ପିଞ୍ଜରାରେ ବନ୍ଦ ମୁଣ୍ଡ

ବଦଭ୍ୟାସକୁ ତ୍ୟାଗ କରିବା ସହଜ କଥା ନୁହେଁ। ଖରାପ ଅଭ୍ୟାସ ପାଇଁ ନିଜେ ହଇରାଣରେ ପଡ଼ିବା ସହ ପରିବାର ଲୋକ ମଧ୍ୟ କଷ୍ଟ ପାଇଥାନ୍ତି, ଏଇ କଥାକୁ ହୃଦୟଙ୍ଗମ କରିବା ପରେ ଇବ୍ରାହିମ୍ ୟୁସେଲ୍‌ ଧୂମପାନ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ। ତୁର୍କୀ ବାସିନ୍ଦା ୪୯ ବର୍ଷୀୟ ଇବ୍ରାହିମ୍ ତାଙ୍କ ବାପାଙ୍କ ଫୁସ୍‌ଫୁସ୍‌ କର୍କଟରେ ମୃତ୍ୟୁ ଦେଖିବା ପରେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ। ଧୂମପାନ ତାଙ୍କ ବାପା ମଧ୍ୟ ରୀତିମତ କରୁଥିଲେ, ଇବ୍ରାହିମ୍ ମାତ୍ର ୧୬ ବର୍ଷ ବୟସରେ ଏଇ ବଦଭ୍ୟାସରେ ପଡ଼ିଥିଲେ। ସମୟକ୍ରମେ ଏଥିରେ ସେ ବାନ୍ଧିହେବା ସହ ୪୦ ବର୍ଷବେଳକୁ ଗୋଟିଏ ଦିନରେ ସେ ୩ ପ୍ୟାକେଟ୍ ସିଗାରେଟ୍ ପିଇବା ପରେ ମଧ୍ୟ ଅଧିକ ପିଇବାକୁ ଆଗ୍ରହ କରୁଥିଲେ। ପୂର୍ବରୁ ସେ ବାରମ୍ବାର ଧୂମପାନ କବଳରୁ ବର୍ତ୍ତିବାକୁ ଚାହୁଁଥିଲେ, କିନ୍ତୁ ଚେଷ୍ଟା କରି ବାରମ୍ବାର ବିଫଳ ହେଲେ। ୨୦୧୩ରେ ସେ କଡ଼ା ପଦକ୍ଷେପ ଗ୍ରହଣ କଲେ, ନିଜ ମୁଣ୍ଡ ପାଇଁ ଏକ ସ୍ବତନ୍ତ୍ର ପିଞ୍ଜରା ତିଆରି କରି ବନ୍ଦୀ ହେବାକୁ ଚାହିଁଲେ। ସତରେ ସେହି ପିଞ୍ଜରାରେ ତାଲା ପକାଇ ଗୋଟିଏ ଚାବି ରଖିଲେ, ସେଇ ଚାବିଟି ପତ୍ନୀଙ୍କ ହାତରେ ଦେଲେ। ଖାଇବାବେଳ ବ୍ୟତୀତ ଅନ୍ୟ କୌଣସି ସମୟରେ ସେ ଯେତେ ଅନୁରୋଧ କଲେ ମଧ୍ୟ ପିଞ୍ଜରାର ଚାବି ଖୋଲାଯିବ ନାହିଁ ବୋଲି ପତ୍ନୀଙ୍କୁ କହିଲେ। ସ୍ବାମୀଙ୍କ ଜୀବନରକ୍ଷା କରିବାର ଏଇ ଉପାୟରେ ପତ୍ନୀ ମଧ୍ୟ ପୂର୍ଣ୍ଣ ସହଯୋଗ କଲେ। ପ୍ରଥମ କିଛିଦିନ ତାଙ୍କୁ ବିଚଳିତ ଲାଗିଲା, ଗୋଟିଏ ମୁହୂର୍ତ୍ତ ସିଗାରେଟ୍ ବିନା ରହିପାରୁନଥିବା ଇବ୍ରାହିମ୍ ୧ ସପ୍ତାହ ରହିବା ପରେ ଜାଣିପାରିଲେ ସେ ନିଶ୍ଚୟ ଏଇ ଧୂମପାନ କବଳରୁ ମୁକ୍ତି ପାଇବେ। ପିଞ୍ଜରା ଭିତରେ ମୁଣ୍ଡ ରହି ନିଶ୍ବାସ-ପ୍ରଶ୍ବାସ ନେବା, କଥାବାର୍ତ୍ତା ହେବାରେ ତାଙ୍କୁ ଆଦୌ ଅସୁବିଧା ହେଉନଥିଲା। ୬ମାସ ଅତିବାହିତ ହେବା ପରେ ସେ ପିଞ୍ଜରାରେ ନିଜ ମୁଣ୍ଡ ନ ରଖି ଏଥରକ ମୁକ୍ତ ହେବାକୁ ଚାହିଁଲେ। ଏବେ ତାଙ୍କର ଧୂମପାନରେ ଆଗ୍ରହ ନାହିଁ, ସମ୍ପୂର୍ଣ୍ଣ ପାରିବାରିକ ଭଲ ମଣିଷ ଭାବେ ପରିବର୍ତ୍ତିତ ହୋଇଥିବାର ହସିହସି କହିଛନ୍ତି ଇବ୍ରାହିମ୍। n

Comments are closed.