ଅକ୍ଟୋବର-ଡିସେମ୍ବର ପାଇଁ ପ୍ରାକବାତ୍ୟା ଋତୁ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ

ଭାରତୀୟ ପାଣିପାଗ ବିଭାଗ, ଆଇଏମଡି ପକ୍ଷରୁ ଚଳିତ ବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ସମ୍ଭାବିତ ବାତ୍ୟା ନିମନ୍ତେ ପ୍ରସ୍ତୁତ ରହିବା ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରସ୍ତୁତ ରହିବା, ଆବଶ୍ୟକତାକୁ ଅନୁଧ୍ୟାନ କରିବା ଏବଂ ଯୋଜନା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପାଣିପାଗ ବିଜ୍ଞାନ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନଲାଇନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ମହାନିର୍ଦ୍ଦେଶକ ଡକ୍ଟର ମହାପାତ୍ର ଏହି ସମୀକ୍ଷା ବୈଠକରେ କହିଛନ୍ତି ଯେ ଆଇଏମଡି ଟ୍ରାକ, ଅବତରଣ, ତୀବ୍ରତା ଏବଂ ପ୍ରତିକୂଳ ପାଗରେ ପ୍ରବଳ ବର୍ଷା, ପ୍ରବଳ ପବନ ଏବଂ ବାତ୍ୟା ପୂର୍ବାନୁମାନରେ ଉଲ୍ଲେଖନୀୟ ଉନ୍ନତି କରିଛି। ସେ କହିଛନ୍ତି ଯେ ବାତ୍ୟା ଋତୁରେ ଆଇଏମଡି ଜିଆଇଏସ ପ୍ଲାଟଫର୍ମରେ ବାତ୍ୟାର ଗତିବିଧି ଟ୍ରାକ କରିବା ଏବଂ ପୂର୍ବାନୁମାନ କରିବା ପାଇଁ ଇଣ୍ଟରାକ୍ଟିଭ୍ ଡିସପ୍ଲେ ସିଷ୍ଟମ ଆରମ୍ଭ କରିବ।

ବଜ୍ରପାତର ପୂର୍ବାନୁମାନ ପାଇଁ ଦାମିନୀ ଆପ, ପାଣିପାଗ ଚେତାବନୀ ପାଇଁ ଉମଂଗ ଆପ ଓ କୃଷି ପାଇଁ ମେଘଦୂତ ଆପ ବିଷୟରେ ସେ ସୂଚନା ଦେଇଥିଲେ। ବାତ୍ୟା ସତର୍କତା ପାଇବା ପାଇଁ ଆଞ୍ଚଳିକ ସ୍ୱତନ୍ତ୍ର ପାଣିପାଗ କେନ୍ଦ୍ର ୱେବସାଇଟ୍ rsmcnewdelhi.imd.gov.inରେ ମାଗଣା ପଞ୍ଜୀକରଣ ସୁବିଧା ବିଷୟରେ ସେ ବୈଠକରେ ସୂଚନା ଦେଇଥିଲେ। ଏହି ଅବସରରେ ଡକ୍ଟର ମହାପାତ୍ର କହିଛନ୍ତି ଯେ ଅତୀତରୁ ଶିଖିବା ଏବଂ ତ୍ରୁଟିର ପୁନରାବୃତ୍ତି ସଂଶୋଧନ କରିବା ଆବଶ୍ୟକ। ଜୀବନ ଏବଂ ସମ୍ପତ୍ତି ନଷ୍ଟକୁ ହ୍ରାସ କରିବା ପାଇଁ ସମସ୍ତ ହିତାଧିକାରୀଙ୍କ ସକ୍ରିୟ ଅଂଶଗ୍ରହଣ ସହିତ ଏକ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ଏବଂ ପ୍ରତିକ୍ରିୟାଶୀଳ କୌଶଳ ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ଆଇଏମଡିର ବାତ୍ୟା ଚେତାବନୀ ବିଭାଗର ମୁଖ୍ୟ ସୁନୀତା ଦେବୀ ଗତ କିଛି ବର୍ଷ ମଧ୍ୟରେ ଆରଏସଏମସିର ପୂର୍ବାନୁମାନ ପ୍ରଦର୍ଶନ ସହିତ ପରିସ୍ଥିତି, ଭବିଷ୍ୟତ ଯୋଜନା ଏବଂ ପ୍ରୟାସ ଉପରେ ଏକ ଉପସ୍ଥାପନା କରିଥିଲେ। ବୈଠକରେ ଉପସ୍ଥିତ ହିତାଧିକାରୀମାନେ ବାତ୍ୟା ଚେତାବନୀ ପ୍ରଣାଳୀ ପାଇଁ ଆଇଏମଡିକୁ ପ୍ରଶଂସା କରିଥିଲେ।

ଏହି ଅନଲାଇନ ବୈଠକରେ ନ୍ୟାସନାଲ ସେଣ୍ଟର ଫର ମିଡ଼ିଅମ ରେଞ୍ଜ ୱେଦର ଫରକାଷ୍ଟିଙ୍ଗ, ଭାରତୀୟ ବାୟୁସେନା, ଭାରତୀୟ ନୌ ସେନା, କେନ୍ଦ୍ରୀୟ ଜଳ ଆୟୋଗ, ଆଇଆଇଟି ଦିଲ୍ଲୀ, ଜାତୀୟ ମହାସାଗର ସୂଚନା ସେବା, ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି, ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ, ମତ୍ସ୍ୟ ବିଭାଗ, ସମୟାନୁବର୍ତ୍ତୀ ସେଲ୍ ଏବଂ ଭାରତୀୟ ରେଳ ବିଭାଗର ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ।

Comments are closed.