ଆମଦାନୀ ଟିକସ ହ୍ରାସ, କମିଲା ଖାଇବା ତେଲ ଦର

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ଖାଉଟିଙ୍କ ଆଶ୍ବସ୍ତି ଲାଗି ଦୀପାବଳି ପୂର୍ବସନ୍ଧ୍ୟାରେ ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ କେନ୍ଦ୍ର ସରକାର। ଦୀପାବଳୀ ପରଦିନ ଅର୍ଥାତ୍ ଶୁକ୍ରବାର ଅତ୍ୟାବଶ୍ୟକ ସାମଗ୍ରୀର ଦର ହ୍ରାସ ଲାଗି ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଉପର ମୁହାଁ ହୋଇଥିବା ଖାଇବା ତେଲକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଆଜି କେତେକ ଅଶୋଧିକ ଖାଇବା ତେଲ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। କେନ୍ଦ୍ର ସରକାର ଶୁକ୍ରବାର ପାମୋଲିନ, ସୋୟାବିନ ଓ ସୂର୍ଯ୍ୟମୁଖୀ ଭଳି ତେଲ ଉପରେ ଲାଗୁଥିବା ଶୁଳ୍କକୁ ସଂପୂର୍ଣ୍ଣ ହଟାଇ ଦେଇଛନ୍ତି। ପୂର୍ବରୁ ଏହି ୩ ପ୍ରକାରର ଅଶୋଧିତ ତେଲରୁ ୨.୫ ପ୍ରତିଶତ ଆମଦାନୀ ଶୁଳ୍କ ଆଦାୟ କରାଯାଉଥିଲା; କିନ୍ତୁ ଏବେ ଏହା ଉପରେ କୌଣସି ଆମଦାନୀ ଟିକସ ଆଦାୟ କରାଯିବନି। ଏହି ଶୁଳ୍କକୁ ୨.୫ରୁ ଶୂନକୁ ହ୍ରାସ କରିଛି କେନ୍ଦ୍ର।

ସେହିପରି ଅଶୋଧିତ ପାମୋଲିନ୍ ତେଲ ଉପରେ ଲାଗୁଥିବା ୨୦ ପ୍ରତିଶତ କୃଷି ଉପକର(ସେସ୍‌)କୁ ମଧ୍ୟ ୭.୫ ପ୍ରତିଶତକୁ କମାଇ ଦିଆଯାଇଛି। ଅନ୍ୟପକ୍ଷରେ ଅଶୋଧିତ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଲାଗୁଥିବା କୃଷି ଉପକରକୁ ମଧ୍ୟ ୫ ପ୍ରତିଶତକୁ ହ୍ରାସ କରାଯାଇଛି।
ଅର୍ଥ ମନ୍ତ୍ରଣାଳୟ ସୂଚନାନୁଯାୟୀ, ବିଶୁଦ୍ଧ ପାମୋଲିନ, ସୋୟାବିନ ଓ ସୂର୍ଯ୍ୟମୁଖୀ ଉପରେ ଲାଗୁଥିବା ଟିକସ ପରିମାଣକୁ ୧୭.୫ ପ୍ରତିଶତକୁ କମାଇ ଦିଆଯାଇଛି; ଯାହାକି ପୂର୍ବରୁ ୩୨.୫ ପ୍ରତିଶତ ରହିଥିଲା।

