ତେହରିକ୍‌-ଇ-ତାଲିବାନ ସହ ମୁଝାମଣା କରୁଛନ୍ତି ଇମ୍ରାନ

8ପାକିସ୍ତାନରେ ସର୍ବାଧିକ ଆକ୍ରମଣରେ ଜଡ଼ିତ,ପରିସ୍ଥିତିରେ ପଡ଼ି ମୁଣ୍ଡ ନୁଆଁଇଲେ ଇମ୍ରାନ, ଆତଙ୍କବାଦୀଙ୍କୁ କ୍ଷମା ମାଗିବେ ସରକାର

ଇସଲାମାବାଦ : ନିଷିଦ୍ଧ ଘୋଷିତ କୁଖ୍ୟାତ ଆତଙ୍କବାଦୀ ସଂଗଠନ ତେହରିକ୍‌-ଇ-ତାଲିବାନ ପାକିସ୍ତାନ ବା ଟିଟିପି ସହିତ ବୁଝାମଣା ଉଦ୍ୟମ ଚଳାଇଛନ୍ତି ପାକିସ୍ତାନ ସରକାର। ଆଫଗାନିସ୍ତାନରେ କ୍ଷମତାକୁ ଫେରିଥିବା ତାଲିବାନ ମାଧ୍ୟମରେ ଏହି ଉଦ୍ୟମ ଚାଲିଛି। ଏହି ସଂଗଠନ ‘ପାକିସ୍ତାନୀ ତାଲିବାନ’ ନାମରେ ପରିଚିତ। ଆଫଗାନିସ୍ତାନ ସୀମାନ୍ତରେ ରହିଛି ଏହାର ଆଡ୍ଡା। ପାକିସ୍ତାନରେ ଘଟିଥିବା ଏକାଧିକ ବଡ଼ ଧରଣର ଆକ୍ରମଣ ତଥା ବିସ୍ଫୋରଣ ପଛରେ ଏହି ସଂଗଠନର ହାତ ରହିଛି। ଆଫଗାନିସ୍ତାନ ମାଟିରୁ ହିଁ ଏହା ସମସ୍ତ ଆକ୍ରମଣ ଷଡ଼ଯନ୍ତ୍ର ରଚନା କରିଥାଏ। ଏହା ବିଶେଷ ଭାବେ ପାକିସ୍ତାନର ସୁରକ୍ଷା କର୍ମୀଙ୍କୁ ନିଶାଣ କରିଥାଏ। ସେଥିପାଇଁ ପାକିସ୍ତାନ ସରକାର ମଧ୍ୟ ଉକ୍ତ ସଂଗଠନକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଏହାର କେତେକ ନେତାଙ୍କୁ ପାକିସ୍ତାନ ବନ୍ଦୀ କରି ରଖିଛି। ପରିବର୍ତ୍ତିତ ପରିସ୍ଥିତି ଦୃଷ୍ଟିରୁ ଟିଟିପି ସହିତ ପାକିସ୍ତାନ ସରକାର ବୁଝାମଣା ଉଦ୍ୟମ ଚଳାଇଥିବା ଜଣାପଡ଼ିଛି। ଆଫଗାନିସ୍ତାନ ତାଲିବାନ ଟିଟିପି କମାଣ୍ଡର ମୌଳବି ଫକିର ମହମ୍ମଦ ଭଳି କିଛି ନେତା ତଥା ଜଘନ୍ୟ ଆତଙ୍କବାଦୀଙ୍କୁ ମୁକ୍ତ କରିବା ପରେ ପାକିସ୍ତାନ ଏଭଳି ଆଲୋଚନା ପାଇଁ ବାଧ୍ୟ ହୋଇଥିବା କୁହାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତୁର୍କିର ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାରରେ ଦର୍ଶାଇଛନ୍ତି ଯେ ଟିଟିପିର କିଛି ନେତା ଏବେ ପାକିସ୍ତାନ ସହିତ ଶାନ୍ତି ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କ ସରକାର ସେମାନଙ୍କ ସହ ଆଲୋଚନା ଆରମ୍ଭ କରିଛି। ଆବଶ୍ୟକ ପଡ଼ିଲେ ଟିଟିପି ଆତଙ୍କବାଦୀଙ୍କୁ ପାକିସ୍ତାନ ସରକାର କ୍ଷମା ପ୍ରଦାନ କରିବେ ଏବଂ ସେମାନଙ୍କୁ ସାଧାରଣ ଜୀବନଯାପନର ସୁଯୋଗ ଦିଆଯିବ ବୋଲି ଇମ୍ରାନ କହିଛନ୍ତି। ଏବେ ଆଲୋଚନା ଚାଲିଥିବାବେଳେ ସେମାନେ ଆକ୍ରମଣ କରୁଥିବାର ଯେଉଁ ଖବର ଆସୁଛି ତାହା କେବଳ ଲୋକଦେଖାଣିଆ। କେବଳ ସେତିକି ନୁହେଁ; କଥାବାର୍ତ୍ତା ଏବେ ଆଫଗାନିସ୍ତାନ ମାଟିରେ ଜାରି ରହିଥିବାରୁ ଆଫଗାନ୍‌ ତାଲିବାନ ଏଥିରେ ମଧ୍ୟସ୍ଥତା କରୁଥିବା ନେଇ ସନ୍ଦେହ କେଉଁଠି ରହିଲା ବୋଲି ଇମ୍ରାନ ଏକ ପ୍ରଶ୍ନର ଜବାବରେ କହିଛନ୍ତି।

Comments are closed.