିନାହିଁ । ଏହାର ପୋଷକ ତତ୍ୱ ପାଇଁ ସମଗ୍ର ବିଶ୍ୱରେ ଆଦର ଲାଭ କରିଛି ।ଯେଉଁଥିପାଇଁ ମିଳିତ ଜାତିସଂଘ ତରଫରୁ ୨୦୨୩ ମସିହାକୁ ‘ଆର୍ନ୍ତଜାତୀୟ ମିଲେଟ ବର୍ଷ ’ ଭାବେ ପାଳନ କରିବା ପାଇଁ ଘୋଷଣା କରାଯାଇଛି ବୋଲି କହିଥିଲେ । ଏତଦ୍‌ବ୍ୟତୀତ ମାଣ୍ଡିଆ କିପରି ସହଜରେ ଉପଲବ୍ଧ ହେବ, ସମସ୍ତଙ୍କ ପାଇଁ କିଣିବା ସହଜହେବ ଏବଂ ସୁଲଭ ମୂଲ୍ୟରେ ମିଳିପାରିବ ସେଥିପାଇଁ ଗୁରୁତ୍ୱାରୋପ କରିଥିଲେ । କୃଷି ଉତ୍ପାଦନ ଗୋଷ୍ଠୀ କାର୍ଯ୍ୟକ୍ରମ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ଜାତୀୟସ୍ତରରେ ପୁରସ୍କୃତ ହୋଇଥିବାରୁ ଜିଲ୍ଲା ପ୍ରଶାସନ ତଥା କୃଷି ବିଭାଗର ଅଧିକାରୀ / କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ସମାରୋହରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଆଶିଷ ଠାକ୍‌ରେ ସମସ୍ତଙ୍କୁ ଅଭିନନ୍ଦନ, ଶୁଭେଚ୍ଛା ଜଣାଇବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାରୁ ପ୍ରମୁଖ ଶାସନ ସଚିବଙ୍କୁ କୃତଜ୍ଞତା ଜଣାଇ ଥିଲେ । ନିଜ ଅଭିଭାଷଣରେ ଜିଲ୍ଲାପାଳ କହିଥିଲେ ଯେ ରାଜ୍ୟ ସରକାର ଏବଂ ଓଡିଶା ମିଲେଟ ମିଶନର ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲାରେ ମାଣ୍ଡିଆ ଜାତୀୟ ଖାଦ୍ୟ ଶସ୍ୟର ଉତ୍ପାଦନ ବୃଦ୍ଧି, ପ୍ରକ୍ରିୟା କରଣ ଏବଂ ଜନ ସାଧାରଣଙ୍କୁ ଦୈନନ୍ଦିନ ଖାଦ୍ୟାଭ୍ୟାସରେ ମାଣ୍ଡିଆ ଜାତୀୟ ଖାଦ୍ୟକୁ ସାମିଲ କରିବା ପାଇଁ ସଚେତନତା ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯାଉଛି । ୭ଟି ବ୍ଲକରେ ମାଣ୍ଡିଆ ଚାଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଅତିଶୀଘ୍ର ଅବଶିଷ୍ଟ ୬ଟି ବ୍ଲକରେ ମାଣ୍ଡିଆ ଚାଷ ସଂପ୍ରସାରଣ ପାଇଁ ପଦକ୍ଷେପ ନିଆଯାଉଛି ।