ଏହାବାଦ କେନ୍ଦ୍ର ସରକାର ବିଭିନ୍ନ ପ୍ରକାରର ଅଶୋଧିତ ଖାଇବା ତେଲ ଉପରେ ଲାଗୁ କରୁଥିବା କୃଷି ଭିତ୍ତିକ ଉପକରକୁ ମଧ୍ୟ ହ୍ରାସ କରିଛନ୍ତି। ପୂର୍ବରୁ ସବୁ ପ୍ରକାରର ଅଶୋଧିତ ଖାଇବା ତେଲ ଉପରେ ୨୦ ପ୍ରତିଶତ କୃଷି ଭିତ୍ତିକ ଉପକର ସଂଗ୍ରହ କରାଯାଉଥିଲା; କିନ୍ତୁ ଏବେ ଅଶୋଧିତ ପାମୋଲିନ ଉପରେ କୃଷିଭିତ୍ତିକ ଉପକରର ପରିମାଣ ୮.୫%, ସୋୟାବିନ ଓ ପାମୋଲିନ ଉପରେ ୫.୫ ପ୍ରତିଶତ କୃଷି ଭିତ୍ତିକ ଉପକର ସଂଗ୍ରହ କରାଯିବ।
କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ଯୋଗାଣ ମନ୍ତ୍ରାଳୟର ଏହି ଘୋଷଣା ପରେ ଖାଇବା ତେଲର ଦାମ ଲିଟର ପିଛା ୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ କମିଛି। ଅବଶ୍ୟ ବିଭିନ୍ନ ଜାଗାରେ ଅଲଗା ହାରରେ ଏହି ମୂଲ୍ୟ ହ୍ରାସ ଘଟିଛି। ଦିଲ୍ଲୀରେ ପାମ୍ ତେଲ ଲିଟର ପିଛା ୬ ଟଙ୍କା, ବାଦାମ ତେଲ ୭ଟଙ୍କା, ସୋୟାବିନ ତେଲ ଲିଟର ପିଛା ୫ଟଙ୍କା, ସୂର୍ଯ୍ୟମୁଖୀ ତେଲ ୧୦ଟଙ୍କା କମିଛି। ତେବେ ଅନ୍ୟ କେତେ ଜାଗାରେ ଏହି ଦର ୨୦ ଟଙ୍କା ପର୍ଯ୍ୟନ୍ତ କମିଛି। ଉତ୍ତର ପ୍ରଦେଶରେ ପାମ୍‌ ତେଲ ଲିଟର ପିଛା ୧୮ ଟଙ୍କା କମିଛି।

ମେଘାଳୟର ଜୱାଇରେ ସୂର୍ଯ୍ୟମୁଖୀ ତେଲ ଦର ଲିଟର ପ୍ରତି ୨୦ ଟଙ୍କା ପର୍ଯ୍ୟନ୍ତ କମିଛି। ଏହାସହ ଖାଇବା ତେଲର ମୂଲ୍ୟକୁ ନିୟନ୍ତ୍ରଣକୁ ଆଣିବାକୁ ଆମଦାନୀ ଶୁଳ୍କକୁ ସନ୍ତୁଳିତ ସ୍ତରକୁ ଆଣିଛି। ବିଭିନ୍ନ ଖାଇବା ତେଲ କମ୍ପାନୀ ମଧ୍ୟ ପାଇକାରୀ ଦର ଲିଟର ପିଛା ୪ରୁ ୭ଟଙ୍କା କମାଇଛନ୍ତି।ଅନ୍ତର୍ଜାତୀୟ ସ୍ତରରେ ଏହି ସାମଗ୍ରୀର ଦରବୃଦ୍ଧି ଯୋଗୁଁ ଏହାର ପ୍ରଭାବ ଦେଶରେ ପଡୁଥିଲା। ତେବେ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କ ସକ୍ରିୟ ଉଦ୍ୟମ ଯୋଗୁଁ ଦେଶର ତୈଳ ଆମଦାନୀକୁ ବିକଳ୍ପ ଖାଇବା ତେଲ ଜରିଆରେ ହ୍ରାସ କରାଯାଉଛି। ରାଇସ୍‌ ବ୍ରାନ୍‌ ଭଳି ଅନ୍ୟ ଦ୍ବିତୀୟ ବିକଳ୍ପ ତୈଳର ଉତ୍ପାଦନ ବଢାଯାଇଛି। ବର୍ଷେ କାଳ ଖାଇବା ତେଲ ଦର ବଢୁଥିବାବେଳେ ଗତ ଅକ୍ଟୋବରରୁ ଏହାର ମୂଲ୍ୟ କମିବା ଆରମ୍ଭ ହୋଇଛି।

Comments are closed.