କଳା ହୀରା ଚୋରିର ହୁଗୁଳା ବାଟ; ଆଖିମୁଦି ବସିଛନ୍ତି ଖଣି କର୍ତ୍ତୃପକ୍ଷ ଓ ଖଣି ବିଭାଗ

୬ ମାସରେ ୪୦ ଗିରଫ, ୨୮ ଗାଡ଼ି ସହ ୯୦ ଟନ୍ କୋଇଲା ଜବତ

ବ୍ରଜରାଜନଗର:   ରାଜ୍ୟରୁ ଆରମ୍ଭ କରି ଜାତୀୟ ରାଜକୋଷକୁ ସମୃଦ୍ଧ କରିବାରେ ଏମସିଏଲର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ଝାରସୁଗୁଡ଼ା ଓ ଅନୁଗୋଳ ଜିଲାରୁ ବିପୁଳ ରାଜସ୍ବ ଏମସିଏଲ୍ ପ୍ରଦାନ କରୁଛି ।  ହେଲେ ଏହାର କୋଇଲା ଖଣି ଗୁଡ଼ିକରୁ ବେଲଗାମ ଭାବେ ହେଉଥିବା କୋଇଲା ଚୋରି ପାଇଁ କୋଟି କୋଟି ଟଙ୍କାର ରାଜସ୍ୱହାନୀ ହେଉଛି। ବର୍ଷବର୍ଷ ଧରି ଏହି ବେଆଇନ କାରବାର ଚାଲିଥିବା ସତ୍ବେ ଖଣି ବିଭାଗର ଅଧିକାରୀ ଓ ଖୋଦ ଖଣି କର୍ତ୍ତୃପକ୍ଷ ଚୁପ୍ ବସିଥିବା ଅଭିଯୋଗ ହୋଇଛି।    ଏମସିଏଲର ଠେଙ୍ଗା ଧାରୀ ସୁରକ୍ଷାକର୍ମୀଙ୍କ ଆଖି ସାମ୍ନାରେ କୋଇଲା ଚାଲାଣ ହେଉଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉନାହିଁ, କିମ୍ବା ଏ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ ଖଣି ବିଭାଗ ଶୁଣିବାକୁ ଗୁରୁତ୍ବ ଦେଉନାହିଁ ।  ଏହି ସ୍ଥିତିରେ ପୁଲିସ କେତେବେଳେ କେମିତି ଚଢ଼ଉ କରି କିଛି ଟ୍ରକ ଜବତ କରୁଥିଲେ ମଧ୍ୟ ତାହା ଚୋରି ଅନୁପାତରେ କିଛି ନୁହେଁ କହିଲେ ଚଳେ ।

ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର। କୋଇଲା ଖଣି ପାଇଁ ଦେଶରେ ଯେତିକି ସୁନାମ ଅର୍ଜନ କରିଛି, ଅପରାଧ ପାଇଁ ସେତିକି କୁଖ୍ୟାତି ମଧ୍ୟ ହାସଲ କରିଛି। ଚୋରା କୋଇଲା କାରବାର ତଥା ଗୋଷ୍ଠୀ ମଧ୍ୟରେ ଲାଗିଥିବା ପତିଆରାର ଲଢେଇକୁ ନେଇ ବିଗତ ଦିନରେ ଅନେକ ମୁଣ୍ଡ ଗଡ଼ି ସାରିଛି। ବର୍ଷ ବର୍ଷ ଧରି ଚାଲିଥିବା କୋଇଲା ଚୋରି ଯୋଗୁଁ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ବେଳେ ଅନ୍ୟ ପଟେ କୋଇଲା ଖଣି କତୃପକ୍ଷ ଏଯାବତ୍‍ କୌଣସି ସ୍ଥାୟୀ ପ୍ରତିକାର ନକରି କେବଳ କାଗଜ କଳମରେ ସୀମିତ ରଖିଛନ୍ତି। ବିଗତ ଦିନରେ ଏମସିଏଲ କୋଇଲା ଖଣି ଗୁଡ଼ିକରେ ସିଆଇଏସଏଫ୍‍ ନିଯୁକ୍ତି ଓ  ପାଚେରୀ ନିର୍ମାଣ ପାଇଁ ଦାବି ଉଠିଥିଲେ ହେଁ ତାହା ପୂରଣ ହୋଇ ପାରିଲା ନାହିଁ। ସେପଟେ ଜାତୀୟ ସମ୍ପତ୍ତିର ହରି ଲୁଟ ରୋକିବା ଓ ତାର ସୁରକ୍ଷା ପାଇଁ ଏମସିଏଲ ଠିକା ସଂସ୍ଥା ମାଧ୍ୟମରେ ଠେଙ୍ଗାଧାରୀ ଓ କେତେକ ବନ୍ଧୁକଧାରୀଙ୍କୁ ନିୟୋଜିତ କରିଛି। ତେବେ ଏମାନେ କେତେ ବେଳେ ମାଫିଆଙ୍କ ଆକ୍ରମଣରେ ଲହୁ ଲୁହାଣ ହୋଇ ଗୁରତର ଆହତ ହୋଉଥିବା ବେଳେ ବିଭିନ୍ନ ସମୟରେ ଦରମା ନ ମିଳିବା ଓ ଠିକା ସଂସ୍ଥା ଦ୍ୱାରା ଆର୍ଥିକ ଶୋଷଣ ନେଇ ପୋଲିସ ପାଖରେ ଫେରାଦ ହେଉଥିବା ନଜିରରେ ରହିଛି।


