ମୋତେ ଗିରଫ କରିବାକୁ କାହାର ସାହସ ନାହିଁ, ଆଇଏମ୍‌ଏ ଏତଲା ପରେ କହିଲେ ରାମଦେବ

ନୂଆଦିଲ୍ଲୀ: ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) ଗୁରୁବାର ଯୋଗଗୁରୁ ରାମଦେବଙ୍କ ବିରୋଧରେ ଏତଲା ଦାୟର କରିଛି। ଏଲୋପାଥି ଔଷଧ ଓ ଆଧୁନିକ ଚିକିତ୍ସା ବିଜ୍ଞାନ ବିରୋଧରେ ରାମଦେବ ଦେଇଥିବା ମନ୍ତବ୍ୟ ପାଇଁ ନୂଆଦିଲ୍ଲୀସ୍ଥିତ ଆଇପି ଇଷ୍ଟେଟ୍‌ ପୁଲିସ ଥାନାରେ ଏତଲା ଦାୟର କରାଯାଇଛି। ଆଇଏମଏ ଏହାର ଏତଲାରେ ଅଭିଯୋଗ କରିଛି କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଆପଣାଯାଉଥିବା ପ୍ରକ୍ରିୟା ଓ ଔଷଧକୁ ରାମଦେବ ନିନ୍ଦା କରିଛନ୍ତି। ଏହା ତାଙ୍କର ଉଦ୍ଦେଶ୍ୟମୂଳକ ଓ ମିଥ୍ୟା ପ୍ରଚାର। ଆଇଏମଏର ଏତଲା ସମ୍ପର୍କରେ ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀ ସ୍ବୀକାର କରିବା ସହିତ ଏହାର ତଦନ୍ତ ଚାଲିଥିବା କହିଛନ୍ତି।

ଏହା ପୂର୍ବରୁ ଆଇଏମଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖି ଦେଶଦ୍ରୋହ ମାମଲା ରୁଜୁ କରିବାକୁ କହିଥିଲା। ଏହା ସହିତ ତାଙ୍କୁ ୧୦୦୦କୋଟି ଟଙ୍କାର ମାନହାନି ନୋଟିସ୍‌ ଜାରି କରାଯାଇଥିଲା। ରାମଦେବଙ୍କ ଏପରି ମନ୍ତବ୍ୟ ପାଇଁ ତାଙ୍କୁ ଗିରଫ କରିବାକୁ ସାମାଜିକ ଗଣମାଧ୍ୟମରେ ଦାବି ହେଉଛି। ତେବେ ଏପରି ଦାବି ଉପରେ ପ୍ରତିକ୍ରିୟା ରଖି ରାମଦେବ କହିଛନ୍ତି ଯେ ‘ମୋତେ ଗିରଫ କରିବାକୁ କାହାର ସାହସ ନାହିଁ। ଲୋକେ ଏମିତି ହୋହଲ୍ଲା କରୁଛନ୍ତି, ତାଙ୍କୁ ଏପରି କରିବାକୁ ଦିଆଯାଉ।’

Comments are closed.