୨୦୨୦ ମସିହା ଜୁଲାଇ ମାସ ଠାରୁ ଡିଏମ୍‌ଏଫ୍‌ ସହଯୋଗରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କେନ୍ଦୁଝର ଜିଲ୍ଲାରେ ଅଙ୍ଗନୱାଡି କେନ୍ଦ୍ରର ଶିଶୁମାନଙ୍କୁ ମାଣ୍ଡିଆ ଲଡୁ ଯୋଗାଣ ଜାରି ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ପ୍ରଥମ ଜିଲ୍ଲାଭାବେ କେନ୍ଦୁଝର ଜିଲ୍ଲାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀମାନଙ୍କ ପାଇଁ ମାଣ୍ଡିଆ ଲଡୁ ଯୋଗାଣର ଶୁଭାରମ୍ଭ କରାଯାଇଛି ।ଏହାଦ୍ୱାରା ୩୩୪ ହଷ୍ଟେଲ ର ୩୯,୦୦୦ ପିଲା ଉପକୃତ ହେବେ । ପିଲାମାନଙ୍କର ସ୍ୱାସ୍ଥ୍ୟ ପାଇଁ ପୋଷଣ ଏକାନ୍ତ ଆବଶ୍ୟକ ।ସୁସ୍ଥସବଳ ପିଲା ଓ ବ୍ୟକ୍ତିରାଜ୍ୟ ତଥା ଦେଶର ସଂପଦ । ଏହାକୁ ଦୃଷ୍ଟିରେ ରଖି ପିଲାମାନଙ୍କ ପାଇଁ ମାଣ୍ଡିଆଲଡୁ ଯୋଗାଣକୁ ପ୍ରାଥମିକତା ଦିଆଯାଇଛି ଏବଂ ମାଣ୍ଡିଆ ଜାତୀୟ ଖାଦ୍ୟକୁ ଜନାଦୃତ କରିବା ପାଇଁ ସଚେତନତା ସୃଷ୍ଟି ନିମନ୍ତେ ପଦକ୍ଷେପ ନିଆଯାଉଛି ।କଲେକଟୋରେଟ ପରିସରରେ ରାଜ୍ୟର ପ୍ରଥମ ମିଲେଟ କାଫେ ପ୍ରତିଷ୍ଠା କରାଯାଇଛି ଏବଂ ୭ଟି ବ୍ଲକରେ ମିଲେଟ ଟିଫିନ ସେଂଟର ଖୋଲାଯାଇଛି ।ମାଣ୍ଡିଆ ଚାଷ ପ୍ରତି ଚାଷୀଙ୍କୁ ଆକର୍ଷିତ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଡିଏମ୍‌ଏଫ୍‌ ଅନୁଦାନ ଏବଂ ବିଭିନ୍ନ ବିଭାଗର ସହଯୋଗରେ ମାଣ୍ଡିଆ ଚାଷକୁ ଅଧିକ ସଂପ୍ରସାରିତ କରାଯିବବୋଲି କହିଥିଲେ ।ସଫା ମାଣ୍ଡିଆ ଉପଲବ୍ଧ କରାଇବା ନିମନ୍ତେ ମିଲେଟ ପ୍ରୋସେସିଂ ୟୁନିଟ ସ୍ଥାପନ କରାଯାଇ ଏସ୍‌ଏଚ୍‌ଜିଙ୍କୁ ଦାୟିତ୍ୱ ଦିଆଯାଇଛି । ଏତଦ୍‌ବ୍ୟତୀତ ଟିଏଚ୍‌ଆର ୍‌(ଟେକ୍‌ହୋମ୍‌ ରାସନ) କ୍ଷେତ୍ରରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଦାୟିତ୍ୱ ନେଇ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । କୋଭିଡ ମହାମାରୀ ସମୟରେ ଅଙ୍ଗନୱାଡି ଶିଶୁଙ୍କ ଘରକୁ ମାଣ୍ଡିଆ ପାଉଡର ପହଂଚାଈବାରେଞ୍ଚସେମାନେ ଯେଉଁ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ ତାହା ଉଲ୍ଲେଖନୀୟ ବୋଲି ଜିଲ୍ଲାପାଳ ଶ୍ରୀ ଠାକ୍‌ରେ କହିଥିଲେ ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ନିଜ ବକ୍ତବ୍ୟରେ ଜିଲ୍ଲାରେ ମାଣ୍ଡିଆ କାର୍ଯ୍ୟକ୍ରମ ସଂପର୍କରେ ବିଶଦ ସୂଚନା ଦେଇଥିଲେ । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କେନ୍ଦୁଝରର ପ୍ରକଳ୍ପ ପ୍ରଶାସକ ତପନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଚମ୍ପୁଆର ପ୍ରକଳ୍ପ ପ୍ରଶାସକ ଜୟ ଶ୍ରୀ ମଲ୍ଲିକ, ଆଇଏସ୍‌ ପ୍ରୋବେସନର ଧିମେନ ଚମକା,ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶ ଅତିଥି ଭାବେ ଯୋଗ ଦେଇଥିଲେ ।

ଉପ ନିର୍ଦ୍ଦେଶକ ସୂଚନା ଓ ଲୋକ ସଂପର୍କ, କେନ୍ଦୁଝର ସଂଜୀବ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ ।ଏହି ଅବସରରେ ୫ ଜଣ ଅଗ୍ରଣୀ ମାଣ୍ଡିଆ ଚାଷୀଙ୍କୁ ସ୍ମାର୍ଟଫୋନ ଏବଂ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଟେକ୍‌ ହୋମ ରାସନ କ୍ଷେତ୍ରରେ କାର୍ଯ୍ୟକରୁଥିବା ୫ଟି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଡିଜିଟାଲ ଟ୍ୟାବ୍‌ ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ଥିଲା । ଟିଏଚ୍‌ଆର୍‌ କ୍ଷେତ୍ରରେ କାର୍ଯ୍ୟକରୁ ଥିବା ଅବଶିଷ୍ଟ ୧୬ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଘୋଷଣା କରାଯାଇଥିଲା । ଏତଦ୍‌ବ୍ୟତୀତ ଗତ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତୀତ୍ୱ ହାସଲ କରିଥିବା ଜିଲ୍ଲାର ଉପସ୍ଥିତ ୯ ଜଣ କୃତି ପରୀକ୍ଷାର୍ଥୀଙ୍କୁ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ଡିଏମ୍‌ଏଫ ୍‌ଟିମ୍‌ ହେଡ ନିର୍ମଲ ଯୋଶୀ, ସିନିୟର ପ୍ରୋଜେକ୍ଟ ଅଫିସର ଗିରିପ୍ର୍ରସାଦ ଦୋରା ଏବଂ ଡିଏମ୍‌ଏଫ୍‌ ଟିମ୍‌ ର ଅନ୍ୟ ସଦସ୍ୟ/ସଦସ୍ୟା ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।ଏହାପରେ ପ୍ରମୁଖ ଶାସନ ସଚିବ ଡ଼. ପାଢୀ ଜିଲ୍ଲାପାଳଙ୍କ ସହ ସରକାରୀ (ଏସ୍‌ଏସ୍‌ଡି) ଉଚ୍ଚ ବିଦ୍ୟାଳୟ, ନରଣପୁର ପରିଦର୍ଶନରେ ଯାଇ ସେଠାରେ ମାଣ୍ଡିଆ ଷ୍ଟଲ ବୁଲି ଦେଖିଥିଲେ । ଏତଦ୍‌ବ୍ୟତୀତ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତାଳାପ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡିଆ ଲଡୁ ବିତରଣ କରିଥିଲେ ।ସୂଚନାଯୋଗ୍ୟ ଯେ, ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ମିନି କନଫରେନ୍ସ ହଲଠାରେ ପ୍ରମୁଖ ଶାସନ ସଚିବ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।

 

Comments are closed.