ଏପରି ସ୍ଥିତିରେ କୋଇଲା ଚୋରି ରୋକିବାକୁ ଏକମାତ୍ର ଦାୟିତ୍ବ ପୁଲିସ ଉପରେ ନ୍ୟସ୍ତ ।   ଗତ ଜାନୁଆରୀରୁ ଜୁନ ମାସ ମଧ୍ୟରେ  ବ୍ରଜରାଜନଗର ଥାନାରେ ୫ଟି  ଓ ଲଖନପୁର ଥାନାରେ ୨ ମାମଲା ରୁଜୁ ହୋଇଛି। ଏଥିରେ ୪୦ ଜଣକୁ ପୁଲିସ ଗିରଫ କରି କୋର୍ଟ ଚାଳାଣ କରିଥିବା ବେଳେ ଟ୍ରକ, ବାଇକ, ପିକଅପ ଆଦିକୁ ମିଶାଇ ମୋଟ ୨୮ଟି ଗାଡ଼ି ଜବତ କରାଯାଇଛି। ଧରପଗଡ଼ ବେଳେ  ପ୍ରାୟ ୯୦ ଟନ କୋଇଲା ଜବତ କରାଯାଇଛି ।

ଗତ ଫେବ୍ରୁଆରୀ ୧ ତାରିଖରେ ଖଣି ଅଂଚଳରେ ମାଫିଆମାନେ ଜେସିବି ଲଗାଇ ଏକାଧିକ ହାଇୱା ଯୋଗେ କୋଇଲା ଚୋରା ଚାଲାଣ କରୁଥିବା ବେଳେ ପୁଲିସ ଚଢ଼ଉ କରିଥିଲା । ଏହି ଚଢଉ ପରଠାରୁ ମାଫିଆ କିଛି ପରିମାଣରେ ଭୟଭୀତ ହୋଇଛନ୍ତି, ତେବେ ଚୋରାଚାଲାଣ ପୁରା ରୋକାଯାଇପାରିଛି ବୋଲି କୁହାଯାଇ ପାରିବ ନାହିଁ ।  ଏବେ ପୁଲିସ ବିଭାଗରେ ମାନବସମ୍ବଳ କ୍ଷେତ୍ରରେ ସ୍ଥିତରେ ଉନ୍ନତି ଘଟିଥିବା ବେଳେ ଧରପଗଡ଼ ରୋକିବାକୁ ପେଟ୍ରୋଲିଂ ଗାଡ଼ିର ଅଭାବ ବିଭାଗ ପାଇଁ ଚିନ୍ତାର ବିଷୟ ହୋଇଛି ।  ଅପରପକ୍ଷେ ଏଭଳି ଚୋରି ରୋକିବା ପାଇଁ ତିନି ବର୍ଷ ତଳୁ ବ୍ରଜରାଜନଗର ଏବଂ ବେଲପାହାଡ଼ ଅଂଚଳରେ ସିସି ଟିଭି ଖଞ୍ଜିବା ପାଇଁ ଆରପିଡ଼ିଲସି ବୈଠକରେ ନିଷ୍ପତି ହୋଇଥିଲେ ହେଁ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରି ନାହିଁ। ଏହା ସତ୍ବେ ନବନିଯୁକ୍ତ ଏସପି ଉପଲବ୍ଧ ସାଧନ ଓ ମାନବସମ୍ବଳକୁ ନେଇ ଖଣି ଚୋରି ରୋକିବାକୁ ନିର୍ଦେଶ ଦେଇଛନ୍ତି ।

Comments are closed.